ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ୧ କୋଟି ୬୯ ଲକ୍ଷ ସହାୟତା ପ୍ରଦାନ !!!

0
207

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସହାୟତା ପ୍ରଦାନ କରାଯାଇଛି । ନିର୍ମାଣ ଶ୍ରମିକ ବୋର୍ଡ଼ ଓ ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ , ମୁକ୍ତା ଯୋଜନା ଉପଦେଷ୍ଟା ଇପସିତା ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈପ୍ଲବିକ ପଦକ୍ଷେପ ପାଇଁ ବହୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ଲାଭବାନ ହୋଇ ପାରୁଥିବା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଏକ ଯୋଜନା, ଯାହା ଦ୍ଵାରା ବହୁ କୁଶଳୀ ଓ ଅଣକୁଶଳୀ ଶ୍ରମିକ ଲାଭବାନ ହୋଇ ପାରୁଛନ୍ତି ବୋଲି ବିଧାୟକ ମତ ପ୍ରକାଶ କରିଥିଲେ। ପ୍ରତ୍ୟେକ ବର୍ଗର ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯିବା ଦ୍ଵାରା ସେମାନଙ୍କ ଜୀବନ ଶୈଳୀ ର ମାନବୃଦ୍ଧି ଘଟିଛି । ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ଲୋକପ୍ରିୟ ଯୋଜନା ବୋଲି ବିଧାୟକ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୧୯୯ ଜଣଙ୍କୁ ୧ କୋଟି ୬୯ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ୧୦୦ ଜଣ ନିର୍ମାଣ ଶ୍ରମିକ ଓ ୧୦୦ ଜଣ ଅଣ-ସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ୬୯ ଜଣଙ୍କୁ ୧ କୋଟି ୩୩ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଥିବା ବେଳେ ୬୩ ଜଣଙ୍କୁ ୩ ଲକ୍ଷ ୧୫ ହଜାର ଅନ୍ତିମ ସଂସ୍କାର ସହାୟତା, ୬୦ ଜଣଙ୍କୁ ୨୬ ଲକ୍ଷ ୭୫ ହଜାର ବିବାହ ସହାୟତା, ଜଣଙ୍କୁ ୧୦ ହଜାର ଟଙ୍କାର ପ୍ରସୂତି ସହାୟତା, ୬ ଜଣ ଅଣ ସଂଗଠିତ ଶ୍ରମିକଙ୍କୁ ୬ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରମ ବିଭାଗ କର୍ମଚାରୀ ଓ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here