ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଥାରେ ଅଛି ନାତି , ସରଗେ ଜାଳିବ ବତୀ l କିନ୍ତୁ ସେଇ ନାତି ଯେ ଅଜା ଆଇଙ୍କ ଜୀବନ ବତୀକୁ ଲିଭାଇବାକୁ ପଛଘୁଞ୍ଚା ଦିଏ ନାହଁ ତାହାର ଏକ ନିଚ୍ଛକ ନମୁନା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ବ୍ଲକ ସ୍ଥିତ ଲେଣ୍ଡୁରା ଭଗବାନପୁର ଗ୍ରାମରେ l ଗତ ଦୁଇ ଦିନ ହେବ ଚର୍ଚ୍ଚାରେ ଥିବା ଡକାୟତି ଓ ହତ୍ୟା ଘଟଣାରେ ଏବେ ଆସିଛି ବଡ଼ ଖୁଲାସା l ପ୍ରଥମ ପର୍ଯାୟର ଅଭିଯୋଗ ମୁତାବକ ଗତ ଗୁରୁବାର ବିଳମ୍ବିତ ରାତ୍ରରେ କିଛି ଦୁର୍ବୁତ୍ତ ହୃଷିକେଶ ମୁଦୁଲିଙ୍କ ଘରେ ପଶି ଡକାୟତି କରିବା ସହ ହୃଷିକେଶ ଓ ତାଙ୍କ ପତ୍ନୀକୁ ମରଣାନ୍ତକ ଆକ୍ରମଣ କରିଥିଲେ l ଘଟଣା ସ୍ଥଳରେ ହୃଷିକେଶଙ୍କର ମୃତ୍ୟୁ ଘଟିଥିବା ବେଳେ ହୃଷିକେଶଙ୍କ ପତ୍ନୀ କନକଳତା ଗୁରୁତର ହୋଇ ପଡ଼ିଥିଲେ l ମାତ୍ର ଅଜା ଆଇଙ୍କ ସହ ଏକା ଘରେ ଶୋଇଥିବା ତାଙ୍କ ନାତି ଓଁକାର ମୁଦୁଲି ସମ୍ପୂର୍ଣ ସୁରକ୍ଷିତ ଥିବା ଦେଖିବାକୁ ମିଳିଥିଲା l

ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ, ସାଲେପୁର ଏସଡ଼ିପିଓ , ଗ୍ରାମାଞ୍ଚଳ ଏସପି ଙ୍କ ସହ ସାଇଣ୍ଟିଫିକ ଟିମ, ଡଗ ସ୍କୁଆର୍ଡ ପହଂଚି ତଦନ୍ତ ଆରମ୍ଭ କରିଥିଲେ l ଏହା ଭିତରେ ପୋଲିସର ସନ୍ଦେହ ଘେରକୁ ଆସି ଯାଇଥିଲା ନାତି ଓଁକାର l ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କାବୁ କରି ନେଇଥିଲା ଓଁକାରକୁ l ଦୀର୍ଘ ସମୟ ଜେରା ପରେ ପୋଲିସ ଆଗରେ ସମସ୍ତ ଘଟଣା ପ୍ରକାଶ କରିବା ସହ ନିଜ ଦୋଷ ସ୍ୱୀକାର କରିଥିଲା l ଏ ନେଇ ସାଲେପୁର ଏସଡ଼ିପିଓ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେବା ସହ ଅଭିଯୁକ୍ତକୁ କୋଟ ଚାଲାଣ କରିଛନ୍ତି l ଅଭିଯୁକ୍ତଙ୍କ ଠାରୁ ସୁନା ଅଳଙ୍କାର, ନଗଦ ଟଙ୍କା ଓ ଦୁଇଟି ମାରଣାସ୍ତ୍ର ଜବତ ହୋଇଛି l

