ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗରିବ ଅସହାୟ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି l ବାସ୍ତବରେ କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା l ଆଜିବି ଜମି ପଟ୍ଟା ଖଣ୍ଡେ ନ ଥିବାରୁ ବାର୍ଦ୍ଧକ୍ୟ ସମୟରେ ଭଙ୍ଗା କୁଡ଼ିଆ ଭିତରେ ଗୋରୁ ସହ ଜୀବନ ବିତାଉଛି ବୃଦ୍ଧ ଦମ୍ପତି l ସରକାର ଜାଗା ମିଶନ ନାଁ ରେ ଅନେକ ଲୋକ ଙ୍କୁ ଜମି ପଟ୍ଟା ପ୍ରଦାନ କରୁଛନ୍ତି ସରକାର । ହେଲେ ସରକାର ଙ୍କ ଏହି ଯୋଜନା ରୁ ବଞ୍ଚିତ ହୋଇଛନ୍ତି ଏହି ବୃଦ୍ଧ ଦମ୍ପତି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ ଗୌରପୁର ପଞ୍ଚାୟତ ର ଇଚ୍ଛାପୁର ଗାଁ ରେ ।

ସ୍ୱାମୀ ନିରଂଜନ ଜେନା , ସ୍ତ୍ରୀ ଦୁଃଖୀନି ଜେନା । ସ୍ୱାମୀ ଙ୍କ ବୟସ ୭୦ ଓ ସ୍ତ୍ରୀ ଙ୍କ ବୟସ ୬୫ ହେବ। ଉଭୟ ଦମ୍ପତି ଦୁଇ ଗାଈ ଙ୍କ ସହିତ ଏ ଝାଟିମାଟି ରେ ଗଢ଼ା ଭଙ୍ଗା କୁଡ଼ିଆ ରେ ଅତି ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି। ଦେଖନ୍ତୁ ସେମାନେ ରହୁଥିବା ଘର l ଫାଳେ ଗୁହାଳ ଫାଳେ ଘର , ଗୋଟେ ପଟେ ଗାଈ ଗୋଟେ ପଟେ ବୃଦ୍ଧ ଦମ୍ପତି। ଘର ଉପରେ ପଡିଛି ଜରିପାଲ. ସେ ପୁଣି କୌଣସି ବଦାନ୍ୟ ବ୍ୟକ୍ତି ଙ୍କ ଦୟାରୁ। ଆଉ ଚାରିପଟେ ଟଙ୍ଗା ଯାଇଛି ଛିଣ୍ଡା ଅଖା। ତାଙ୍କର କେହି ପୁଅ ଝିଅ ନାହାନ୍ତି ସତ କିନ୍ତୁ ଦୁଇ ଗାଈ ଙ୍କୁ ସେ ନିଜ ପୁଅଝିଅ ଙ୍କ ଭଳି ସ୍ନେହ ଶ୍ରଦ୍ଧା ର ସହିତ ପାଳୁଛନ୍ତି। କେହି କେହି ତାଙ୍କୁ କହୁଛନ୍ତି ତୁମେ ଏ ଘର ଛାଡ଼ି ବୃଦ୍ଧାଶ୍ରମ କୁ ଚାଲିଯାଅ। କିନ୍ତୁ ସେ ଗାଈ ଙ୍କୁ ଛାଡି ଯିବାକୁ ନାରାଜ।କହୁଛନ୍ତି ବଞ୍ଚିବି ତ ଏଇଠି ମରିବି ତ ଏଇଠି . ଏମାନଙ୍କୁ ଛାଡି ଆମେ କୁଆଡେ ଯିବୁନି ବୋଲି କହନ୍ତି ନିରଞ୍ଜନ ଙ୍କ ସ୍ତ୍ରୀ ଦୁଃଖିନୀ। ନିରଞ୍ଜନ ଙ୍କ ର ସ୍ୱାସ୍ଥ୍ୟବସ୍ତା ଭଲ ନାହିଁ , ଠେଙ୍ଗା ଧରି ଦୁଃଖୀନି ଙ୍କ ଆଶ୍ରା ରେ ସେ ଧୀରେ ଧୀରେ ଚାଲୁଛନ୍ତି। ଏବେ ନିଜ ରୋଗାଗ୍ରସ୍ତ ବୃଦ୍ଧା ସ୍ୱାମୀ ଙ୍କ ସେବା ଶୁଶ୍ରୁଷା କରିବା ସହ ଦୁଇ ଗାଈ ଙ୍କ ଯତ୍ନ ନେବା ଭଳି ସବୁ କାମ ନିଜେ ବୃଦ୍ଧା ଦୁଃଖିନୀ ହିଁ କରୁଛନ୍ତି l ଘରଡ଼ିହ ପଟ୍ଟା ଖଣ୍ଡେ ପାଇଁ ଦଉଡି ଦଉଡି ନୟାନ୍ତ ହେଲୁଣି ହେଲେ ଆମ ଉପରେ କାହାର ଦୃଷ୍ଟି ପଡୁନି। ସେପଟେ ଜିଲ୍ଲାପାଳ କହିଛନ୍ତି ସେମାନେ ଯଦି ଚାହିଁବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ବୃଦ୍ଧାଶ୍ରମ ରେ ସୁ ବନ୍ଦୋବସ୍ତ କରାଯିବ। ନଚେତ ଜମି ପଟ୍ଟା ପାଇଁ ତହସିଲ ଅଫିସରେ ଆବେଦନ କରନ୍ତୁ। ଯଥାଶୀଘ୍ର ନିୟମ ଅନୁଯାୟୀ ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ ।

ଏ ଘର ନୁହେଁ ତ ଗୁହାଳ . ଭିତର କୁ ଯିବାକୁ ହେଲେ ନଇଁ ନଇଁ ଯିବାକୁ ପଡୁଛି। ବର୍ଷା ହେଲେ ଘର ଭିତରେ ପାଣି ଗଳୁଛି.ଘର ସାରା ପାଣି କାଦୁଅରେ ସରସର। ଚୁଲି ବି ବର୍ଷା ପାଣିରେ ବତୁରୀ ଭାଙ୍ଗି ଯାଇଛି। ଦିନେ ଦିନେ ରୋଷେଇ ନ କରି ଚାଉଳ କୁ ପାଣିରେ ଭିଜେଇ ଖାଇବାକୁ ପାଡୁଛି।ଦିନରେ ସାଇ ପଡିଶା ଯିଏ ଗଣ୍ଡେ ଦେଲା ଖାଉଛନ୍ତି ନ ହେଲେ ଉପାସ ରହିବାକୁ ପଡୁଛି। ମାତ୍ର କେଇ ହାତ ଜାଗାରେ ସେଇଠି ରୋଷେଇ ସେଇଠି ଗୋରୁ ସେଇଠି ଖାଇ ପିଇ ସୋଇ ପଡୁଛନ୍ତି ବୃଦ୍ଧ ଦମ୍ପତି। ଘର ସାରା ଅଳନ୍ଧୁ ସହ ବୁଢିଆଣି ବସା ବାନ୍ଧି ରଖିଛି। ଘର ର କୌଣସି କବାଟ ନାହିଁ ଖୋଲା ମେଲା ଥିବାରୁ ସାଇ ପଡିସା ଦେଇଥିବା ଖାଦ୍ୟ ହେଉ କି ନିଜେ ରୋଷେଇ କରୁଥିବା ଖାଦ୍ୟ କୁ ବେଳେବେଳେ କୁକୁର ବିଲେଇ ପଶି ଖାଇ ଦେଉଛନ୍ତି।ତଥାପି ବୟସ ର ଅପରାହ୍ନ ରେ ହାରି ଯାଇନାହାନ୍ତି ବୃଦ୍ଧା ଦୁଃଖିନୀ। ରୋଗାଗ୍ରସ୍ତ ସ୍ୱାମୀ ଙ୍କ ସେବା କରିବା ସହ ଗାଈ ଙ୍କୁ ଆଉଁସି ଦେଇ କହୁଛନ୍ତି ମୋର ତ ପୁଅ ଝିଅ କେହି ନାହିଁ ଏ ଦୁଇ ଗାଈ ଆମ ଜୀବନ। ଦେଖନ୍ତୁ କିଭଳି ରୋଷେଇ କରୁ କରୁ ଗାଈ ବି ସ୍ନେହ ରେ ମୁଣ୍ଡିଆ ମାରୁଛି। ସେଇ ଓଦା ସର ସର ଗୁହାଳ ଭିତରେ ଇଟା ୩ ଖଣ୍ଡ ରଖି ରୋଷେଇ ରେ ଲାଗି ପଡିଛନ୍ତି। ଏମାନେ ରାତି ସାରା ସେ ଘର ଭିତରେ କିଭଳି ଶୋଉଥିବେ ଥରେ ଚିନ୍ତାକଲେ। ଏ ଦୃଶ୍ୟ ଥରେ ଦେଖିଲେ ଆଖିରୁ ଲୁହ ଜକେଇ ଆସେ।ରାଜ୍ୟ ସରକାର ଗରିବ ଅସହାୟ ମାନଙ୍କ ପାଇଁ ଅନେକ ଯୋଜନା କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ କାହିଁକି ଏ ବୃଦ୍ଧ ଦମ୍ପତି ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ? ଜରିପାଲ ତଳେ ଜୀବନ କାଟୁଥିବା ଏହି ବୃଦ୍ଧ ଦମ୍ପତିଙ୍କୁ ଦେଖିଲେ ସରକାରଙ୍କ ଵିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି ହେଉଛି l ମୁଣ୍ଡ ଉପରେ ପକ୍କାଘର ଖରା ବରଷାକୁ ନଥିବ ଡର. ସରକାରଙ୍କ ଏ ସ୍ଲୋଗାନ ଏଠି ପାଣିର ଗାର lଏମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି । କେବେ ରାଜ୍ୟସରକାର ଙ୍କ ଦୃଷ୍ଟି ଏ ବୃଦ୍ଧ ଦମ୍ପତିଙ୍କ ଉପରେ ପଡିବ ଓ ସେମାନେ ଘର ଖଣ୍ଡେ ପାଇବେ। ନା ସେଇ ଭଙ୍ଗା କୁଡ଼ିଆରେ ଜରିପାଲ ତଳେ ଶେଷ ଜୀବନ କାଟିବେ ତାକୁ ଅପେକ୍ଷା l

