ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୂଆଗାଁରେ ଭାଷଣରେ ସୀମିତ ହୋଇ ରହିଛି ବିକାଶ , ନେତାଙ୍କ ପ୍ରତିଶୃତି ହେଲାଣି ବାଟବଣା ! ଜୀବିକା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ସାଧାରଣ ଲୋକେ ! ଆଗକୁ ସାଧାରଣ ନିର୍ବାଚନ ଆସୁଛି । ନେତାମାନେ ଗାଁଗାଁରେ ବିକାଶ ପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପାଳନ କରିବାରେ ବିଫଳ ହୋଇଛନ୍ତି । ଏଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସୋରଡ଼ା ଗ୍ରାମପଞ୍ଚାୟତ ଦେଇ ଯାଇଥିବା ବେଲପା ନାଳ ଉପରେ ପୋଲ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି କ୍ଷେତ୍ରରେ । ଏଠାରେ ଫଳକ ଲଗାଇ ଲୋକଙ୍କୁ ଯେଉଁ ବିକାଶର ରଙ୍ଗୀନ ସ୍ବପ୍ନ ଦେଖାଇ ନେତା ମାନେ ଚାଲି ଯାଇଥିଲେ ତାହା ବାସ୍ତବରେ ପୂରଣ ହେଲାଣି କି ନାହିଁ ତାହା ଦେଖିବା ପାଇଁ ସେମାନଙ୍କର ଦିନକ ପାଇଁ ପାଦ ମଧ୍ୟ ପଡ଼ିନାହିଁ କି ମନରେ ସାହସ ଜୁଟାଇ ପାରୁନାହାନ୍ତି ତାହା ବୁଝା ପଡୁନାହିଁ । ଏଠାରେ ପୋଲ କାମ ହେବା ତ ଦୂରର କଥା ରାସ୍ତା କାମ ମଧ୍ୟ ହୋଇ ପାରୁନାହିଁ । ଏ ମଧ୍ୟରେ ଏହି କାର୍ଯ୍ୟର ଅବଧି ପ୍ରାୟ ଏକ ବର୍ଷ ହେଲା ଶେଷ ହୋଇ ସାରିଥିବା ବେଳେ କାମ କେବେ ଶେଷ ହେବ ସେ ବାବଦରେ ବିଭାଗୀୟ ଯନ୍ତ୍ରୀଙ୍କ ପାଖରେ ବି ଉତ୍ତର ନାହିଁ ! ଫଳରେ ପ୍ରତିଦିନ ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂଆଗାଁ ବ୍ଲକ୍ ସୋରଡ଼ା ପଞ୍ଚାୟତର ଜଗନ୍ନାଥ ପ୍ରସାଦଠାରେ ଏକମାତ୍ର ହାଇସ୍କୁଲ, କଲେଜ ଏବଂ ମେଡିକାଲ ରହିଥିବା ବେଳେ ଏଠାରେ ଅନେକ ଗ୍ରାମର ଜନସାଧାରଣ ଏବଂ ଛାତ୍ରଛାତ୍ରୀ ବେଲପା ନାଳ ପାର ହୋଇ ପ୍ରତିଦିନ ବିଦ୍ୟାଳୟ, କଲେଜ ଏବଂ ମେଡିକାଲକୁ ଯାଉଛନ୍ତି ଏବଂ ସମସ୍ତେ ଏହି ପୋଲ ଉପରେ ନିର୍ଭର କରୁଛନ୍ତି । ଏଠାରେ ପୋଲ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଥିବା ହେତୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଥିଲେ ମଧ୍ୟ ସେତେବେଳେ ଦିଆ ଯାଇଥିବା ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ । ପୋଲ ତିଆରି ହେଉଥିବାରୁ ଲୋକମାନଙ୍କ ଯାତାୟାତ ପାଇଁ ଠିକାଦାର କେତେବେଳେ ଡାଇଭର୍ସନ ରାସ୍ତା ନିର୍ମାଣ କରୁଛି ତ ଆଉ କେତେବେଳେ ପ୍ଲେଟ୍ ପକାଇ ଦେଇ ଚୁପ୍ ହୋଇ ବସିପଡୁଛି । ଇତିମଧ୍ୟରେ ଡାଇଭର୍ସନ ରାସ୍ତା ପାଖାପାଖି ୫ ଥର ଭୁଶୁଡ଼ି ପଡ଼ିଥିବା ନଜରକୁ ଆସିଛି । ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ କେତେଥର ଯେ ଅବଧି ତାରିଖ ଦିଆଗଲାଣି ତାହା ନ କହିବା ଭଲ ହେବ । ଜିଲ୍ଲାପାଳଙ୍କୁ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବର୍ତ୍ତମାନ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ଯାତାୟାତ ନିମନ୍ତେ କାଠ ଏବଂ ଲୁହାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଏଥିରେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି । ହେଲେ ଅସ୍ଥାୟୀ ପୋଲ ନିର୍ମାଣ ପୂର୍ବରୁ ଏହାକୁ ଲୁହାରେ ତିଆରି କରିବା ପାଇଁ ଠିକାସଂସ୍ଥା ଏବଂ ବିଭାଗୀୟ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେମାନେ ନିଜକୁ ସୁହାଇଲା ଭଳି କିଛି ସ୍ଥାନରେ କାଠ ଦ୍ବାରା କାମ ଚଲାଇ ଦେଇଛନ୍ତି । ଏହା ଉପର ଦେଇ ଯାତାୟାତ ସମୟରେ କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବ ନାହିଁ । ଏପରି ସ୍ଥଳେ ପୋଲ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାହା ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି ।
ନୂଆଗାଁରେ ଭାଷଣରେ ସୀମିତ ହୋଇ ରହିଛି ବିକାଶ : ନେତାଙ୍କ ପ୍ରତିଶୃତି ହେଲାଣି ବାଟବଣା !!!

