ଆତ୍ମ ସମର୍ପଣ କରିଥିବା ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଯେଉଁ ହାତରେ ଦିନେ ବନ୍ଧୁକ ଥିଲା ଆଜି ସେ ହାତରେ ମହେନ୍ଦି ଲାଗିଛି । ପୁଲିସ ପାଖରେ ଆତ୍ମ ସମର୍ପଣ କରିଥିବା ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଏହି ଦୁଇ ଝିଅଙ୍କ ବିବାହ କରାଯାଉଛି । ଦୁଇ ଝିଅଙ୍କ ନାମ ହେଲା ସପନିତା ପାଟମାଝି ଓରଫ ନନ୍ଦିନୀ ଏବଂ ଫୁଲବତି ଉଷେଣ୍ଡା ଓରଫ କରୁଣା ସପନିତା । ସପନିତାର ଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁଡ୍ରି ଗ୍ରାମରେ । ସେ ୨୦୧୮ ମସିହାରେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ ଏବଂ ୨୦୧୯ ମସିହାରେ କନ୍ଧମାଳ ଏସ. ପି ଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିଲେ । ସେହିଭଳି ଫୁଲବତିଙ୍କ ଘର ଛତିଶଗଡ ରାଜ୍ୟ କଂକେର ଜିଲ୍ଲା ଗୁମୁଡି ଗ୍ରାମରେ । ସେ ୨୦୦୮ମସିହାରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ ଏବଂ୨୦୨୧ ମସିହାରେ ପୁଲିସ ଡିଜି ଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲେ l ଆତ୍ମ ସମର୍ପଣ କରିବା ପର ଠାରୁ ଉଭୟ କନ୍ଧମାଳ ଜିଲ୍ଲା ପୁଲିସ ହେପାଜତରେ ରହିଥିଲେ । ରବିବାର ଦିନ ଉଭୟଙ୍କ ବାହାଘର ହେଉଛି । ସପନିତାର ବିବାହ ଦାରିଙ୍ଗବାଡିର ବିନୋଦ ନାମକ ଯୁବକ ସହିତ ହେଉଛି ଏବଂ ଫୁଲବତିର ବିବାହ ଜି. ଉଦୟଗିରିର ସ୍ୱପ୍ନେଶ୍ୱର ନାମକ ଯୁବକ ସହିତ ହେଉଛି। ପୁଲିସ ପ୍ରଶାସନ ପକ୍ଷରୁ ବାହାଘରର ସମସ୍ତ ବ୍ୟବସ୍ଥା ହୋଇଛି । ଯେଉଁଥିରେ ପୁଲିସ ପ୍ରଶାସନିକ କର୍ମଚାରୀଙ୍କ ସମେତ ବର ଓ କନ୍ୟା ପକ୍ଷ ସାମିଲ ହୋଇଛନ୍ତି । ନନ୍ଦିନୀ କହିଛନ୍ତି, ସେ ଏସ୍‌ପିଙ୍କ ଝିଅ ହୋଇ ଯାଇଥିଲେ । ଏବେ ତାଙ୍କୁ ଛାଡ଼ି ଶାଶୁ ଘରକୁ ଯିବାକୁ ପଡ଼ୁଛି । ସେ ବାପା ଭଳି ତାଙ୍କୁ ଭଲ ରାସ୍ତାକୁ ଆଣିଥିଲେ । ଏବେ ବାହା ଦେଉଛନ୍ତି। ଏହାକୁ ନେଇ ସେ ଖୁସୀ । ସେପରି ଫୁଲବତି କହିଛନ୍ତି, ସମସ୍ତ ମାଓବାଦୀ ମାନେ ଅସ୍ତ୍ର ଛାଡ଼ି ଭଲ ବାଟକୁ ଆସିଯିବା ଉଚିତ୍ । ଏହା ଦ୍ୱାରା ସେମାନେ ନିଜର ଓ ସମାଜର ଉନ୍ନତିରେ ସାମିଲ ହୋଇପାରିବେ ।

Leave a Reply

Your email address will not be published. Required fields are marked *