କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର ବହୁ ଚର୍ଚ୍ଚିତ ସାରଥି ଆଶ୍ରାମକୁ ତାଙ୍କ ଭକ୍ତ ଅନୁଗତ ଓ ସମର୍ଥକ ମାନେ ଆଜି ଜୋର ଜବରଦସ୍ତ କବଜା କରି ନେଇଛନ୍ତି । ଭକ୍ତ ଅନୁଗତ ମାନେ ଆଶ୍ରମରେ ପଶି ଆତ୍ମଘୋଷିତ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି । ଫୁଲ ଧୂପ ଦେଇ ବନ୍ଦନା ଗାଇ ଜୟ ଧ୍ୱନି ପକାଇଛନ୍ତି । ଭୋଗ ଅର୍ପଣ କରି ସମର୍ଥକଙ୍କ ମଧ୍ୟରେ ବାଣ୍ଟି ଖାଇଛନ୍ତି , ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ସେମାନେ ଆଶ୍ରମରେ ହୋମ ବି କରିଛନ୍ତି । ଅଥଚ ଅଦାଲତଙ୍କ ପକ୍ଷରୁ ଆଶ୍ରମରେ ପୂଜାର୍ଚ୍ଚନା କୁ ବାରଣ କରାଯାଇଛି , ଏଥିସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଶ୍ରମ ସମ୍ପତ୍ତିକୁ ଦଖଲକୁ ନେଇ ସାରିଥିବାରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ବି ନାହିଁ । ଏହା ସତ୍ତ୍ୱେ ଆଶ୍ରମ ଭିତରକୁ ୪୦ ରୁ ୫୦ ଜଣ ସାରଥି ଭକ୍ତ ଓ ସମର୍ଥକ କେମିତି ପ୍ରବେଶ କଲେ ସେଠି ସାରଥିଙ୍କ ଫଟୋ ରଖି କେମିତି ପୂଜା କଲେ ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ଲୋକ ପ୍ରଶାସନ ଉପରେ ଦୋଷ ଲଦି ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କୁ ସମାଲୋଚନା କରିଛନ୍ତି । ଏହି ଘଟଣାକୁ ନେଇ ଗାଁ ସମେତ ସମଗ୍ର ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।
ବାରିମୂଳ ଆଶ୍ରମକୁ କବ୍ଜା କଲେ ସାରଥି ଭକ୍ତ !!!

