ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତ ୧୯ ତାରିଖ ଦିନ ଯାଜପୁର ଜିଲ୍ଲାର ବନ୍ଧମୁଣ୍ଡାସ୍ଥିତ ମଙ୍ଗଳା ମନ୍ଦିରରେ କିଛି ବ୍ୟକ୍ତିଙ୍କର ଆଲୋଚନା ଚାଲିଥିବା ବେଳେ ଉକ୍ତ ଗ୍ରାମର ସଂଗ୍ରାମ କେଶରୀ ମହାନ୍ତିଙ୍କ ନେତୃତ୍ବରେ କିଛି ଗୁଣ୍ଡା ବାହିନୀ ମାନଙ୍କ ଦ୍ଵାରା ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଦେଖିବାକୁ ମିଳିଛି। ଏତଲାକାରୀ ଅଧ୍ୟାପକ ଚିନ୍ମୟ ଦାଶଙ୍କ ଅଭିଯୋଗକୁ ଆଧାରକରି ଜାଣିବାକୁ ମିଳିଛିକି ଉକ୍ତ ଗ୍ରାମରେ ଅବସ୍ଥିତ ଏକ ମହିଳା ମହାବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟିର ସଦସ୍ୟା ଶ୍ରୀମତୀ ସୁମିତ୍ରା ବେଉରିଆ,ସଦସ୍ୟ ବ୍ରହ୍ମାନନ୍ଦ ଦାଶ,ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ସରୋଜିନୀ ରାୟ,କ୍ରୀଡା ଶିକ୍ଷକ ନିଗମାନନ୍ଦ ମିଶ୍ର,ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନସ ଜେନା ଆଦି ଉକ୍ତ ମନ୍ଦିରରେ ବସିଥିବା ବେଳେ ଉକ୍ତ ମହାବିଦ୍ୟାଳୟର କିରାଣୀ ଭାବରେ ଦରମା ଉଠାଣ କରୁଥିବା ଆସାମୀ ସଂଗ୍ରାମ କେଶରୀ ମହାନ୍ତିଙ୍କ ନେତୃତ୍ବରେ ଚତୁର୍ଥଶ୍ରେଣୀ କର୍ମଚାରୀ ସନ୍ତୋଷ ମଲ୍ଲିକ,ସୁଶାନ୍ତ ଜେନା ଓ ଅନ୍ୟ ଚାରିଜଣ ଗୁଣ୍ଡା ବହିନୀଙ୍କ ଜରିଆରେ ଏମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଜଣାଯାଇ ଅଛି। ଅଧ୍ୟାପକ ଦାଶଙ୍କର ଏଫ୍. ଆଈ.ଆରକୁ ଭିତ୍ତିକରି ଯାଜପୁର ପୋଲିସ୍ IPC 1860ର ଧାରା ୨୯୪,୩୪୧,୩୨୩,୫୦୬,୩୪ ହରିଜନ ଆଦିବାସୀ ପ୍ରିଭେନ୍ସନ୍ ଅଫ୍ ଆଟ୍ରୋସିଟି୧୯୮୯ ଆମାଣ୍ଡମେଣ୍ଟ ୨୦୧୫ଧାରା ୩(୧)(ଆର୍),୩(୧)(ଏସ୍),୩(୨) (ଭିଏ) ଅନୁସାରେ କେସ ଦାୟର କରିଛନ୍ତି।ମିଳିଥିବା ତଥ୍ୟ ଅନୁଯାୟୀ ଯାଜପୁର ଜିଲ୍ଲା ବନ୍ଧମୁଣ୍ଡାସ୍ଥିତ ଆଞ୍ଚଳିକ ମହିଳା ମହାବିଦ୍ୟାଳୟର ପ୍ରଥମ ପଦବୀରେ ଥିବା ଅଧ୍ୟାପକ/ଅଧ୍ୟାପିକା ତଥା ଚତୁର୍ଥ ଶ୍ରେଣୀର କର୍ମଚାରୀ ମାନଙ୍କ ସହ ଚଞ୍ଚକତା ସହ ମହାବିଦ୍ୟାଳୟ ପରିଚାଳନା କମିଟିର ଦସ୍ତଖତକୁ ଜାଲିଆତି କରି ରେଜୁଲେସନ ପ୍ରସ୍ତୁତି ସହ ନୂତନ ଅଧ୍ୟାପକ/ଅଧ୍ୟାପିକା ତଥା ଚତୁର୍ଥ ଶ୍ରେଣୀର କର୍ମଚାରୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରି ଜାଲିଆତି ଭାବରେ ଦରମା ଉଠାଣ ସହ ସରକାରଙ୍କର ଦେଢ଼ କୋଟିରୁ ଉର୍ଦ୍ଧ୍ଵ ଟଙ୍କାକୁ ହଡ଼ପ କରାଯାଇଥିବାର ଜାଣିବାକୁ ମିଳିଛି।ଉକ୍ତ ମହିଳା ମହାବିଦ୍ୟାଳୟଟି ୧୯୯୬ ମସିହାରେ ସ୍ଥାପିତ ହେବା ସହ ସଂସ୍ଥା ପଞ୍ଜିକରଣ ଧରା ୨୧/୧୮୬୦ ଅଧିନିୟମ ଅନୁସାରେ ପଞ୍ଜୀକୃତ ହୋଇଥିଲା ଏବଂ ଉକ୍ତ ମହାବିଦ୍ୟାଳୟର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ବିଭିନ୍ନ ମହାବିଦ୍ୟାଳୟର ଆଧ୍ୟାପକ/ ଅଧ୍ୟାପିକା ତଥା ଆଖପାଖ ଅଞ୍ଚଳର ଶିକ୍ଷାବିତ୍ ମାନଙ୍କ ଦ୍ଵାରା କର୍ମଚାରୀ ମାନଙ୍କୁ ଲିଖିତ ଭାବରେ ପରୀକ୍ଷା ଓ ମୌଖିକ ଭାବରେ ସାକ୍ଷାତକାର ନିଆଯାଇ ନିଯୁକ୍ତି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଓଡ଼ିଆ ଅଧ୍ୟାପିକା ଭାବରେ ସରୋଜିନୀ ରାଏ (୧୯୯୬ ମସିହା), ଇଂରାଜୀ ଅଧ୍ୟାପିକା ଭାବରେ ରଶ୍ମିରେଖା ନାୟକ(୧୯୯୬ ମସିହା),ଶିକ୍ଷା ବିଭାଗର ଅଧ୍ୟାପିକା ଭାବରେ ଶ୍ରୀମତୀ କୃଷ୍ଣା କୁମାରୀ (୨୦୦୪ ମସିହା), ଏଡୁକେଶନ ଡେମନଷ୍ଟେଟର ଭାବରେ ଜୟନ୍ତୀ ଦାଶ (୨୦୦୪ ମସିହା), ଅର୍ଥନୀତି ଅଧ୍ୟାପିକା ଭାବରେ ଶ୍ରୀମତୀ ସୁଜାତା ପ୍ରିୟଦର୍ଶିନୀ ଦାଶ (୨୦୧୦), ଇତିହାସ ଅଧ୍ୟାପକ ଭାବରେ ଚିନ୍ମୟ ଦାଶ (୨୦୧୧), ଗ୍ରନ୍ଥାଗାରିକ ଭାବରେ ବାସୁଦେବ ପଣ୍ଡା (୨୦୧୦), କିରାଣୀ ଭାବରେ ନଟବର ଜେନା (୧୯୯୬ ମସିହା), ପିଅନ ଭାବରେ ନିଧିରାମ୍ ଜେନା (୨୦୦୯ ମସିହା), ମାନସ କୁମାର ଜେନା (୨୦୦୪ ମସିହା), ମହିଳା ପିଅନ ଭାବରେ ଜ୍ୟୋସ୍ନାରାଣୀ ଦାଶ (୨୦୦୪ ମସିହା)ରୁ ଅଦ୍ୟାବଧି ମହାବିଦ୍ୟାଳୟରେ କାର୍ଯ୍ୟ କରିଆସୁଥିବା ବେଳେ କିଛି ଖଳ ପ୍ରକୃତିର ବ୍ୟକ୍ତିଙ୍କର କୁଟ ଚକ୍ରାନ୍ତ ଓ ମୋଟା ଅଙ୍କର ଅର୍ଥ କାରବାର ମାଧ୍ୟମରେରେ ୨୦୧୦ ମସିହାରୁ କିଛି ବ୍ୟକ୍ତିଙ୍କୁ ଜାଲ୍ ନିଯୁକ୍ତି ସହ ଗୋଟିଏ ଦିନରେ ଯୋଗଦାନ କରାଯାଇ ସରକାରୀ ସ୍ତରରେ ସେମାନେ ଦରମା ଉଠାଉ ଥିବାର ସୂଚନା ମିଳିଅଛି। ଏଠାରେ ଉଲ୍ଲେଖଯୋଗ୍ୟ ଏହିକି ୧୯୯୬ ମସିହାରୁ ୨୦୧୪ ଅଗଷ୍ଟ ମାସ ପର୍ଯ୍ୟନ୍ତ ପରିଚାଳନା କମିଟିର କୌଣସି ନବୀକରଣ କରାଯାଇ ନ ଥିବା ବେଳେ ଉକ୍ତ ମହାବିଦ୍ୟାଳୟର ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ସ୍ୱର୍ଗତଃ ହରେକୃଷ୍ଣ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ସଭାପତି କାମିନୀ ମହାନ୍ତି ,ସଦସ୍ୟ ଭାବେ ଜ୍ବାଇଁ ଯଦୁମଣି ଧଳ ଆଦି ଗୋଟିଏ ପରିବାରର ବିଭିନ୍ନ ଲୋକଙ୍କର ନାମ ସେଥିରେ ଉଲ୍ଲେଖ ଥିବାର ଦେଖିବାକୁ ମିଳିଛି।ଅପର ପକ୍ଷରେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ସମ୍ପ୍ରତି ଦରମା ପାଉଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଶ୍ରୀମତୀ ଜୁବୁଲି ଦାଶ ଯିଏକି ବନ୍ଧମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବରେ ୨୦୦୭ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିବା ବେଳେ ଉକ୍ତ ମହିଳା ଜଣକ ଚାକିରୀରେ ଥିବା ସମୟରେ ୨୦୦୮ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ନିୟମିତ ଭାବରେ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତ କରିଥିଲେ ଏବଂ ଉକ୍ତ ପାଠ୍ୟକ୍ରମର ଫଳାଫଳ ଘୋଷଣା (୩୧/୦୫/୨୦୧୦) ତାରିଖରେ ହୋଇଥିବା ବେଳେ ଉକ୍ତ ଦିନ ୧୦ ଘଟିକା ସମୟରେ ସେ ମହାବିଦ୍ୟାଳୟ(ଉଚ୍ଚତର ବିଦ୍ୟାଳୟ)ରେ ନିଯୁକ୍ତି ପାଇ ଚାକିରୀରେ ଯୋଗଦାନ କରିଛନ୍ତି। ଦ୍ଵିତୀୟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାନ୍ତି ଯିଏକି ଏକ ମହାବିଦ୍ୟାଳୟରେ +୩ କଳା ପାଠ୍ୟକ୍ରମରେ ରେଗୁଲାର ଶିକ୍ଷା ଗ୍ରହଣ କରୁଥିବା ବେଳେ ୧୯ବର୍ଷ ବୟସରେ ନିଯୁକ୍ତି ଲାଭ କରି ଦରମା ଉଠାଣ କରୁଛନ୍ତି। ଏତଦ୍ ଭିନ୍ନ ଉକ୍ତ ଉଚ୍ଚତରବିଦ୍ୟାଳୟର ବର୍ତ୍ତମାନର ଅଧ୍ୟକ୍ଷା ଶ୍ରୀମତୀ ଜୁବୁଲି ଦାଶଙ୍କ ନେତୃତ୍ବରେ ବିଭିନ୍ନ ପର୍ଯ୍ୟାୟରେ ବିଦ୍ୟାଳୟର ବିକାଶ ନାମରେ ସଂଗ୍ରହ ହେଉଥିବା ଅର୍ଥକୁ ହଡ଼ପ କରାଯାଉଥିବାର ଜନ ସୂତ୍ରରୁ ପ୍ରକାଶ। ଉକ୍ତ ବିଦ୍ୟାଳୟର କର୍ମଚାରୀ ମାନେ ବିଦ୍ୟାଳୟ ନାମରେ ଜାଲ ରେଜୁଲେସନ,ଜାଲ୍ ପଟ୍ଟା ଓ ଜାଲ୍ ପ୍ଲେଜିଂ ମନିର ପ୍ରମାଣପତ୍ର ଦେଖାଇ ସରକାରୀ ଅର୍ଥକୁ ହଡପ କରୁଥିବା ବେଳେ ସମ୍ପ୍ରତି ବିଦ୍ୟାଳୟର ଭିତ୍ତିପ୍ରସ୍ତର ବିକାଶ ଓ ଗୃହ ନିର୍ମାଣ ନିମନ୍ତେ ୪୦ ଲକ୍ଷ୍ୟ ଟଙ୍କାର ବିଲ୍ ପାରିତ ହୋଇଥିବାର ଜଣା ଯାଇଛି ।ଏଠାରେ ସୂଚନାଯୋଗ୍ୟ ଏହିକି ସାମାଜିକ ସଂସ୍ଥା ପଞ୍ଜିକରଣ ଧାରା ୨୧/୧୮୬୦ ଅନୁଯାୟୀ ଗୋଟିଏ ପରିବାରରେ ଦୁଇ ଜଣ ବ୍ୟକ୍ତି ପରିଚାଳନା କମିଟିରେ ରହି ପାରିବେ ନାହିଁ ବୋଲି ଉଲ୍ଲେଖ ଥିବାବେଳେ ଏଠାରେ ସମ୍ପାଦକ ଓ ସଭାପତି ପଦବୀ ସ୍ବାମୀ ସ୍ତ୍ରୀ ବାଣ୍ଟି ନେଇଥିବାର ଦେଖିବାକୁ ମିଳିଛି। ଏଣୁ ଏହାର ବିଧିବଦ୍ଧ ତଦନ୍ତ ଓ ବିହୀତ ପଦକ୍ଷେପ ଗ୍ରହଣ ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।
ଜାଲ କାଗଜରେ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ : ଧରା ପଡ଼ିବା ଭୟରେ ଜାଲି ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ ପ୍ରଥମ ପଦବୀର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ !!!

