ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା କଣ୍ଟିଲୋ ର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ବାଣପୁର, କଣ୍ଟିଲୋ, ପଦ୍ମାବତୀ ଓ ଆଖପାଖ ଅଞ୍ଚଳରେ ଅମଳ ହେଉଥିବା ଏହି ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ ବାଇଗଣକୁ ମିଳିଲା ଭୌଗୋଳିକ ପରିଚୟ । ଏହି ବାଇଗଣଟି ଅନ୍ୟାନ୍ୟ ବାଇଗଣ ଠାରୁ ସ୍ବତନ୍ତ୍ର । ଏହି ବାଇଗଣ ଗଛର ଫଳ, କାଣ୍ଡ ଏବଂ ପତ୍ରରେ କଣ୍ଟା ଭରି ରହିଥାଏ । ପ୍ରତ୍ୟେକ ବାଇଗଣର ଓଜନ ୨୫ ରୁ ୫୦ ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣ ଗଛ ଲଗେଇବାର ୩୦ ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ । ଏହାର ସ୍ବାଦ ର ସ୍ବତନ୍ତ୍ରତା ରହିଛି । ଏହି ବାଇଗଣର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ରହିଛି । ଜିଆଇ ଟ୍ୟାଗ ମିଳିବା ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।


