ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ନିଆରା ବାସି ବାହୁଡା ରଥଯାତ୍ରା ମହା ସମାରୋହରେ ପାଳିତ ହୋଇଛି । ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ସମ୍ମାନ ଜଣାଇ ଦୀର୍ଘବର୍ଷ ହେବ ଏହି ପରମ୍ପରା ଚାଲି ଆସିଛି । ପୁରୀର ଜଗନ୍ନାଥ ମନ୍ଦିର ସହିତ ସୁକିନ୍ଦାର ଏକ ଭାବାବେଗର ସମ୍ପର୍କ ରହିଥିବାରୁ ସୁକିନ୍ଦାଗଡରେ ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ବୁଧବାର ଦିନ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିଲା । ପରେ ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଏକ ପଟୁଆରରେ ଆସି ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ରଥ ଥରେ ଗଡା ଯାଇଥିଲା । ଗୁରୁବାର ଦିନ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ରଥ ମନ୍ଦିର ନିକଟରେ ପହଞ୍ଚିଥିଲା । ଏହି ଯାତ୍ରା ର ୭୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ବିଜେପି ନେତା ପ୍ରଦୀପ ବଳସାମନ୍ତ ରଥ ଟଣାରେ ସାମିଲ ହୋଇଥିଲେ । ରଥ ଯାତ୍ରା ପରିଚାଳକ ଦେବୋତ୍ତର ବିଭାଗ ମୁଖ୍ୟ ତଥା ତହସିଲଦାର ଦମୟନ୍ତୀ ସାହୁ , ଅତିରିକ୍ତ ତହସିଲଦାର ସୁଦ୍ଧା ସଙ୍ଗୀତା ସାହୁ , ଆଡ଼ିସିନାଲ ଏସ.ପି କଳିଙ୍ଗନଗର ସିଲଭରୀୟସ୍ ଟପୋ ଏହି ଯାତ୍ରା ସମୟରେ ଉପସ୍ଥିତ ଥିଲେ । ସୁକିନ୍ଦା ଥାନା ଅଧିକାରୀ କାବୁଲି ବାରିକଙ୍କ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ବାହୁଡ଼ା ଯାତ୍ରାରେ ରଥ ଟଣା ସମ୍ପୂର୍ଣ୍ଣ ହୋଇ ଜଗନ୍ନାଥ ମନ୍ଦିର ନିକଟରେ ରଥ ପହଞ୍ଚିଥିବା ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତଙ୍କ ସମାଗମ ପାଇଁ ସୁକିନ୍ଦା ବିଜୁ ଜନତାଦଳ ଓ ରିଜୀୟନ କ୍ରୋମାଇଟ ଖାଦାନ ମଜଦୂର ସଂଘ ପକ୍ଷରୁ ନିଶୁଳ୍କ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ସୁକିନ୍ଦା ଚାରଣ ଶାଖା ପକ୍ଷରୁ ଟଙ୍କ ତୋରାଣି, ଲାୟନ୍ସ କ୍ଲବ କଳିଙ୍ଗନଗର, ମଟର ଚାଳକ ସଂଘ ଓ ସତ୍ୟ ସର୍ବଦା ସଂଗଠନ ପକ୍ଷରୁ ଭକ୍ତ ମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । ଯାତ୍ରାରେ ବସିଥିବା ମିନାବଜାର, ବିଭିନ୍ନ ପ୍ରକାରର ଦୋଳି ଓ ବିଭିନ୍ନ ପ୍ରକାରର ଖାଦ୍ୟ ଦୋକାନ ଯାତ୍ରାକୁ ଆସିଥିବା ଭକ୍ତ ମାନଙ୍କ ମନ ମୋହିଥିଲା ।