ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ! ଜିଲ୍ଲାକୁ ଶ୍ରେଷ୍ଠ କରି ଗଢି ତୋଳିବାକୁ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଆହ୍ୱାନ ଦେଲେ ଜିଲ୍ଲାପାଳ ! ରାୟଗଡା ଜିଲ୍ଳା ସଦର ମହକୁମାରେ ସରକାରୀ ଜମିର ଅଭାବ ହେତୁ ଅନେକ ଉନ୍ନତି ମୂଳକ କାମ ହୋଇ ପାରୁନଥିଲା । ଜୟପୁର ସୁଗାର କମ୍ପାନୀ ସହ ଦୀର୍ଘ ବର୍ଷର ଆଇନଗତ ଲଢେଇ ପରେ ୫୬୦ ଏକର ଜମି ସରକାର ଖାତାକୁ ଫେରିଆସିଛି । ଜିଲ୍ଳା ପାଇଁ ଏହା ଏକ ସଫଳତା । ଏହି ଫେରିଥିବା ଜମିରେ ବାକି ରହିଥିବା ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିହେବ । ରାୟଗଡା ସହରକୁ ତଥା ଜିଲ୍ଳାକୁ ଏକ ନୂଆ ଦିଶା ତଥା ନିର୍ଦ୍ଦେଶ ଦେଇ ପାରିବା ବୋଲି ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଆୟୋଜିତ ୭୪ ତମ ଜିଲ୍ଳାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରି ଜିଲ୍ଳାବାସୀଙ୍କୁ ଉଦବୋଧନ ଦେଇଥିଲେ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ ।

ରାୟଗଡା ଜିଲ୍ଳାର ବିକାଶ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଶିକ୍ଷା,ସ୍ୱାସ୍ଥ୍ୟ,ଖାଦ୍ୟ,ବାସଗୃହ,ସାମାଜିକ ନ୍ୟାୟ ଆଦି କ୍ଷେତ୍ରରେ ବିଶେଷ ଦୃଷ୍ଟି ରଖି କାର୍ଯ୍ୟ କରୁଛନ୍ତି । ରାଜ୍ୟ ଖାଦ୍ୟ ନିରାପତା ଓ ଆହାର ଯୋଜନାରେ ଅନେକ ଗରୀବ ଲୋକ ଉପକୃତ ହୋଇ ପାରିଛନ୍ତି । କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ସହ ସାମ୍ବାଦିକଙ୍କ ପାଇଁ ବୀମା ଯୋଜନା, ଜନନୀ ସୁରକ୍ଷା ଯୋଜନା, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ୍, କିନ୍ନରଙ୍କ ପାଇଁ ଯୋଜନା ସହ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାର ଗୁରତ୍ୱ ଦେଇଛନ୍ତି ବୋଲି କହିଥିଲେ । ଏଥିସହ ରାୟଗଡାର ଆରାଧ୍ୟ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର ରେଳବାଇ ଜମିରେ ଅବସ୍ଥିତ ଥିବା ବେଳେ ଦୀର୍ଘ ବର୍ଷର ଉଦ୍ୟମ ପରେ ମା’ଙ୍କ ମନ୍ଦିର ପରିସରରେ ଥିିବା ୬.୩୦ଏକର ଜମିକୁ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ରେଳବାଇ ବୋର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ମଧ୍ୟ କହିଥିଲେ । ରାଜସ୍ୱ ସେବାରେ ମଧ୍ୟ ରାୟଗଡା ଜିଲ୍ଳା ରାଜ୍ୟରେ ସୁନାମ ଆଣିପାରିଛି । ଜମିଜମା ରେକର୍ଡ କମ୍ପ୍ୟୁଟରାଇଜେସନ୍ କ୍ଷେତ୍ରରେ ଓଡିଶା ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହି ସଫଳତା ପାଇଁ ନୂଆଦିଲ୍ଳୀ ଠାରେ ରାୟଗଡା ଜିଲ୍ଳାକୁ ମଧ୍ୟ ପୁରସ୍କୃତ କରାଯିବ । ସରକାରଙ୍କ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସରକାରୀ ଅଧିକାରୀଙ୍କ ଦାୟିତ୍ୱ ସହ ସମସ୍ତ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ ତେଣୁ ଆମ ଜିଲ୍ଳାକୁ ଶ୍ରେଷ୍ଠ ଜିଲ୍ଳାରୁ ଶ୍ରେଷ୍ଠତମ ଜିଲ୍ଳାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କରନ୍ତୁ ବୋଲି ଜିଲ୍ଳାପାଳ ଅଭିଭାଷଣ ରଖିଥିଲେ । ଆଜି ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ଜନରାଜ୍ୟ ଦିବସ ପାଳନରେ ଅନୁଷ୍ଠିତ ପ୍ୟାରେଡରେ ୨୫ ଟି ଗୃପ ସାମିଲ ହୋଇଥିବା ବେଳେ ୬ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ । ପ୍ୟାରେଡ଼ ପ୍ରତିଯୋଗିତାରେ ରାୟଗଡ ମହାବିଦ୍ୟାଳୟର ସିନିୟର ଡିଭିଜନ ଉଭୟ ବାଳକ ଓ ବାଳିକା ଆର୍ମି ଉଇଙ୍ଗ, ଜୁନିୟର ଡିଭିଜନ ଏନସିସିରେ ଆର୍ମି ଉଇଙ୍ଗ ବାଳକ, ଜିସିଡି ଉଚ୍ଚବିଦ୍ୟାଳୟ ଓ ଆର୍ମି ଉଇଙ୍ଗ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରାୟଗଡ , ୟୁଥ ରେଡ୍କ୍ରସରେ ରାୟଗଡ ମହାବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କନ୍ଧମାଲିଗାଁ, ଜୁନିଅର ରେଡ୍କ୍ରସରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାୟଗଡ ଏବଂ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର, ରାୟଗଡ, ସେହିପରି ସିଭିଲିଆନରେ ସ୍ୱାମୀ ବିବେକାନନ୍ଦ ଵିଦ୍ୟା ମନ୍ଦିର, ରାୟଗଡ ଏବଂ ଦୀପ୍ତି କନଭେଣ୍ଟ ରାୟଗଡ ଯଥାକ୍ରମେ ପ୍ରଥମ ଓ ଦିତୀୟ ସ୍ଥାନ ହୋଇ ମୁଖ୍ୟ ଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ l ସେହିପରି ପ୍ରସେସନରେ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାୟଗଡ,ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ରାୟଗଡ ଯଥାକ୍ରମେ ପ୍ରଥମ, ଦ୍ଵତୀୟ ଓ ତୃତୀୟ ସ୍ଥାନ ହାସଲ ପୁରସ୍କୃତ ହୋଇଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦ ଵିଦ୍ୟା ମନ୍ଦିର, ବିଜ୍ଞାନ ବିଦ୍ୟାଳୟ, ଅରବିନ୍ଦ ଶିକ୍ଷା କେନ୍ଦ୍ର ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିଲେ ସେହିପରି ଜୁନିଅର ଗୃପ ରେ ବଚପନ ବିଦ୍ୟାଳୟ, ଷ୍ଟେଟ ବ୍ରିଗେଡ଼ ସ୍କୁଲ, ଓ ସେଣ୍ଟ ଜାଭିୟର ଉଚ୍ଚବିଦ୍ୟାଳୟ ପୁରସ୍କୃତ ହୋଇଥିଲେ l ସେହିପରି ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତି ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟକରି ପ୍ରଶଂସନୀୟ ହୋଇପାରିଥିବା ୧୫ ଜଣ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥି ଜିଲ୍ଳାପାଳଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ପରେ ଜିଲ୍ଳାପାଳ ସ୍ଥାନୀୟ ସେବା ସମାଜ ଅନାଥଶ୍ରମ,ସଦର ଚିକିତ୍ସାଳୟ,ଜିଲ୍ଳା କାରାଗାର,ସ୍ୱଧାର ଗୃହ ଓ ବରିଷ୍ଠ ନାଗରିକ ସେବାଗୃହ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ ବଂଟନ କରିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି କାର୍ଯ୍ୟାଳୟ ତରଫରୁ ପ୍ରାତଃ ୫ ଘଣ୍ଟା ସମୟରେ ରାମଧୂନ ପ୍ରଚାର କରାଯାଇଥିଲା ।

