ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କେନ୍ଦ୍ରାପଡ଼ା ରାଜନଗର ପରେ ଏବେ ନିଶ୍ଚିନ୍ତକୋଇଲି ସୁକରପଡ଼ାରେ ବଡ଼ ଅଘଟଣ । ଦୁଇ ନାବାଳିକା ପୋଖରୀରେ ବୁଡି ମୃତ । ଦିନ କେଇଟା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା ବଡ ଅଘଟଣ । ଯାହାକି ଥିଲା ଏକ ହୃଦୟ ବିଦାରକ ଘଟଣା , ସାରା ଅଞ୍ଚଳରେ ସୃଷ୍ଟି କରିଥିଲା ଆଲୋଡ଼ନ । ତେବେ ଆଜି ସେହିଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବା ପାଇଁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ଗ୍ରାମ ପଞ୍ଚାୟତର ବନମାଳୀପୁର ଗ୍ରାମରେ ! ଗ୍ରାମର ସତ୍ୟସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ , ବଡ ଝିଅ ଲିପ୍ସିତା ପଣ୍ଡା ସାନ ଝିଅ ଇପ୍ସିତା ପଣ୍ଡା । ଗୋଟିଏ ମା ପେଟର ଦୁଇ ନାବାଳିକା ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ବଡ଼ ଝିଅ ୯ ବର୍ଷର ଓ ସାନ ଝିଅ ୫ ବର୍ଷର । ଆଜି ଦୁଇ ଭଉଣୀ ସକାଳେ ଖେଳୁଥିଲେ । କିଛି ସମୟ ସେମାନଙ୍କୁ ନପାଇବାରୁ ଘର ଲୋକେ ଖୋଜାଖୋଜି କଲେ । ତେବେ କିଛି ସମୟ ପରେ ସେମାନଙ୍କୁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଲା । ପରେ ସେମାନଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଲା ବେଳକୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖେଳୁଥିବା ସମୟରେ ଜଣେ ଭଉଣୀ ବୁଡି ଯାଉଥିବା ଦେଖି ଅନ୍ୟ ଜଣେ ତାକୁ ବଞ୍ଚାଇବାକୁ ଯାଇ ଉଭୟଙ୍କର ଏଭଳି ମୃତ୍ୟ ହୋଇଥିବା ଅନୁମାନ କରାଯାଉଛି ବୋଲି ସମ୍ପର୍କୀୟ କହିଛନ୍ତି । ନିଶ୍ଚିନ୍ତକୋଇଲି ପୋଲିସ ଶବକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଏପରି ଅଘଟଣକୁ ନେଇ ନିଶ୍ଚିନ୍ତକୋଇଲି ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି !
ନିଶ୍ଚିନ୍ତକୋଇଲି ସୁକରପଡ଼ାରେ ବଡ଼ ଅଘଟଣ : ଦୁଇ ନାବାଳିକା ପୋଖରୀରେ ବୁଡି ମୃତ !!!

