ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରତୀୟ ଦର୍ଶନରେ ବୈଷ୍ଣବୀୟ କର୍ମ ମାନବ ଜୀବନର ଶ୍ରେଷ୍ଠତାକୁ ପ୍ରତିପାଦିତ କରିବା ସହ ଏକ ଚିନ୍ତାମୁକ୍ତ ମଣିଷ ଗଠନରେ ସହାୟକ ହୋଇଥାଏ । ଉନ୍ନତ ମାନର ବିଚାରଧାରା ଏବଂ ଉଚ୍ଚାରଣ ଓ ଆଚରଣ ସିଦ୍ଧତା ସହ ସାମାଜିକ ଶୃଙ୍ଖଳା ସୃଷ୍ଟି କରିବା ଓ ସମାଜକୁ ଦିଗଦର୍ଶନ ଦେବା ଆଦି ବୈଷ୍ଣବୀୟ କର୍ମର ପ୍ରଧାନ ଅଙ୍ଗ ଅଟେ ବୋଲି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ବଉଳପଡା ଠାରେ ଆୟୋଜିତ ଠାକୁର ଶ୍ରୀ ଶ୍ରୀ ରାଧା ମଦନମୋହନଙ୍କ ସ୍ବନକ୍ଷତ୍ର ଉତ୍ସବ ପାଳନ ଓ ଶ୍ରୀ ଶ୍ରୀ ଶ୍ୟାମାନନ୍ଦ ଦେବ ଗୋସ୍ଵାମୀଙ୍କର ବଂଶାନୁଚରିତ ଉନ୍ମୋଚନ ଅବସରରେ ବହୁବକ୍ତା ମତବ୍ୟକ୍ତ କରିଥିଲେ । ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କାଉନ୍ସେଲର ତଥା ଅଧ୍ୟାପକ ବୈଷ୍ଣବ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ଜିଲାର ଥଇଳାସ୍ଥିତ ଅଭିରାମ ପରମହଂସ ଆଶ୍ରମର ମଠାଧିଶ ସନ୍ଥ ଶ୍ରୀ ଶ୍ରୀ ବିଶ୍ବମ୍ବର ଦାସ , ମୁଖ୍ୟ ବକ୍ତା ଭାବରେ ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼ଃ ହରିଶ୍ଚନ୍ଦ୍ର ପଣ୍ଡା, ବିଶିଷ୍ଟ ଅତିଥି ଭାବରେ ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ତଥା ନାଟ୍ୟକାର ଡ଼ା. ରାଜକିଶୋର ପଣ୍ଡା, ବିଶିଷ୍ଠ ବକ୍ତା ଭାବରେ ବରିଷ୍ଠ ଶିକ୍ଷାଵିତ୍ ତଥା ସାରସ୍ୱତ ସାଧକ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଗାଁ ମୁରବୀ ତଥା ବର୍ଷିୟାନ ସମାଜସେବୀ ବୈଷ୍ଣବ ଉଦୟ ନାଥ ଦାସ ଆଦି ଯୋଗଦାନ କରିଥିଲେ । ସ୍ଵର୍ଗତଃ ବୈଷ୍ଣବ ନାରାୟଣ ଦାସଙ୍କ ରଚିତ ତାଳପତ୍ର ପୋଥି ଶ୍ରୀ ଶ୍ରୀ ଶ୍ୟାମାନନ୍ଦ ଦେବଗୋସ୍ଵାମୀଙ୍କର ବଂଶାନୁଚରିତ (କୁଶୀନାମା)ର ପ୍ରକାଶିତ ପୁସ୍ତକର ପ୍ରକାଶକ ବୈଷ୍ଣବ ବୈଦ୍ୟନାଥ ଦାସ ସଭାର ପ୍ରାରମ୍ଭିକ ସୂଚନା ଓ ପୁସ୍ତକ ସମ୍ପର୍କରେ ସରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ପାଲାକାର ବୈଷ୍ଣବ ବ୍ରଜସୁନ୍ଦର ଦାସ ସଭାର ଶେଷ ସ୍ପର୍ଶ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ଏଥିରେ ବଉଳପଡା ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।
ବୈଷ୍ଣବୀୟ କର୍ମ ମାନବ ଜୀବନର ଶ୍ରେଷ୍ଠତ୍ଵକୁ ପ୍ରତିପାଦିତ କରିଥାଏ : ରାଧା ମଦନମୋହନଙ୍କର ସ୍ବନକ୍ଷତ୍ରରେ ବହୁ ବକ୍ତାଙ୍କ ମତ !!!

