ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଗଜପତିରେ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲା ଟାସ୍କ ଫୋର୍ସ- ବାଲ୍ୟବିବାହ ନିରୋଧ, ଜିଲ୍ଲା ଟାସ୍କ ଫୋର୍ସ- ଶିଶୁ ଶ୍ରମିକ ନିରାକରଣ କମିଟିର ବୈଠକ ମିଳିତ ଭାବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗତ କମିଟି ବୈଠକର ଲକ୍ଷ୍ୟ ସାଧନ ଉପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପୁଙ୍ଖାନୁପୁଙ୍ଖ ଭାବେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ତତ୍ ସହତି ଆଗାମୀ ତ୍ରୟମାସିକ (ଜାନୁୟାରୀ ଠାରୁ ମାର୍ଚ୍ଚ 2023) ର କାର୍ଯ୍ୟ ଯୋଜନା ବାବଦରେ ମଧ୍ୟ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଆଜିକାର ସଭାରେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ଭିତରୁ ମୁଖ୍ୟଟି ଥିଲା ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଏବଂ ସହରର ପ୍ରତ୍ୟେକ ୱାର୍ଡ କୁ ବାଲ୍ୟବିବାହ ମୁକ୍ତ ଘୋଷଣା କରିବା। ଏହି ଘୋଷଣାରେ ପ୍ରଥମରୁ ଚତୁର୍ଥ ପର୍ଯ୍ୟାୟରେ 656 ଗୋଟି ଗ୍ରାମ, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ କାଶୀନଗର ପଞ୍ଚାୟତ ସମିତିକୁ ବାଲ୍ୟବିବାହ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଆଜି ଯଥା 5ମ ପର୍ଯ୍ୟାୟ ରେ 594 ଗ୍ରାମକୁ ଜିଲ୍ଲାପାଳ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାରେ ଚିହ୍ନଟ ହୋଇଥଇବା 1619 ଗ୍ରାମ ମଧ୍ୟରୁ ବର୍ତ୍ତମାନେ ସୁଦ୍ଧା 1250 ଗ୍ରାମ କୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରାଯାଇଛି ଓ ଆଗାମୀ January 26th ରେ ଜିଲ୍ଲାକୁ ସପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ବାକିଥିବା ଗ୍ରାମ ଗୁଡ଼ିକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ପ୍ରସ୍ତୁତ କରିବା ସହ ଆବଶ୍ୟକ ପଡ଼ିଲେ ବରିଷ୍ଠ ଅଧିକାରୀ ମାନେ ଯୋଗଦେବାପାଇଁ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ପ୍ରାଶାସନର ମାଲିକାନାରେ SOS ଗ୍ରାମ ଢାଞ୍ଚାରେ ଜିଲ୍ଲାରେ ଏକ ଶିଶୁ ଯତ୍ନ ଅନୁଷ୍ଠାନର ରୂପରେଖ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ବହୁତ ଗୁଡିଏ ଶିଶୁ ଆଇନତଃ ମୁକ୍ତ ନ ହୋଇ ପଡ଼ି ରହିଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏଥିପାଇଁ ବର୍ତ୍ତମାନ ନୁଆରେ କାର୍ଯ୍ୟରେ ଯୋଗ ଦେଇଥିବା ଶିଶୁ ମଙ୍ଗଳ ସମିତିକୁ ଅନୁରୋଧ କରାଯାଇଥିଲା ଯେ ଏଗୁଡିକୁ ପ୍ରାଧାନ୍ୟ ଦେଇ ଶିଶୁମାନେ କିପରି ପୋଷ୍ୟ ସନ୍ତାନ ଭାବେ ତାଙ୍କର ପିତାମାତାକୁ ପାଇବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଆଗାମି ଦିନରେ ଜିଲ୍ଲାକୁ କିପରି ବାଲ୍ୟବିବାହ ମୁକ୍ତ ଏବଂ ଅପହଞ୍ଚ ଅଞ୍ଚଳରେ ଶିଶୁ ସୁରକ୍ଷାର ବାର୍ତ୍ତା କିପରି ପହଞ୍ଚିବ ତାହାରି ଉପରେ ଧ୍ୟାନ ଦେବା ଲାଗି ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ି.ଏସ୍.ପି (ଏଚ୍.ଆର୍.ପି.ସି) ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବୁରୁଦା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମିନତି ଦେଇ, ସମସ୍ତ ବ୍ଲକ୍ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ସମସ୍ତ ଚାଇଲ୍ଡଲାଇନ୍ ର କର୍ମକର୍ତ୍ତା, ଆକ୍ସନ ଏଡ଼୍ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।
ଗଜପତିରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ !!!

