କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ, ଏହି ତିଥିରେ ପାଳନ ହେଉଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷୀକି । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜଲେଶପଟ୍ଟା ଆଶ୍ରମରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିରେ ବହୁ ସନ୍ଥ ଓ ଶତାଧିକ ସ୍ବାମୀଜୀଙ୍କ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ , ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବା ବେଳେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ କିଛି ଆତତାୟୀ । ଏହାପରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ସାରା ଜିଲ୍ଲାରେ । ସ୍ବାମୀଜୀଙ୍କ ହତ୍ୟା ଘଟଣାକୁ ପୁରିଛି ୧୪ ବର୍ଷ । ଆଜି ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନ ଯୁକ୍ତାନନ୍ଦ ପୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ତେବାସୀ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଉତ୍ସବ ପାଳନ ପାଇଁ ଜଲେଶପଟ୍ଟା ଆଶ୍ରମ ପରିସରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆସନ୍ତାକାଲି ସକାଳୁ କଳସ ଯାତ୍ରା, ନାମ ସଂକିର୍ତ୍ତନ ହେବା ସହ ସୂର୍ଯ୍ୟ ପୂଜା , ଗୋ ପୂଜା ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଜନ୍ମାଷ୍ଟମୀ ପାଳନ କରାଯିବ । ସ୍ବାମୀଜୀଙ୍କୁ ସ୍ମରଣ କରି ଆମେ ଆଜିବି ତାଙ୍କ ଚଲାପଥରେ ଚାଲିଛୁ ବୋଲି କହିଛନ୍ତି ଆଶ୍ରମ ମୁଖ୍ୟ । ଅନ୍ୟପଟେ ଏହି ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକା କରାଯାଇ ଗାଡ଼ି ମୋଟର ଯାଞ୍ଚ୍ କରୁଛି ଜିଲ୍ଲା ପୋଲିସ । ତୁମୁଡିବନ୍ଧର ଜଲେଶପଟ୍ଟାରେ ଜଣେ ଡିଏସପି , ତିନିଜଣ କମାଣ୍ଡାଣ୍ଟ , ୯ ଜଣ ଅଫିସର୍ , ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସଙ୍କ ସମେତ ସ୍ଥାନୀୟ ପୋଲିସ ମୁତୟନ ଅଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ ସମସ୍ତ ସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ଏସଡିପିଓ ଜି.ଆର୍.ରେଡ୍ଡୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ।
ଜନ୍ମାଷ୍ଟମୀ ଉତ୍ସବ କୁ ନେଇ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମରେ ପ୍ରସ୍ତୁତି ଜୋରଦାର : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି !!!

