୨୦୧୮ ଜାନୁଆରୀ ମାସ ରୁ ହୋଇ ପାରିନାହିଁ ନୟାଗଡ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ମହାବିଦ୍ୟାଳୟ ର ୨୦୧୮ ଜାନୁଆରୀ ମାସରୁ ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ ହୋଇପାରି ନାହିଁ, ଆଶ୍ଚର୍ଯ୍ୟ ହେଲେବି ଏହା ସତ୍ୟ . କିନ୍ତୁ ମହାବିଦ୍ୟାଳୟ କର୍ତୃପକ୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଏହି ଗୁରୁତର ତଥ୍ୟ ଲୁଚାଇ ରଖିବା ସର୍ବୋପରି ନୟାଗଡ ଜିଲ୍ଲାବାସୀ ଯାହାର ଖଜଣା ଟଙ୍କାରେ ଏହି ଶିକ୍ଷାର ମନ୍ଦିର ପ୍ରତିଷ୍ଠିତ, ସେମାନଙ୍କ ପ୍ରତି ବିଶ୍ୱାସଘାତକ କରିଛନ୍ତି ବୋଲି ପୁରାତନ ଛାତ୍ର ତଥା ଜିଲ୍ଲା ଓକିଲ ସଂଘ ର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ ନୟାଗଡ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି l କଲେଜ କାନ୍ଥବାଡ଼ରେ ମିଛରେ ସ୍ୱୟଂଶାସିତ ଲେଖି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଉଛନ୍ତି କଲେଜ ଅଧ୍ୟକ୍ଷ ବୋଲି ଆଇନଜୀବି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି l ସୂଚନା ଆଇନ ଦ୍ୱାରା ଉପଲବ୍ଧ ତଥ୍ୟ ଅନୁସାରେ ଗତ ତା ୮.୧.୨୦୧୮ ରିଖ ରୁ ବିଶ୍ୱ ବିଦ୍ୟାଳୟ ଗ୍ରାଣ୍ଟ କମିଶନ ୟୁଜିସି ର କୋଲକତା ସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଉପ ସଚିବ ଲଳିଥା ଗଣେଶନ ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରlରଙ୍କୁ ଲେଖିଥିବା ପତ୍ରସଂଖ୍ୟା F.22-1/2012(AC) ନୟାଗଡ ମହାବିଦ୍ୟାଳୟ ର ସ୍ୱୟଂଶାସିତ ଅଟୋନମସ ମାନ୍ୟତା ୨୦୧୨-୨୦୧୩ ଶିକ୍ଷା ବର୍ଷରୁ ୨୦୧୭-୨୦୧୮ ମସିହା ୬ ବର୍ଷ ଯାଏଁ ବଳବତ୍ତର ଥିଲା l ଏହାର ଅବଧି ସମ୍ପ୍ରସାରଣ ପାଇଁ ୟୁଜିସି ଷ୍ଟାଣ୍ଡିଙ୍ଗ କମିଟି ର ଏଯାବତ ମଞ୍ଜୁରୀ ପ୍ରାପ୍ତ ହୋଇ ପାରିନାହିଁ, ତେଣୁ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ଯେ, ୨୦୧୮ ମସିହାରୁ ନୟାଗଡ ମହାବିଦ୍ୟାଳୟ ର ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ ହୋଇନାହିଁ, ୟୁଜିସି ରୁ ଏହି ପତ୍ର କଲେଜ କର୍ତୃପକ୍ଷ ପାଇସାରିବା ପରେ କାହା ଚାପରେ କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଏ ସମ୍ପର୍କ ରେ ଅନ୍ଧାର ରଖି ସେମାନଙ୍କ ଭବିଷ୍ୟତ ସହ ଖେଳିଛନ୍ତି l ବିଧାୟକ ଅରୁଣ ସାହୁ ଏହି ବିଷୟରେ ଅବଗତ ଥାଇ ସୁଦ୍ଧା କେଉଁ ଉଦ୍ଦେଶ୍ୟ ରେ ଚୁପ ରହିଥିଲେ ଏବଂ ସେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଦାୟିତ୍ୱରେ ୨୮ ମାସ ଥିବା ସତ୍ୱେ ମଧ୍ୟ ନୟାଗଡ ମହାବିଦ୍ୟାଳୟ ର ଅଟୋନୋମି ସ୍ଟାଟସ କୁ ସମ୍ପ୍ରସାରଣ କରାଇବା ରେ ବିଫଳ ହେବା ପ୍ରମାଣ କରୁଛି ନୟାଗଡ କଲେଜ ବିଧାୟକଙ୍କ ଆନ୍ତରିକତା କେତେ ଏବଂ ତାଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବି ଶ୍ରୀ ଦାଶ l ୨୦୧୮ ବେଳକୁ ବିଧାୟକ ଶ୍ରୀ ସାହୁ କଲେଜ ପରିଚାଳନା କମିଟି ର ସଭାପତି ଥିବା ସମୟ ରୁ ଏତେ ବଡ଼ ଅଘଟଣ କୁ ସେ ନୟାଗଡ ବାସୀଙ୍କୁ କାହିଁକି ଲୁଚାଇ ରଖିଥିଲେ ??ଏଠାରେ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେଉଛି ୟୁଜିସି ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରlରଙ୍କୁ ଲେଖାଯାଇ ଥିବା ପତ୍ରରେ ଉଲ୍ଲେଖ ଅଚ୍ଛି ୟୁଜିସି ଏକ୍ସପର୍ଟ କମିଟି ସୁପାରିଶ ଆଧାର ରେ ଅଟୋନୋମସ ମାନ୍ୟତା ସମ୍ପ୍ରସାରଣ କରାଯିବା ନିୟମ ରହିଛି ତେବେ ଏଠାରେ ପ୍ରଶ୍ନ ହେଉଛି ନୟାଗଡ ମହାବିଦ୍ୟାଳୟ ର ଅଟୋନୋମସ ମାନ୍ୟତା ଅବଧି ସମ୍ପ୍ରସାରଣ ପାଇଁ ଏକ୍ସପର୍ଟ କମିଟି ଏଯାବତ କେଉଁ କାରଣ ପାଇଁ ସୁପାରିଶ କରିନାହଁନ୍ତି ସେ ସମ୍ପର୍କରେ କଲେଜ ର ଅଧ୍ୟକ୍ଷ ନୟାଗଡ ବାସୀଙ୍କୁ ସ୍ପଷ୍ଟ କରନ୍ତୁ ବୋଲି ବରିଷ୍ଠ ଆଇନଜୀବି ରଣଜିତ ଦାଶ ଦାବୀ କରିଛନ୍ତି l ନୟାଗଡ ମହାବିଦ୍ୟାଳୟ ର ପ୍ରଶାସନିକ ଅପାରଗତା କିମ୍ବା ବାର୍ଷିକ କୋଟିକୋଟି ୟୁଜିସି ଅନୁଦାନ ଅର୍ଥରାଶିର ଦୁରୁପଯୋଗ କରାଯାଇଥିବା କାରଣରୁ ନୟାଗଡ ମହାବିଦ୍ୟାଳୟ ର ଅଟୋନୋମସ ମାନ୍ୟତା ସମ୍ପ୍ରସାରଣ ପାଇଁ ଏକ୍ସପର୍ଟ କମିଟି ସୁପାରିଶ କରୁନାହାଁନ୍ତି ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି l ଯଦି କଲେଜ କର୍ତୃପକ୍ଷ ଏହାର ସନ୍ତୋଷ ଜନକ ଉତ୍ତର ସାର୍ବଜନୀନ କରିବେ ନାହିଁ ତେବେ ୟୁଜିସି କୁ ପକ୍ଷଭୁକ୍ତ କରି ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନୟାଗଡ ସ୍ୱାର୍ଥ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହେବେ ବୋଲି ଶ୍ରୀ ଦାଶ କହିଛନ୍ତି l

Leave a Reply

Your email address will not be published. Required fields are marked *