ଆବାସ ଯୋଜନାରେ ସାମିଲ ପାଇଁ ଲାଞ୍ଚ ମାଗୁଛନ୍ତି କନିଷ୍ଠ ଯନ୍ତ୍ରୀ !!!

0
236

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଆବାସ ଯୋଜନାରେ ସାମିଲ ପାଇଁ ଲାଞ୍ଚ ମାଗୁଛନ୍ତି କନିଷ୍ଠ ଯନ୍ତ୍ରୀ ! ହାତଗୁଞ୍ଜା ନଦେଲେ ଘର କାଟି ଦେଉଛନ୍ତି ବୋଲି ଅଭିଯୋଗ କଲେ ହିତାଧିକାରୀ ! ଭାପୁର ବ୍ଲକରେ ଯନ୍ତ୍ରୀଙ୍କ ମନମାନି ସୀମା ଟପିଥିବା ବେଳେ ଆବାସ ଯୋଜନାରେ ହାତଗୁଞ୍ଜା ନ ଦେଲେ ଘର କାଟି ଦେଉଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ମିଳିଥିବା ଅଭିଯୋଗ ଅନୁଯାୟୀ ବ୍ଲକ ପ୍ରଶାସନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଆଲୋକ ଶତପଥୀ ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଆବାସ ଯୋଜନା ସର୍ଭେରେ ସାମିଲ ଅଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଯୋଗ୍ୟ ହିତାଧିକାରୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ କରିବା ପରେ ଗତ କିଛି ଦିନ ହେବ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ମାତ୍ର ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଆଲୋକ ଶତପଥୀ ପିଇଓ ଏବଂ ଜିଆରଏସ ଙ୍କ ଜରିଆରେ ହାତଗୁଞ୍ଜ ମାଗୁଛନ୍ତି । ସେହିପରି ଲାଞ୍ଚ ନ ଦେଲେ ଉଦ୍ଦେଶ୍ୟମୂଳକ ଭାବେ ଘର ଗୁଡିକ ବିଭିନ୍ନ ଆଳ ଦେଖାଇ କାଟି ଦିଆଯାଉଛି । ଖାଲି ସେତିକି ନୁହେଁ ସମ୍ପୃକ୍ତ ଯନ୍ତ୍ରୀ ଖୋଲାଖୋଲି ଭାବେ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ପିସି ନ ଦେଲେ ଫାଇଲ ଘୁଂଚୁ ନଥିବା ଅଭିଯୋଗ ହୋଇଛି । ଉକ୍ତ କରିତକର୍ମା ଯନ୍ତ୍ରୀ ଜନ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଭୃକ୍ଷେପ ମଧ୍ୟ କରୁନାହାନ୍ତି । ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ପଞ୍ଚାୟତର ୧୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଭାପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଣଜିତ୍ କୁମାର ମଲ୍ଲିକଙ୍କୁ ଏନେଇ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଆବାସ ଯୋଜନା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ତଦନ୍ତରେ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଟାଳଟୁଳ ନୀତି ତଥା ପକ୍ଷପାତିତା ନୀତି ଯୋଗୁଁ ସେମାନେ ଗୃହ ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରି କି ସେମାନଙ୍କୁ ତିରିଶ ହଜାର ଟଙ୍କା ଲାଞ୍ଚ ମଧ୍ୟ ମାଗିଛନ୍ତି । ଟଙ୍କା ଦେଲେ ଆବାସ ଯୋଜନା ପାଇବ ନହେଲେ ତୁମମାନଙ୍କୁ ଆବାସ ଯୋଜନା ମିଳିବ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି ଯନ୍ତ୍ରୀ । ଏଭଳି କରିତକର୍ମା ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜନ ପ୍ରତିନିଧି ମହଲରେ ଦାବି ହୋଇଛି । ନହେଲେ ଆଗାମୀ ଦିନରେ ବ୍ଲକ୍ ପରିସରରେ ଧାରଣା ଦେବେ ବୋଲି ଅଭିଯୋଗ କରିଥିବା ହିତାଧିକାରୀ ସୂଚନା ଦେଇଛନ୍ତି । ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଣଜିତ୍ କୁମାର ମଲ୍ଲିକଙ୍କୁ ପଚାରିଲେ ସେ ଅଭିଯୋଗ ପାଇଛନ୍ତି ବୋଲି କହିଥିଲେ । ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ ବିଷୟରେ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଏଥିରେ କୌଣସି ସତ୍ୟତା ନାହିଁ ।

LEAVE A REPLY

Please enter your comment!
Please enter your name here