ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ କାଳିଆପାଣି ଗ୍ରାମ ପଞ୍ଚାୟତ ୧ ନମ୍ବର ଓ ୨ ନମ୍ବର ୱାର୍ଡ ଚିରିଗୁଣିଆ ମାଝିସାହି, ଘାଗିଆସାହି ଓ ବିର୍ସା ନଗର ବସ୍ତିର ଶତାଧିକ ଆଦିବାସୀ ପରିବାର ସ୍ଥାନୀୟ ଡିଲର ଦ୍ବାରା ଯୋଜନାବଦ୍ଧ ଭାବେ ଶୋଷଣର ଶିକାର ହୋଇ ଆସିଥିବା ଅଭିଯୋଗ ହୋଇଛି । ପ୍ରତିବାଦ ସ୍ବରୂପ ଆଜି ସକାଳ ଚିରିଗୁଣିଆ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଏକାଠି ହୋଇ ସମସ୍ତେ ଡିଲର ବିରୁଦ୍ଧରେ ପ୍ରତିକ୍ରିୟା ରଖିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ନିରକ୍ଷର, ଅପାଠୁଆ ଓ ଅସହାୟ ପରିବାର ଅଛନ୍ତି । ୩ ମାସ ଧରି ଡିଲର ସଂପୃକ୍ତ ହିତାଧିକାରୀ ମାନଙ୍କୁ ବିଭିନ୍ନ ଉପାୟରେ ଠକି ଆସିଥିବା ଅଭିଯୋଗ ହୋଇଛି । ଚାଉଳ ଆଶାରେ ଯାଉଥିବା ବ୍ୟକ୍ତିଙ୍କ ଠାରୁ ଡିଲର ଓ ତାଙ୍କ ପରିବାର କୌଶଳ କରି ଅଙ୍ଗୁଠି ଛାପ ନେଇଯିବା ସହ ସେମାନଙ୍କ ଖାତାରେ ଦସ୍ତଖତ କରାଇ ନିଆଯାଉଛି । ଅଙ୍ଗୁଠି ଛାପ ପରେ ଚାଉଳ ମାଗିଲା ବେଳକୁ ତୁମେ ଏବେ ଟିପ ଦେଲେ ପରେ ଚାଉଳ ଆସିବ ବୋଲି ଆଶା ଦେଖାଇ ଡିଲର ସେମାନଙ୍କୁ ଫେରାଇ ଦେଇଥିବା ନେଇ ଶ୍ରୀମତି ସୋରେନ, ଦିଗି ସୋରେନ, ସସ୍ମିତା ଟପ୍ନୋ, କାନ୍ଦ୍ରା ହାଁସଦା, ପାର୍ବତୀ ବାସ୍କେ, ବାସନ୍ତୀ ମାଝି, କାର୍ମି ହେମ୍ବ୍ରମ ପ୍ରମୁଖ ମତ ରଖିଥିଲେ । ଧାର୍ଯ୍ୟ ଦିନ ଅନୁପସ୍ଥିତ ରହୁଥିବା ବ୍ୟକ୍ତିକୁ ପରେ ଚାଉଳ ଦିଆଯିବ ବୋଲି କୁହାଯାଇ ପରେ ଆଦୌ ଦିଆ ଯାଉନଥିବା ସଂପର୍କରେ ସ୍ଥାନୀୟ ବାସିନ୍ଦା ବୁଧମଣି ନାଏକ , ସୁକାନ୍ତି ହେମ୍ବ୍ରମ, ସମ୍ବାରି ହାଁସଦା, ରାଜୁ ହେମ୍ବ୍ରମ, ଗୋପି ମାରାଣ୍ଡି, ସୀତା ପୂର୍ତ୍ତି, ଧାନୀ ହାଁସଦା ମନ୍ତବ୍ୟ ରଖିଥିଲେ । ଚାଉଳ ବଦଳରେ ଡିଲର ଓ ତାଙ୍କ ପରିବାର ସଦସ୍ୟ ଅଯଥା ହିତାଧିକାରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା କହନ୍ତି କାପୁରା ବାସ୍କେ, ସୁମି ମାର୍ଣ୍ଡି, ସାଖୀ ମାଝି, ଝାନ ମୁର୍ମୁ, ଜଗନ୍ନାଥ ଚାତାର, ଫୁଲ ଟୁଡ଼ୁ, ରାଇମୁନି ହେମ୍ବ୍ରମ ପ୍ରମୁଖ । ଡିଲର ସେମାନଙ୍କ ଦାନାକୁ ହଡ଼ପ କରି ଆସୁଥିବା ନେଇ ଲୋକଙ୍କ ମୁହଁରୁ ଅଭିଯୋଗର ହୋଇଛି । ମା’ ତାରିଣୀ ଏସ୍ଏଚ୍ଜି ନାଁରେ ଥିବା ଡିଲରସିପକୁ ଏକ ନିର୍ଦ୍ଦିଷ୍ଟ ପରିବାର ନିଜ କବ୍ଜାରେ ରଖି ମାଲାମାଲ୍ ହୋଇ ଆସିଥିବା ନେଇ ଏହି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଆଦିବାସୀ ହୋଇ ଆଦିବାସୀ ମାନଙ୍କୁ ଲୁଟ୍ କରାଯିବା ଠାରୁ ଆଉ ଦୁର୍ଭାଗ୍ୟ କଣ ବୋଲି ୱାର୍ଡମେମ୍ବର ରେବତୀ ମାଝି ଓ ପୂର୍ବତନ ୱାର୍ଡମେମ୍ବର ରୂପାଇ ମାଝି ଓଲଟା ପ୍ରଶ୍ନ କରିଥିଲେ । ଏ ସଂପର୍କରେ ଡିଲର ପ୍ରତିନିଧି ସୁଦର୍ଶନ ମେଲସାଣ୍ଡିଙ୍କୁ ପଚାରିବାରେ ତାଙ୍କ ଠାରୁ ୨୦ କ୍ବିଣ୍ଟାଲ କାଟି ଦିଆ ଯାଇଥିବା ଓ କିଛି ଭୁଲ ହୋଇଥାଇ ପାରେ ବୋଲି କହିଥିଲେ । ଯୋଗାଣ ନିରୀକ୍ଷକ ଦେବାଶିଷ କରଙ୍କୁ ଯୋଗାଯୋଗ କରିବାରେ ସଂପୃକ୍ତ ଡିଲର ବିରୁଦ୍ଧରେ ବହୁ ଲୋକ ବ୍ଲକ ଆସି ତାଙ୍କୁ ଅଭିଯୋଗ କରିଥିବା କହିଥିଲେ । ଯଥାଶୀଘ୍ର ସେ କାଳିଆପାଣି ଯାଇ ଘଟଣାର ତଦନ୍ତକରି ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ।