ବିଜେଡି ବିଜେପି ଶାସନ କାଳରେ ଗାଁ ଗଣ୍ଡାର ବିକାଶ ହୋଇ ପାରିନାହିଁ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାଜ୍ୟରେ ବି.ଜେ.ଡ଼ି ସରକାର ଓ କେନ୍ଦ୍ରରେ ବି.ଜେ.ପି ସରକାର ଶାସନ କାଳରେ ଗାଁ ଗଣ୍ଡାର ବିକାଶ ହୋଇପାରି ନାହିଁ । ସାଧାରଣ ଲୋକଙ୍କର ହିତସାଧନ ମଧ୍ୟ ହୋଇପାରିନାହିଁ। ପଂଚାୟତ ଠାରୁ ବ୍ଲକ ଅଫିସ ଓ ଡି.ଆର.ଡ଼ି.ଏ ଅଫିସ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତିର ଚେର ମାଡ଼ି ଗଲାଣି । ନୟାଗଡ ବ୍ଲକ ରେ ୧୫% ରୁ ୫୦ % ପି.ସି. କାରବାର ଚାଲିଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବି ତଥା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ। ନୟାଗଡ ଓଡଗାଁ ବ୍ଲକ ରେ ଯନ୍ତ୍ରୀ ମାନଙ୍କୁ ପାଞ୍ଚ ରୁ ଦଶ ବର୍ଷ ଧରି ରଖାଯାଇ କୋଟିକୋଟି ଟଙ୍କା ହରିଲୁଟ ଚାଲିଥିବା ଜିଲ୍ଲା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି । ବଲାଙ୍ଗୀ ପାର୍କ ରେ ବ୍ଲକ ପ୍ରାୟ ଦୁଇକୋଟି ଟଙ୍କା ଖର୍ଚ୍ଚ ହୋଇଥିବା କାଗଜପତ୍ର କରିଛି କିନ୍ତୁ କୌଣସି ସୂଚନା ଫଳକ ଲଗାଯାଇ ନଥିବାରୁ ସ୍ୱଚ୍ଛତା କୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।
ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲଙ୍କ ନେତୃତ୍ୱରେ ଆଜି ଶତାଧିକ କଂଗ୍ରେସ କର୍ମୀ ବ୍ଲକ କାର୍ଯ୍ୟାଳୟ ଭିତରେ ଧସେଇ ପଶି ବିକ୍ଷୋଭ ପ୍ରଦର୍ଶନ କରି ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ୯ଦଫା ଦାବୀ ସମ୍ବଳିତ ସ୍ମାରକପାତ୍ର ପ୍ରଦାନ କରିଥିଲେ । କଂଗ୍ରେସ ନେତା ମାନଙ୍କ ଅଭିଯୋଗ ଅନୁସାରେ ଉଭୟ ସରକାର ଶହ ଶହ କୋଟି ଟଙ୍କାର ବିଜ୍ଞାପନ ଦେଇ ଗାଁ ଗଣ୍ଡା ବିକାଶର ମିଛ ରଙ୍ଗୀନ ଚିତ୍ର ଦେଖାଉଥିିବା ବେଳେ ଗାଁର ଗରୀବ ବାପୁଡ଼ା ମୁହଁ ମାଡ଼ି ପଡ଼ିଛି । ଚାଷୀ ତା’ ଅମଳର ମୂଲ୍ୟପାଉନି । ନୟାଗଡ ର ଯୁବକ ମାନଙ୍କ ହାତକୁ କାମ ନାହିଁ । ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛନ୍ତି । ମା’କୁ ସମ୍ମାନର କଥା କହି ନୟାଗଡ ରେ ନାରୀ ନିର୍ଯ୍ୟାତନା ବଢ଼ିଚାଲିଛି, ନୟାଗଡ କଲେଜ ରେ ଯୌନ କଳେଙ୍କାରୀ ବଢ଼ିବଢ଼ି ଚାଲିଛି । ଦଳିତମାନେ ନ୍ୟାଯ୍ୟ ସୁବିଧାରୁ ବଂଚିତ ଓ ଉପେକ୍ଷିତ । ପଛୁଆବର୍ଗ, ଜନଜାତି ସମୁଦାୟଙ୍କ ପାଖରେ ବିକାଶ ଏବେ ବି ଅପହଂଚ । ସବୁଠାରୁ ବଡ଼ ପ୍ରଣିଧାନ ଯୋଗ୍ୟ କଥା ହେଉଛି ଭାଜପା ଶାସିତ ରାଜ୍ୟ ମଣିପୁରରେ ହୋଇଥିବା ନାରୀ ନିର୍ଯ୍ୟାତନା ଓ ଗଣଧର୍ଷଣ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ଅର୍ଥାତ ଭାରତୀୟ ଜନତାପାର୍ଟି କୁ ସମର୍ଥନ କରି ରାଜ୍ୟ ବିଜେଡ଼ି ସରକାର ନିଜର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି । ଉପା କଂଗ୍ରେସ ସରକାର ଅମଳରେ କାର୍ଯ୍ୟକାରୀ କରାଯାଇଥିବା ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଦି ଯୋଜନାର ନାମ ବଦଳାଇ ବି.ଜେ.ପି କେନ୍ଦ୍ର ସରକାର ବାହାଦୁରୀ ନେବାର ଭେଳିକି କରିଛନ୍ତି । ପଂଚାୟତ ସ୍ତରରେ ଲୋକଙ୍କ ହାତକୁ କାମ ଦେବା ସହ ରାସ୍ତାଘାଟ, ପୋଖରୀ ଆଦି ବିକାଶ ମୂଳକ ଯୋଜନା ପାଇ ସେତେବେଳେ କାର୍ଯ୍ୟକାରୀ କରାଯାଉଥିବା ବିକାଶମୂଳକ ଯୋଜନାକୁ ସଙ୍କୁଚିତ କରି ଦିଆଯାଇଛି ।କଂଗ୍ରେସ ସରକାର ଆରମ୍ଭ କରି କାର୍ଯ୍ୟକାରୀ କରି ଆସୁଥିବା ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାର ନାମ କେନ୍ଦ୍ର ସରକାର ବଦଳାଇବା ଏବଂ ରାଜ୍ୟ ସରକାର ତାକୁ ରାଜ୍ୟ ପେନସନ ଯୋଜନା ଭାବରେ କାର୍ଯ୍ୟକରିବା ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି । ବ୍ଳକ ଅଫିସ ପାଲଟିଛି ଦୁର୍ନୀତିର ଭ୍ରଷ୍ଟାଚାରୀଙ୍କ ଗନ୍ତାଘର, ଦଲାଲ ମାନଙ୍କର ଆଡ୍ଡାସ୍ଥଳୀ। ସରକାରୀ ଅଫିସରମାନେ ଦଲାଲ ମାନଙ୍କ ସହ ସଲାସୁତୁରା କରି ସରକାରୀ ଅର୍ଥ ହରିଲୁଟ କରାଜାଉଛି । ଯୋଗ୍ୟ ହିତାଧିକାରୀ ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଂଚିତ ହେଉଛନ୍ତି । ତହସିଲ, ଆର.ଡ଼ି., ଜଳସେଚନ ଠାରୁ ଆରମ୍ଭ କରି କୃଷି ଆଦି ସମସ୍ତ ସରକାରୀ କାର୍ଯ୍ୟାଳୟ ଦୁର୍ନୀତି ରେ ବୁଡିକି ରହିଛି। ପୁଲିସଥାନା ଦଳୀୟ ଧାରାରେ ଚାଲିଛି । ନିରୀହ ଲୋକଙ୍କ ଉପରେ ପୋଲିସ ଜୁଲମ୍ ବଢ଼ିଚାଲିଛି । ସ୍କୁଲରେ ଶିକ୍ଷକ ନାହାନ୍ତି ,ଡାକ୍ତରଖାନାରେ ଡାକ୍ତର ନାହାନ୍ତି । କୋଟି କୋଟି ଟଙ୍କାରେ ତିଆରି ବାହାରକୁ ଚିକ୍ ଚିକ ଦେଖାଯାଉଥିକବା ୫-ଟି ସ୍କୁଲର ଛାତ କାନ୍ଥ ଭୁଷୁଡ଼ି ପଡୁଛି । ଗରୀବ ଚାଷୀଟିଏ ରୋଗିଣୀ ସ୍ତ୍ରୀ ଚିକିତ୍ସା ପାଇଁ, ଝିଅ ବାହା ପାଇଁ, ପୁଅ ପାଠ ପଢ଼ା ପାଇଁ ଋଣ ପାଇବା ତ ଦୂରର କଥା ଫସଲରରେ ଖଟାଇବା ପାଇଁ ମଧ୍ୟ ତାକୁ ଋଣ ମିଳୁ ନାହିଁ । ଚାଷୀକୁ ସମବାୟ ଋଣ ଠିକ୍ ସମୟରେ ମିଳୁନି । ଫସଲ ଉଜୁଡ଼ି ଗଲେ ବି ଚାଷୀକୁ ଫସଲବୀମା ମିଳୁନାହିଁ । ଏଣେ ସମବାୟ ଅନୁଷ୍ଠାନ ସମ୍ପୂର୍ଣ୍ଣ ପେପର ଟ୍ରାଞ୍ଜାକ୍‌ସନ୍ ରେ ଚାଲିଛି । ଓଡ଼ିଶା ବିଧାନ ସଭାରେ ସରକାରୀ ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କିରିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଇଥିଲେ ମଧ୍ୟ ନା କେନ୍ଦ୍ର ସରକାର ଏହାକୁ ବଢ଼ାଉଛନ୍ତି ନା ରାଜ୍ୟ ସରକାର ବୋନସ୍ ଆକାରରେ ବଢ଼ାଉଛନ୍ତି । କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଚାଷୀମାନଙ୍କୁ ଏମ୍.ଏସ୍.ପି ମୂଲ୍ୟ ବୃଦ୍ଧି କରି ନିଜସ୍ଵ ତହବିଲରୁ ଭରଣା କରୁଛନ୍ତି । ଧାନ କିଣିବା ସମୟରେ ୧୦/୧୫ କେଜି କଟନୀ ଛଟନୀ ବନ୍ଦ କରାଯାଉ । ରାଜ୍ୟ ର ସମସ୍ତ ୩୧୪ ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯାଉ । ୧୯୯୫ ମସିହାରେ କଂଗ୍ରେସ ସରକାର ଆସିବା ବେଳକୁ ବିଜୁଳି ଅବସ୍ଥା ବେହାଲ ଥିଲା । ତାକୁ ସୁଧାରିବା ପାଇଁ ବିଜୁଳି ସଂସ୍କାର ଓଡ଼ିଶାରେ ଲାଗୁ ହେଲା । ବିଜୁଳି କାଟ ବନ୍ଦ ହେଲା । କିନ୍ତୁ ଏବେ ବିଜୁଳି କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଥିବା ଓଡ଼ିଶାରେ ବିଜୁଳି ବିଭ୍ରାଟ ସହ ସମସ୍ତ ବିଜୁଳି ବ୍ୟବସ୍ଥାରେ ବିପର୍ଯ୍ୟୟ ଆଡ଼କୁ ଗତି କରିଛି ।ଟାଟା କମ୍ପାନୀ ହାତରେ ବିଜୁଳି ଆଲୁଅ ଯୋଗାଣ ଟାଟା ବଟିକା ଖାଇ ଓଡ଼ିଶା ସରକାର ନିଘୋଡ଼ ନିଦରେ ଶୋଇଥିବାବେଳେ ଗାଁ ଗଣ୍ଡାରେ ୟୁନିଟ୍ ପିଛା ଅଧ୍ବକ ଦେୟ ଦେଇ ବିଜୁଳି କିଣୁଥିବା ଉପଭୋକ୍ତା ଅନ୍ଧାରରେ ଛଟପଟ ହେଉଛି । ବେକାରୀ ଯବୁକ ମାନଙ୍କୁ ଚାକିରୀ ନାହିଁ ଅଥଚ ମୁଖ୍ୟମନ୍ତ୍ରୀ, ଅଫିସପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ବ୍ଲକ କାର୍ଯ୍ୟାଳୟ ରେ ଅବସର ଲୋକଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି । ଓଡ଼ିଶାରେ ମା’ ପେଟରୁ ଜନ୍ମ ନେଉଥିବା କଅଁଳା ପିଲାଟିର ମୁଣ୍ଡ ଉପରେ ସରକାରୀ ଋଚ୍ଚର ବୋଝ ୨୨୦୦୦ ଟଙ୍କାରୁ ଉର୍ଦ୍ଧ୍ବଋଣବୋଝ, କଂଗ୍ରେସ ଉପା ସରକାର ଚାଷୀମାନଙ୍କର ୭୨ ହଜାର କୋଟି ଟଙ୍କା ଛାଡ଼ କରିଥିବାବେଳେ ବି.ଜେ.ପି କେନ୍ଦ୍ର ସରକାର ଗରୀବ ଲୋକଙ୍କ ଟିକସରୁ ଋଣ ନେଇଥିବା ବଡ଼ବଡ଼ ପୁଞ୍ଜିପତି ମାନଙ୍କୁ ଋଣ ଛାଡ଼ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ଘର ବଜାର ଉପରେ ଲଗାମ ନାହିଁ । ମହଙ୍ଗାମାଡ଼ରେ ଦରମଲା ହେଲେଣି ସାଧାରଣ ଜନତା କିନ୍ତୁ ସରକାରଙ୍କର ଦରଦ ନାହିଁ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ହୁସେନ ଖାଁ, ମନୋଜ ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଯଶୋଦା କାଣ୍ଡି, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ସେବା ଦଳ ଜିଲ୍ଲା ସଂଯୋଜକ ବିମଳ ଦାଶ, ପୂର୍ଣ୍ଣଚନ୍ଦ୍ର ସାନ୍ତ ପ୍ରମୁଖ ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *