ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଫତେଗଡ ଥାନା ଅନ୍ତର୍ଗତ ଭାପୁର ବ୍ଲକ କରବର ପଞ୍ଚାୟତ ନଣ୍ଡାବର ବାଲିସାହି ଗ୍ରାମରେ ଘଟିଲା ଅଭାବନୀୟ ଘଟଣା ! ତିନି ବର୍ଷର ପୁଅ ନିଜ ମାଆ ସାଥିରେ ମହାନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଛି । ଘଟଣାରୁ ପ୍ରକାଶ ଆଜି ସକାଳ ଆଠଟା ସମୟରେ ନଣ୍ଡାବର ଗ୍ରାମ ବାଲିସାହିର ସମୀର ଜେନାଙ୍କ ଏକମାତ୍ର ପୁତ୍ର ସତ୍ୟଜିତ ଜେନା ମହାନଦୀରେ ବୁଡି ମୃତ । ମାଆ ସୁଜାତା ଜେନାଙ୍କ ସହିତ ନିକଟସ୍ଥ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀ ବନ୍ଧ ଉପରେ ପୁଅକୁ ବସାଇ ଦେଇ ସୁଜାତା ଗାଧେଉଥିଲେ । ଏହି ସମୟରେ ସତ୍ୟଜିତ ଖେଳୁଥିବା ସମୟରେ ପଥର ଉପରୁ ଗୋଡ ଖସିଯାଇ ପାଣିରେ ପଡି ଯାଇଥିଲେ । ପୁଅ ପାଣିରେ ବୁଡିଯିବା ଦେଖି ମାଆ ମଧ୍ୟ ଉଦ୍ଧାର କରିବାକୁ ଯାଇ ବୁଡି ଯାଇଥିଲେ । ପାଖରେ ଥିବା ଯୁବକ ମାନେ ଦୈାଡି ଯାଇ ସୁଜାତାକୁ ଉଦ୍ଧାର କରିଥିଲେ । କିଛି ସମୟ ପରେ ସତ୍ୟଜିତକୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ଖବର ପାଇ ଭାପୁର ତହସିଲଦାର ଲଗ୍ନଜିତ ବେହେରା, ଫତେଗଡ ଆରଆଇ ଲକ୍ଷ୍ମୀପ୍ରିୟା ସାହୁ, ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ,କରବର ସମିତି ସଭ୍ୟ ତପନ କୁମାର ମହାପାତ୍ର ପହଞ୍ଚି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହିତ ଶବ ବ୍ୟବଚ୍ଛେଦ ପରେ ଯାହା ସରକାରୀ ସହାୟତା ମିଳିବ ପାରିବ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଫତେଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିଲା । ସତ୍ୟଜିତ ମାଆକୁ ଗାଧୋଇ ଯିବା ପୂର୍ବରୁ କହିଥିଲା ମାଆ ମୋ ପାଇଁ ଦୋଳି କରିଦେବୁ । ହେଲେ ବିଧିର ବିଧାନ ଥିଲା ଅଲଗା ପ୍ରକାରର । ରଜରେ ଦୋଳି ଖେଳିବା ପୂର୍ବରୁ ଏକମାତ୍ର ପୁଅ ପାଣିରେ ବୁଡି ମୃତ । ଏପରି ଦୁଖଦ ଘଟଣାକୁ ନେଇ ନଣ୍ଡାବର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ମାଆ ସାଥିରେ ମହାନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଶିଶୁର ମୃତ୍ୟୁ !!!

