ରାସ୍ତା କାମକୁ ନେଇ ଜିଲ୍ଲା ପ୍ରଶାସନ କୁ ସ୍ମାରକପତ୍ର ପ୍ରଦାନ କଲା ଗଜପତି ଜିଲ୍ଲା କଂଗ୍ରେସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାସ୍ତା କାମକୁ ନେଇ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସହର ରେ ନିର୍ମାଣ ହୋଇଥିବା ରାସ୍ତା କାମ ନିମ୍ନ ମାନର ବୋଲି ଗଜପତି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛନ୍ତି । ମୁଖ୍ୟତଃ ସହରର ଫରେଷ୍ଟ ଗେଟ ଠାରୁ ଆଦର୍ଶ ଥାନା, ବଜାର ଛକ ଦେଇ ପୁରାତନ କୋର୍ଟ ପର୍ଯ୍ୟନ୍ତ ତୁରନ୍ତ ରାସ୍ତା ନିର୍ମାଣ, ମେଡ଼ିକାଲ ନିକଟରୁ ପୁରୁଣା କୋର୍ଟ ପର୍ଯ୍ୟନ୍ତ ରାସ୍ତା କାମ ନିମ୍ନ ମାନର ହୋଇଥିବାରୁ ଏହାର ଯାଞ୍ଚ କରାଯିବାକୁ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ରାସ୍ତା 5 ବର୍ଷ ପୂର୍ବେ ରାସ୍ତା ଓ କୋଠା ବାଡ଼ି ବିଭାଗ ଦ୍ଵାରା ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ହେଲେ ଏହି କାମ ଆଜି ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ପାରି ନଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ରାସ୍ତା ଶୋଚନୀୟ ହୋଇ ପଡିଥିବା ଦେଖିବାକୁ ମିଳିଛି । ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ଏହି ରାସ୍ତାର ପ୍ରଶସ୍ତିକରଣ ମଧ୍ୟ କରାଯାଇ ନାହିଁ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିନେମାହଲ ଛକ, ରାଜନହର ଛକ ଦେଇ ପୁରୁଣା କୋର୍ଟ ଛକ ରାସ୍ତାର ଅବସ୍ଥା ମଧ୍ୟ ଭଲ ନାହିଁ । ଏହି ରାସ୍ତା ନିର୍ମାଣର 2 ବର୍ଷ ହୋଇଥିବା ବେଳେ ଏହାର ଗୋଡି, ସିମେଣ୍ଟ ଆଦି ବାହାରି ପଡିବା ସହ ଲୁହା ଛଡ଼ ଦେଖା ଯାଉଛି । ଏତଦ୍ ବ୍ୟତୀତ ପୁରୁଣା କୋର୍ଟ ଛକ ଠାରୁ ରାଣୀ ପେଣ୍ଠ। ରାସ୍ତା ମଧ୍ୟ ଖାଲଖମା ହୋଇଥିବାର ଦେଖିବାକୁ ମିଳିଛି । ସହରର ରାସ୍ତା ଘାଟ ନିର୍ମାଣ ତଥା ପ୍ରଶସ୍ତିକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ଏବଂ ମେଡ଼ିକାଲ ନିକଟରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ନିର୍ମାଣ ହୋଇ ଥିବା ରାସ୍ତାର ଯାଞ୍ଚ କରାଯିବାକୁ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ସମୟରେ ଗଜପତି ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା, ଅଭିମନ୍ୟୁ ପଣ୍ଡା, କାର୍ତ୍ତିକ ବେହେରା, ଦଣ୍ଡପାଣି ମହାରଣା, ହରିକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *