ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ପରିଷଦରେ ଥିବା ଜିଲ୍ଲା ପଂଚାୟତ ସମ୍ବଳ କକ୍ଷ ଗୃହରେ(ଡି.ପି.ଆର.ସି.) ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ଅଧିନିୟମ-୨୦୨୨ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଷ୍ୟ ସନ୍ତାନ ସଚେତନତା ରଥକୁ ଉଦ୍ଘାଟନ କରିଥିଲେ । ଦୀର୍ଘ ସାତଦିନ ଧରି ଏହି ରଥ ବିଭିନ୍ନ ବ୍ଲକ ଓ ଗ୍ରାମରେ ପରିକ୍ରମା କରି ପୋଷ୍ୟ ସନ୍ତାନ ସଂପର୍କରେ ସଚେତନତା ବାର୍ତ୍ତା ବହନ କରିବ । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ସୁଶ୍ରୀ ଶୁଭଦର୍ଶୀ ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୋଷ୍ୟ ସନ୍ତାନ ଅଧିନିୟମ-୨୦୨୨ ବିଷୟରେ ବିସ୍ତୃତ ଭାବରେ ତାଲିମ ଦେଇଥିଲେ । ସାଧାରଣ ଲୋକଟିଏ କିଭଳି ପୋଷ୍ୟ ସନ୍ତାନ ନିମିତ୍ତ ଦରଖାସ୍ତଟିକୁ (କାରା)ଓ୍ବେବ୍ସାଇଟ୍ (cara.wcd.nic.in)ରେ ଦରଖାସ୍ତ କରିପାରିବ ତାହାର ସରଳିକରଣ ପ୍ରକ୍ରିୟା ବୁଝାଇଥିଲେ । ଅନାଥ, ପରିତ୍ୟକ୍ତ ଓ ତ୍ୟାଗ କରିବା ଶିଶୁ ଜିଲ୍ଲାରେ ଥିବା ପୋଷ୍ୟ ସନ୍ତାନ କେନ୍ଦ୍ରରେ ଅବସ୍ଥାପିତ କରି ସେମାନଙ୍କୁ ସେମାନଙ୍କର ପରିଚୟ ସହିତ ଏକ ନୂତନ ପରିବାର ଦେବା ଏହି ଦିବସର ମୂଳ ଲକ୍ଷ୍ୟ । ଶିଶୁ ମଙ୍ଗଳ ସମିତିର ସଦସ୍ୟା/ସଦସ୍ୟ ସନ୍ଧ୍ୟାରଣୀ ପନାୟକ, ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର, ସମାଜସେବୀ ଶ୍ରୀ ଅରୁଣ ମହାନ୍ତି(ନିସ୍ବାର୍ଥ), ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅର୍ଚ୍ଚନା କହଁର ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶିବିୟାନ ପ୍ରଧାନ ଅତିଥି ରୂପେ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶ୍ରୀ ସତ୍ୟରଂଜନ ଦାସ ସଭା କାର୍ଯ୍ୟକୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ଆଲୋଚ୍ୟ ବିଷୟବସ୍ତୁରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ସମସ୍ତ ନର୍ସିଂହୋମର ପରିଚାଳକ, ସମସ୍ତ ସିଡିପିଓ, ସୁପରଭାଇଜର, ଶିଶୁ ପରିଚର୍ଯ୍ୟା ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରର କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଏନଜିଓର କର୍ମକର୍ତ୍ତା ଏହିଭଳି ଭାବରେ ସମୁଦାୟ ୭୦ଜଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ୍, ନୟାଗଡ଼ର ସମସ୍ତ କର୍ମକର୍ତ୍ତା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଶ୍ରୀମତୀ ଶୈଳବାଳା ଦାଶ ସଭାପତିଙ୍କ ଅନୁମତି ନେଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସାଙ୍ଗ କରିଥିଲେ ।