ସର୍ବଶିକ୍ଷା ଜିନ୍ଦାବାଦ : ଖୋଲା ପଡିଆରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଛାତ୍ରଛାତ୍ରୀ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ପ୍ରଥମ ବିଦ୍ୟାଳୟ ଭାବେ ଚାହାଳୀ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫–ଟି ରୂପାନ୍ତରଣରେ ସାମିଲ କରାଯାଇଥିଲା । ବିଦ୍ୟାଳୟର ଭିତିଭୂମିର ପରିବର୍ତନ କରାଯାଇ ଡିଜିଟାଲ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଇ–ଲାଇବ୍ରେରୀ ପର୍ଯ୍ୟନ୍ତ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା । ହେଲେ ବର୍ତମାନ ଏହି ବିଦ୍ୟାଳୟରେ ଶିକ୍ଷକ ଏବଂ ଶ୍ରେଣୀଗୃହ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ସୃଷ୍ଟି ହୋଇଛି । ବର୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୩୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ବେଳେ ଏଥିପାଇଁ ମାତ୍ର ୩ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଏଥି ସହିତ ସେମାନଙ୍କ ପାଠପଢା ପାଇଁ ୬ ଗୋଟି ଶ୍ରେଣୀଗୃହ ରହିଥିବା ବେଳେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ୪ ଗୋଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ୨ ଗୋଟି ଶ୍ରେଣୀରେ ବସି ପାଠ ପଢୁଛନ୍ତି । ନବମ ଏବଂ ଦଶମ ଶ୍ରେଣୀ ପାଇଁ ଖେଳ ଶିକ୍ଷକଙ୍କୁ ମିଶାଇ ୫ ଜଣ ଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ପାଇଁ ପଦବୀ ଖାଲି ପଡିଛି । ବିଦ୍ୟାଳୟର ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଜଣେ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର ବିନା ବେତନରେ ସଂସ୍କୃତ ବିଷୟରେ ଶିକ୍ଷାଦାନ କରୁଛନ୍ତି । ଏଠାରେ ପାନୀୟ ଜଳ ସମସ୍ୟା ଆଉ ଏକ ସମସ୍ୟା ହୋଇଥିବା ବେଳେ ଆବଶ୍ୟକୀୟ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପାନୀୟ ଜଳ ଯୋଗାଣ ହୋଇ ପାରୁନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏହି ବିଦ୍ୟାଳୟରେ ପ୍ରଥମ କରି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନାଳୟ ଗୃହ ହୋଇଥିବା ବେଳେ ତାହା ବର୍ତମାନ ମଧ୍ୟାହ୍ନ ଭୋଜନ କାମରେ ଆସୁନଥିବା ଦେଖିବାକୁ ମିଳିଛି । ୨୦୨୧ ମାର୍ଚ୍ଚ ୧୪ ତାରିଖରେ ଏହି ଗୃହର ଉଦଘାଟନ ହୋଇଥିଲା । ହେଲେ କିଛିଦିନ ପରେ ଏହି ମଧ୍ୟାହ୍ନ ଭୋଜନ ଗୃହକୁ ସୁବର୍ଣ୍ଣ ଜୟନ୍ତୀ ସଭାଗୃହ ଭାବେ ନାମିତ କରାଯାଇଥିଲା । ଏଥିସହିତ ସବୁଠାରୁ ବଡ ଦୁଃଖର ବିଷୟ ଏଠାରେ ମଧ୍ୟାହ୍ନ ଭୋଜନାଳୟ ପାଇଁ ଗୃହ ଥିଲେ ସୁଦ୍ଧା ଛାତ୍ରଛାତ୍ରୀ ମାନେ ଖୋଲା ପଡିଆରେ ଏଣେ ତେଣେ ବସି ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିବାକୁ ମିଳିଛି । ବର୍ତମାନ ମଧ୍ୟାହ୍ନ ଭୋଜନ ଗୃହରେ ଅଫିସ ଗୃହ ଏବଂ ଏକ କ୍ଲାସରୁମ ଚାଲିଛି । ତେବେ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *