ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସିନେମା ହେଉ କିମ୍ବା ଡକ୍ୟୁମେଣ୍ଟାରୀ , ବର୍ତ୍ତମାନ ବାୟୋପିକ ଖୁବ ଆଦୃତ ହେବାରେ ଲାଗିଛି । ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟକୁ ଏଠାରେ ପ୍ରଦର୍ଶିତ କରାଯାଉଛି । ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିତ୍ଵଙ୍କ ନିଛକ ସତ କଥା ଏଠାରେ ଦେଖାଯାଉଥିବାରୁ ସାଧାରଣ ଦର୍ଶକ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି । ଏହି କ୍ରମରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାତା ଶେଖ୍ ଗୁଲଜାର୍ ହୁସେନ୍ ଖୁବ ଶୀଘ୍ର ଜଣେ ଓଡିଆ ପୁଅର ଜୀବନୀକୁ ନେଇ ‘ ଦି ପେପରମ୍ୟାନ ’ ନାମକ ଏକ ପ୍ରମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି । ସ୍ୱସ୍ତି କିରଣ ପ୍ରଡକସନ୍ସ ବ୍ୟାନର ଓ ଜ୍ୟୋତି ପ୍ରକାଶ ମିଶ୍ର ଙ୍କ ପ୍ରଯୋଜନା ରେ ନିର୍ମିତ ହେବାକୁ ଥିବା ଏହି ପ୍ରମାଣିକ ଚଳଚ୍ଚିତ୍ର ର ସିନେମାଟୋଗ୍ରାଫି ଓ ସହ ନିର୍ଦ୍ଦେଶନାରେ ଅଛନ୍ତି ସୁରଜ ପଟ୍ଟନାୟକ ଓ ମୁଖ୍ୟ ସହଯୋଗୀ ରେ ସମରେନ୍ଦ୍ର ସାହୁ । ନିକଟରେ ଗିନିସ୍ ବୁକ୍ ଅଫ୍ ୱାଲଡ୍ ରେକର୍ଡ଼ରେ ସ୍ଥାନ ପାଇଥିବା ବିଶିଷ୍ଟ ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶଙ୍କ ସଂଗ୍ରହ ଓ ସଂଘର୍ଷକୁ ଏଠାରେ ଉପସ୍ଥାପିତ କରାଯିବ । ଶଶାଙ୍କ ଶେଖର ଦାଶ ୨୦୦୦ ମସିହାରୁ ଖବରକାଗଜ ସଂଗ୍ରହ ଜାରି ରଖିଛନ୍ତି । ସେ ବିଭିନ୍ନ ସଂଘର୍ଷ ଦେଇ ନିଜକୁ ‘ପେପରମ୍ୟାନ ଇଣ୍ଡିଆ’ ଭାବେ ପରିଚିତ କରାଇବା ସହ ଅନେକ ରେକର୍ଡ ଓ ସମ୍ମାନର ଅଧିକାରୀ ହୋଇଛନ୍ତି । ତାଙ୍କ ଖବରକାଗଜ ସଂଗ୍ରହରେ ଅନେକ ଲୋକଙ୍କ ସହଯୋଗ ରହିଥିବାରୁ ସେ ଆଜି ଇଟାଲୀର ରେକର୍ଡକୁ ଅତିକ୍ରମ କରି ଭାରତକୁ ଗିନିସ ରେକର୍ଡ ଆଣି ପାରିଛନ୍ତି । ନିଜର ସଂଗ୍ରହକୁ ସେ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମରେ ନିର୍ମାଣ କରିଥିବା ଦୋଳଗୋବିନ୍ଦ ନ୍ୟୁଜ ପେପର ମ୍ୟୁଜିଅମ ଆଣ୍ଡ ରିସର୍ଚ ସେଣ୍ଟରରେ ସଂଗ୍ରହ କରି ରଖିଛନ୍ତି । ଏଠାରେ ସଂଗ୍ରହ ହୋଇ ପ୍ରଦର୍ଶିତ ହୋଇଥିବା ଖବରକାଗଜ ଆଜି ଅନେକ ସାମ୍ବାଦିକ, ସାମ୍ବାଦିକତା ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରି ପାରୁଛି । ତାଙ୍କ ଉପରେ ନିର୍ମିତ ହେବାକୁ ଯାଉଥିବା ପ୍ରମାଣିକ ଚଳଚ୍ଚିତ୍ର ଆଗାମୀ ଦିନରେ ଏକ ସଂଘର୍ଷର କାହାଣୀକୁ ସାଧାରଣ ଲୋକଙ୍କ ସାମନାକୁ ଆଣିବା ସହ ଖବରକାଗଜର ଗୁରୁତ୍ଵ ଦର୍ଶାଇବ । ସୂଚନାଯୋଗ୍ୟ ଅଧୁନା ଶଶାଙ୍କଙ୍କ ନିକଟରେ ୧୦୦୦୦ ରୁ ଅଧିକ ଖବରକାଗଜ ସଂଗ୍ରହ ହୋଇ ରହିଛି । ଯାହାକି ୫୦୦୦ ରୁ ଅଧିକ ପ୍ରକାର ହୋଇଥିବା ବେଳେ ୧୬୫ ଦେଶର ଓ ୯୭ ଭାଷାର ଅଟେ ।