ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ଟାଟା ପ୍ରକଳ୍ପରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଓ ଟଙ୍କା ମାଗିବାରୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଏକ ବଡ଼ ଠକକୁ ସୁକିନ୍ଦା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଠକାମୀର ଶୀକାର ହୋଇଥିବା ଟାଟା କର୍ମଚାରୀ ଜଗତସିଂପୁର ଅଞ୍ଚଳର ଦିଲୀପ କୁମାର ବିଶ୍ବାଳ । ସେ ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ଅଞ୍ଚଳରେ ପରିବାର ସହ ରହନ୍ତି । ଗତ ଅକ୍ଟୋବର ୨୦୨୨ ରେ ତାଙ୍କ ଆକ୍ସିସ ବ୍ୟାଙ୍କ୍ କ୍ରେଡିଟ କାର୍ଡରୁ ଏକଲକ୍ଷ ବାଉନ ହଜାର ଟଙ୍କାର ଠକେଇ ଶୀକାର ହୋଇଥିଲେ । ଏହି ଘଟଣା ସୁକିନ୍ଦା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ପୂର୍ବରୁ ଆକ୍ସିସ ବ୍ୟାଙ୍କରେ କାର୍ଯ୍ୟରତ ପ୍ରଦୀପ କୁମାର ନାୟକ ନାମକ ଜଣେ କର୍ମଚାରୀ ଦିଲୀପଙ୍କ ନିକଟକୁ ଯାଇ ଠକେଇ ଘଟଣା ବିଷୟରେ ଜାଣିବା ପରେ ନିଜକୁ କ୍ରେଡିଟ କାର୍ଡ ବିଭାଗର ଅଧିକାରୀ କହିବା ସହ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିଛି ଦିନ ମିଶି ବିଶ୍ୱାସ ଜନ୍ମାଇବା ପରେ ଏହି ଲୁଟେରା ଦିଲୀପ ଠାରୁ ଗତ ଜାନୁୟାରୀ ଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ବାରମ୍ବାର ଟଙ୍କା ଲୁଟି ଚାଲିଛି। ଏହି ଟଙ୍କା ବ୍ୟାଙ୍କରେ ଏକ ସ୍ବତନ୍ତ୍ର ଆକାଉଣ୍ଟରେ ରହୁଛି, ଅଧିକ ଟଙ୍କା ଜମା ରହିଲେ ଆପଣଙ୍କ ସିଭିଲ ସ୍କୋର ଭଲ ରହିବ ଓ ଆପଣଙ୍କ କ୍ରେଡିଟ କାର୍ଡରୁ ଲୁଟ୍ ହୋଇଥିବା ଟଙ୍କା ବ୍ୟାଙ୍କ୍ ଫେରାଇବ ବୋଲି କହି ଲୁଟେରା ବାରମ୍ବାର ଲୁଟି ଚାଲିଛି । ସେଥିପାଇଁ ସେ ଦିଲୀପ ମେଲ ଆଇଡିକୁ ବ୍ୟାଙ୍କ୍ ନାମରେ ଫେକ୍ ମେଲ ଓ ମେସେଜ ମଧ୍ୟ ପଠାଇ ଚାଲିଛି । ବାରମ୍ବାର ଟଙ୍କା ଦେଇ ଦିଲୀପ ନିଜର ସମସ୍ତ ପୁଞ୍ଜି ଶେଷ ହେବା ପରେ ସାଙ୍ଗସାଥୀଙ୍କ ଠାରୁ କରଜ ଆଣିବା ଓ ପରିବାର ସୁନାଗହଣା ମଧ୍ୟ ବନ୍ଧକ ରଖି ସର୍ବସ୍ବାନ୍ତ ହେବାପରେ ପୁଣି ସୁକିନ୍ଦା ଥାନା ଦ୍ବାରସ୍ଥ ହୋଇଥିଲେ । ସୁକିନ୍ଦା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ା ଘଟଣା ସମ୍ପର୍କରେ ଜାଣିବା ପରେ ନିଜେ ଘଟଣାର ତଦନ୍ତ କରି ଲୁଟ୍ କରିଥିବା ଲୁଟେରା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳ ବିଶୋଳ ଶାସନର ପ୍ରଦିପ କୁମାର ନାୟକ କୁ ଗିରଫ କରିଥିଲେ । ଏନେଇ ସୁକିନ୍ଦା ଥାନାରେ ୨୫୪/୨୦୨୩ରେ ଏକ ମାମଲା ରୁଜୁ କରି ଲୁଟେରାକୁ ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଠକ ଗିରଫ !!!

