ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଗତ ବର୍ଷର କାର୍ତ୍ତିକ ପୂର୍ଣ୍ଣିମା ମୁରୁଜ ଓ ମାର୍ଗଶିର ମାସର ଗୁରୁବାର ସେର ଝୋଟି ପ୍ରତିଯୋଗିତାର ବିପୁଳ ସଫଳତା ପରେ ଚଳିତ ବର୍ଷ ଆନ୍ତର୍ଜାତିକ ଅନଲାଇନ୍ ଫୁଲଘର ପ୍ରତିଯୋଗିତା ନିମନ୍ତେ ଆଗ୍ରହୀ ପ୍ରତିଯୋଗୀ ମାନଙ୍କ ଠାରୁ ସେମାନଙ୍କ କଳାକୃତିକୁ ପ୍ରେରଣ ନିମନ୍ତେ ଆହ୍ବାନ କରାଯାଇଛି । ଦୁର୍ଗା ପୂଜା ପରେ ଆଗକୁ ଆସୁଛି କୁମାର ପୂର୍ଣ୍ଣିମା । ଚଉରା ପାଖରେ କଇଁ ଓ ଅନ୍ୟାନ୍ୟ ଫୁଲରେ କୁଆଁରୀ ଝିଅ ମାନେ କେତେ ରଙ୍ଗ ବେରଙ୍ଗର ଫୁଲ ଘର ସଜେଇବେ । ପିଲା ମାନଙ୍କର ଏହି ସବୁ କଳାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ସହ ସେମାନଙ୍କୁ ସ୍ଵୀକୃତି ପ୍ରଦାନ କରି ଉତ୍ସାହିତ କରିବା ନିମନ୍ତେ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ” ଅନଲାଇନ୍ ଫୁଲଘର ପ୍ରତିଯୋଗିତା ” ଆୟୋଜନ କରାଯାଇଛି । ଇଛୁକ ପ୍ରତିଯୋଗୀ ମାନେ ତୁଳସୀ ଚଉରା ପାଖରେ ସେମାନଙ୍କ ଫୁଲ ଘର ତିଆରି କରୁଥିବା ସମୟର ଭିଡ଼ିଓ ଓ ପୂର୍ଣ୍ଣାଙ୍ଗ ସମୟର ଚିତ୍ର ସହ ଚିତ୍ରକାରଙ୍କ ଫଟୋ ସଂଗଠନର ହ୍ବାଟସପ୍ ନମ୍ବରକୁ ପଠାଇବା ସହ ସେମାନଙ୍କର ନାମ, ସମ୍ପୂର୍ଣ୍ଣ ଠିକଣା, ବୟସ ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ । ଉକ୍ତ କଳାକୃତି ଗୁଡିକୁ ବିଭିନ୍ନ ଦେଶର ଦକ୍ଷ ଚିତ୍ରକର ମାନଙ୍କ ଦ୍ଵାରା ମୂଲ୍ୟାଙ୍କନ କରାଯାଇ ଶ୍ରେଷ୍ଠ ଦଶ ଜଣ ପ୍ରତିଯୋଗୀଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପ୍ରମାଣପତ୍ର ପ୍ରଦାନ ସହ ସମ୍ମାନୀତ କରାଯିବ । ଏହି କାର୍ଯ୍ୟକ୍ରମରେ ବାହାର ରାଜ୍ୟ ଓ ବିଦେଶରେ ରହୁଥିବା ଓଡ଼ିଆଣୀ ମାନେ ମଧ୍ୟ ଭାଗ ନେଇ ପାରିବେ ବୋଲି ସଂଗଠନ ତରଫରୁ ସୂଚନା ଦିଆଯାଇଛି !