ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ସଦର ମହକୁମାରେ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ସଂପୃକ୍ତ ବ୍ୟକ୍ତିଙ୍କ କଟୁରୀ ଚୋଟରେ ଭାଇବୋହୂ ଓ ଝିଆରୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୁକିନ୍ଦା ସଦର ମହକୁମା ସ୍ବର୍ଗତ ହରିହର ମହାପାତ୍ରଙ୍କ ପୁଅ ଦିଲୀପ ମହାପାତ୍ର ଓରଫ ଦିଲୁ ମଙ୍ଗଳବାର ଦିନ ଅପରାହ୍ନରେ ଏକ କଟୁରୀ ଧରି ପୁଅ ଗଣେଶ (୨୫)କୁ ହାଣିବା ପାଇଁ ଗୋଡାଉଥିଲା । ସେହି ସମୟରେ ସାନଭାଇ ଅନାମ ମହାପାତ୍ରଙ୍କ ପତ୍ନୀ ଅମିତା ନାୟକ(୪୨)ଓ ଝିଅ ଲକ୍ଷ୍ମୀପ୍ରିୟା ଅଟକାଇବା ବେଳେ ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା । ପାଖ ପଡୋଶୀ ପୋଲିସକୁ ଖବର ଦେବାସହ ଦିଲୁକୁ କାବୁ କରି ପୋଲିସ ଜିମା ଦେଇଥିଲେ। ପରିବାର ଲୋକେ ଗୁରୁତର ଆହତ ମା ଓ ଝିଅଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଆକ୍ରମଣରେ ଉଭୟଙ୍କ ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି । ଗତ ଜୁଲାଇ ମାସରେ ଦିଲୁର ପତ୍ନୀ ଭାନୁମତୀଙ୍କ ଆକସ୍ମିକ ମୃତ୍ୟୁ ପରେ ଦିଲୁ ଓ ପୁଅ ଗଣେଶଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା । ସେଥିପାଇଁ ଗଣେଶ ଅନେକ ସମୟରେ ଦାଦା ଅନାମ ମହାପାତ୍ରଙ୍କ ଘରେ ବସାଉଠା କରେ । ଅନାମଙ୍କ ପରିବାର ଗଣେଶକୁ ଦିଲୁ ବିରୁଦ୍ଧରେ ମନ୍ତ୍ରଣା ଦେଉଥିବା ସନ୍ଦେହରେ ଦିଲୁ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ଅନାମଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୌଭାଗ୍ୟବଶତଃ ପୁଅ ଗଣେଶ ସାମାନ୍ୟ ଆହତ ହୋଇ ଖସି ଯାଇଥିଲା । ଖବର ପାଇ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦିଲୁକୁ ଅକ୍ତିଆର କୁ ନେବା ସହ ଆକ୍ରମଣ କରିଥିବା କଟୁରୀ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି ।