ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାଷା ଅନୁବାଦ ସାହିତ୍ୟକୁ ରୁଦ୍ଧିମନ୍ତ ଓ ଉପନ୍ୟାସ ସମାଜକୁ ମନନଶୀଳ କରିବାରେ ସହାୟକ ହୋଇଥାଏ । ଅନୁବାଦ ସାହିତ୍ୟ ବାହ୍ୟ ଶବ୍ଦ ଓ ଜ୍ଞାନର ଆହରଣ ସହ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥାଏ । ଦେଶ ବିଦେଶରେ ଲୁକ୍କାୟିତ ଭାବରେ ରହିଥିବା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜ୍ଞାନର ଉନ୍ମେଷ ଓ ଗବେଷଣା ସହ ଆଧୁନିକ ମାନବକୁ ମନନଶୀଳ କରି ଗଢି ତୋଳିଥାଏ ଏହି ଅନୁବାଦ ସାହିତ୍ୟ । ସେହିପରି ଉପନ୍ୟାସ ସମାଜର ବିଭିନ୍ନ ଚରିତ୍ରକୁ ଲୋକ ଲୋଚନକୁ ଆଣିବା ସହ ଯୁକ୍ତାତ୍ମକ ବିଚାରଧାରା ମାଧ୍ୟମରେ ଅବକ୍ଷୟ ମୁଖୀ ସମାଜକୁ ଅଗ୍ରଗାମୀ ହେବାରେ ସହାୟକ ହୋଇଥାଏ ବୋଲି ଦଶରଥପୁର ବ୍ଲକ ଅନ୍ତର୍ଗତ କୁଆଁସ ମଙ୍ଗଳା ପୀଠରେ ଦୁଇଟି ମନନଶୀଳ ପୁସ୍ତକ ଉନ୍ମୋଚନ ଓ ଲୋକାର୍ପଣ ଉତ୍ସବରେ ବହୁ ବକ୍ତା ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାରସ୍ଵତ ସାଧକ ତଥା ସାମ୍ବାଦିକ ଉମାକାନ୍ତ ଧଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଔପନ୍ୟାସିକ ହରେରାମ ପଣ୍ଡାଙ୍କ ଉପନ୍ୟାସ “ଝଡ଼ ପରର ଜୀବନ” ଏବଂ ଗବେଷକ ଡ଼ଃ ବାସୁଦେବ ମିଶ୍ରଙ୍କ ଓଡ଼ିଆ କବିତା ଓ ଗଦ୍ୟ ଅନୁବାଦ ପୁସ୍ତକ “ଭର୍ତ୍ତୃହରିଙ୍କ ବୈରାଗ୍ୟ ଶତକମ୍” ପୁସ୍ତକ ଦୁଇଟିକୁ ଅତିଥି ମାନେ ଉନ୍ମୋଚନ କରିବା ସହ ଲୋକାର୍ପଣ କରିଥିଲେ। ଏହି ଉତ୍ସବରେ ଅଧିବକ୍ତା ବିଷ୍ଣୁ ଚରଣ ଦଳାଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ କ୍ଷେତ୍ରବାସୀ ରଣା, ମୁଖ୍ୟ ବକ୍ତା ଭାବରେ ଚନ୍ଦ୍ରମଣି ସାହୁ, ସମ୍ମାନିତ ଅତିଥି ଭାବରେ ଶିକ୍ଷକ ନେତା ଦିଗମ୍ବର ସାହୁ, ବ୍ୟଙ୍ଗ କବି ବାଇଧର ମାଝୀ, ପ୍ରାଧ୍ୟାପକ ନିରାକାର ନାୟକ ଆଦି ଯୋଗଦାନ କରିଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ରଣାଙ୍କୁ ମଞ୍ଚ ତରଫରୁ ମାନପତ୍ର , ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା । କବି ତଥା ଯୁବ ସାମ୍ବାଦିକ ଧୀରେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଚିନ୍ମୟ ଦାଶ, ଶିଳ୍ପୀ ରାମଚନ୍ଦ୍ର ଦାଶ, ନାଟ୍ୟକାର ଅଧ୍ୟାପକ ଦୀପକ କୁମାର ଜେନା, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ପୃଷ୍ଟି, କବି ପୂର୍ଣ୍ଣଚନ୍ଦ୍ର ଦାଶ ଆଦି ଯୋଗଦାନ କରିଥିଲେ ।
ଭାଷା ଅନୁବାଦ ସାହିତ୍ୟକୁ ରୁଦ୍ଧିମନ୍ତ ଓ ଉପନ୍ୟାସ ସମାଜକୁ ମନନଶୀଳ କରିଥାଏ !!!

