ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମଙ୍ଗଳପୁର ଟମକା ରାସ୍ତାର ମଠଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ବାଇକ ଆରୋହୀର ମୃତ୍ୟୁ ଘଟିଥିବା ଜଣାପଡିଛି । ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମ କୈଳାସ ବାରିକଙ୍କ ପୁଅ ବିଷ୍ଣୁ ବାରିକ ସନ୍ଧ୍ୟାରେ ଏକ ବାଇକରେ ପୁଅ ସତ୍ୟ ପ୍ରକାଶ କୁ ନେଇ ଯାଉଥିବା ସମୟରେ ମଠ ଛକ ନିକଟରେ ଏକ କ୍ରୋମାଇଟ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଟ୍ରକ ତାଙ୍କ ଆଡ଼କୁ ମାଡ଼ି ଆସୁଥିବା ଦେଖି ବିଷ୍ଣୁ ତାଙ୍କ ପୁଅକୁ ଗାଡିରୁ ଠେଲି ଦେବା ଫଳରେ ପୁଅର ଜୀବନ ବଞ୍ଚି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଦୁର୍ଭାଗ୍ୟବଶତଃ ବାଇକ ଆରୋହୀ ବିଷ୍ଣୁର ଟ୍ରକ ଦୁର୍ଘଟଣାରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସୁକିନ୍ଦା ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତେଜିତ ଲୋକ ମାନଙ୍କୁ ବୁଝାସୁଝା କରିବା ସହିତ ଟ୍ରକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆହତ ସତ୍ୟପ୍ରକାଶକୁ ସ୍ଥାନୀୟ ଲୋକେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ଜାରି ରହିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ମଠଛକ ପାଖ ମୁଖ୍ୟ ରାସ୍ତାରେ ଟ୍ରକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ !!!

