ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ନତଡା ଗ୍ରାମ ପଞ୍ଚାୟତର କିଛି ଆଂଶିକ ଜମିକୁ ଏମସିଏଲ ତାର କୋଇଲା ପରିବହନ ପାଇଁ ଅଧିଗ୍ରହଣ କରି ରେଳଧାରଣା କାର୍ଯ୍ୟ ଆରମ୍ଭ କରି ସାରିଛି l ଯାହାକି ନତଡା ଗ୍ରାମକୁ ଦୁଇ ଭାଗରେ ବିଭକ୍ତ କରିଦେଇଛି l ଯାହା ଫଳରେ ଆଜି ସାମାନ୍ୟ ବର୍ଷାରେ ନତଡା ଗ୍ରାମବାସୀଙ୍କ ଅବସ୍ଥା ବେହାଲ ହୋଇଯାଇଛି l ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ରେଲୱେ ପାର୍ଶ୍ୱରେ ଥିବା ଚାଷ ଜମି ସମ୍ପୂର୍ଣ୍ଣ ବୁଡି ଯାଇ ରାସ୍ତା ଉପରେ ମଧ୍ୟ ଆଣ୍ଠୁ ଉପରକୁ ପାଣି ଜମି ରହିଛି l ଏହା ସହିତ ପାଣି ଭିତରେ ଲାଇନ ତାର ଯାଇଥିବା ବେଳେ ଉପରେ ମଧ୍ୟ ଲାଇନ ତାର ଯାଇଛି l ଏପରିକି ପାଣି ଜମିଯିବାରୁ ଇଲେକ୍ଟ୍ରି ଖୁଣ୍ଟି ର ମୂଳରେ ଥିବା ମାଟି ଫାଟି ଗଲାଣି l କେତେବେଳେ ଖସି ପଡିବ କିଛି କହିହେବନି l ଯଦି ଲାଇନ ତାର ଖସି ସର୍ଟସର୍କିଟ ହୁଏ, କେତେବେଳେ କାହାର ପ୍ରାଣ ଚାଲି ଯାଇପାରେ l ରାସ୍ତା ଉପରେ ଏତେ ପାଣି ହୋଇଛି ଯେ ସ୍କୁଲ ଯିବା ପାଇଁ ପିଲା ମାନଙ୍କୁ ବୋହି କି ଆଣିବାର ଦୃଶ୍ୟ ଦେଖା ଦେଇଛି l ତେଣୁ ଯଥାଶୀଘ୍ର ଏହି ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ରେଲୱେ କର୍ତ୍ତୃପକ୍ଷଙ୍କୁ ଗଣମାଧ୍ୟମ ସାହାଯ୍ୟରେ ଗ୍ରାମବାସୀ ଜଣାଇଛନ୍ତି ।