ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ବଡ ଠାକୁରଙ୍କ ସେବା ନୀତି ପରେ ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ତିନି ଠାକୁରଙ୍କୁ ନିଆ ଯାଇଥିଲା . ପରେ ଅଗ୍ରଜ ପୂଜା, ସୂର୍ଯ୍ୟ ପୂଜା, ଶିବ ପୂଜା ପରେ ସ୍ନାନ ବେଦୀକୁ ନିମନ୍ତ୍ରଣ ପରେ ଦକ୍ଷିଣ ଆଳତି ସପ୍ତଜଳ ସ୍ନାନ, ମଧୁର ଜଳ ସ୍ନାନ, ଚନ୍ଦନ ଲାଗି ପରେ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ପ୍ରବଳ ଖରା ସତ୍ତ୍ୱେ ଭକ୍ତଙ୍କ ଭିଡ଼ ଜମି ଥିବାର ଦେଖିବାକୁ ମିଳିଛି । କରୋନା କଟକଣା ଯୋଗୁଁ ବିଗତ ୨ ବର୍ଷ ଧରି ସମସ୍ତ ଯାନୀ ଯାତ୍ରା ଭକ୍ତଙ୍କ ବିନା କେବଳ ନୀତି କାନ୍ତିରେ ସମାପନ ହୋଇ ଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଅପୂର୍ବ ଆନନ୍ଦ ଦେଖା ଦେଇଛି । ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଓ ଗଜାନନ ବେଶ ଦେଖିବା ପାଇଁ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟି ଥିବାର ଦେଖିବାକୁ ମିଳିଛି ।