କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଚିତ୍ରକଳା,ସାହିତ୍ୟ ସାଧନା, ଶିକ୍ଷାଦାନ,ସମାଜସେବୀ ଆଦି ମହନୀୟତା ଏକ କଳା ଓ ମଣିଷର ଦେଶ ଜାତି ପ୍ରତି ତ୍ୟାଗ,ଭଲ ପାଇବାର ଅପୂର୍ବ ସମାରୋହ । ସମୟ କ୍ରମେ ଏହା ଏକ ସାଧକଙ୍କୁ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଏ ଓ ଦେଶର ବିକାଶ ଘଟେ । ସେହି ଭଳି ଜଣେ କୃତୀ ସମ୍ପନ୍ନ ବିଦ୍ୟାର୍ଥୀ,କବୀ ଓ ଚିତ୍ର ଶିଳ୍ପୀ ହେଉଛନ୍ତି ଶୁଭଶ୍ରୀ ପଣ୍ଡା । ସ୍ଵାମୀ ବିବେକାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ଜଗତସିଂହପୁରରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଉଦ୍ଭିଦ ବିଜ୍ଞାନ ସମ୍ମାନରେ ସ୍ନାତକ,ସିଟି ପାଠ୍ୟକ୍ରମ ପରେ ବର୍ତ୍ତମାନ ଓଡ଼ିଆରେ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରୀ ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟରେ ପଠନ ରତ । ଅଧ୍ୟାପକ ଶିତଲ କୁମାର ପଣ୍ଡା ଓ ମାତା ସୁଲୋଚନା ପଣ୍ଡାଙ୍କ ଏହି ସୁକନ୍ୟା ଗ୍ରାମ ବସ୍ତପଡା, ପୋଷ୍ଟ ଅରିଲୋ,ଭାୟା ସୋମପୁର ଅନ୍ତର୍ଗତ କଟକ ଜିଲ୍ଲାରେ ୧୯୯୯ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ଚିତ୍ରକଳା,ଗଳ୍ପ,କବିତା ଓ ପ୍ରବନ୍ଧ ଲିଖନରେ ତାଙ୍କର ଖୁବ୍ ରୁଚି ରହିଛି । ଛୋଟବେଳୁ ଚିତ୍ର,ରଙ୍ଗ ପ୍ରତି ଖୁବ ଆଗ୍ରହ ରହିଆସିଛି । ରଙ୍ଗ କି ସାଧା କାଗଜ ଦେଖିଦେଲେ ହାତ ଆପେ ଆପେ ଚାଲିଯାଏ କିଛି ଗୋଟେ ଅଙ୍କିବାକୁ । ଦେଖିବାକୁ ଗଲେ ଜେଜେମା ତାଙ୍କ ଚିତ୍ର ଶିକ୍ଷାରେ ପ୍ରଥମ ଗୁରୁ । ହାତଧରି ଚକଖଡ଼ିରେ ଫୁଲ,ଫଳ,ଝୋଟି,ମୁରୁଜ ଇତ୍ୟାଦି ଶିଖାଇଥିଲେ । ଥରେ ଏକ ପୁସ୍ତକ ମେଳା ବୁଲିବା ସମୟରେ ସେଠାରେ ଜଣେ ଚିତ୍ରକର ଲୋକମାନଙ୍କୁ ଦେଖି ସେମାନଙ୍କର ଅବିକଳ ନକଲ ଚିତ୍ରକୁ ମାତ୍ର ୧୫ ମିନିଟରେ ଆଙ୍କି ଦେଉଥିଲେ ସେଦିନର ସେହି ଘଟଣାରୁ ଉତ୍ସାହିତ ହୋଇ ସେ ଫେସସ୍କେଚ ଆଙ୍କିବା ଆରମ୍ଭ କରିଥିଲେ । ଚିତ୍ର ଆଙ୍କି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ ସାଉଁଟି ଥିଲେ ଅନେକ ପ୍ରଶଂସା ଯାହାକି ତାଙ୍କୁ ଆହୁରି ଚିତ୍ର ଅଙ୍କିବାକୁ ଉତ୍ସାହିତ କରିଥିଲା । ସାରା ସମାଜକୁ ସେ ତାଙ୍କ ତୁଳୀରେ ରଙ୍ଗେଇ ସୁନ୍ଦର କରିବା ସ୍ବପ୍ନରେ ବିଭୋର । ତେବେ ସେ ତାଙ୍କ ତୂଳୀରେ ସବୁ ପ୍ରକାରର ଚିତ୍ରକୁ ଆଙ୍କିବାକୁ ସର୍ବଦା ଚେଷ୍ଟିତ ଥାଆନ୍ତି । ଭବିଷ୍ୟତରେ ସୁଯୋଗ ମିଳିଲେ ଚିତ୍ରକଳା ପ୍ରତି ଆଗ୍ରହ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ ଚିତ୍ର ଶିକ୍ଷା ପ୍ରଦାନ କରିବାକୁ ସେ ଇଚ୍ଛା ପ୍ରକଟ କରିଛନ୍ତି । ଛୋଟବେଳେ ତାଙ୍କ ଆଗ୍ରହ ଦେଖି ବାପା ଜଗତସିଂହପୁରର ଦୁଖୀରାମ ସ୍ୱାଇଁ କଳା ପ୍ରତିଷ୍ଠାନରେ ଚିତ୍ର ଶିକ୍ଷା ପାଇଁ ନାମ ଲେଖାଇଥିଲେ। ସେଠାରେ ମାତ୍ର ଏକ ମାସ ଚିତ୍ର ଶିକ୍ଷା କରିବା ପରେ ସେଠାରେ ଗୁରୁ ସୁରେଶ ମହାରଣାଙ୍କ ସଂସ୍ପର୍ଶରେ ଆସିବା ପରେ ଚିତ୍ରକଳା ପ୍ରତି ତାଙ୍କ ଆଗ୍ରହ ଆହୁରି ବୃଦ୍ଧି ପାଇଥିଲା । ସୋସିଆଲ ମିଡ଼ିଆର ଚିତ୍ର ଓ ଭିଡିଓରୁ ଅନେକ କିଛି ଶିକ୍ଷା ଲାଭ କରିଛନ୍ତି । କୋଭିଡ ସମୟରେ ବହୁ ଅନଲାଇନ ପ୍ଲାଟଫର୍ମ ସମେତ ଓଡ଼ିଶାର ଲଳିତକଳା ଏକାଡେମୀର କୋଭିଡ ଚିତ୍ରକଳା ପ୍ରତିଯୋଗିତାରେ ଯୋଗ୍ୟା ବିବେଚିତ ହୋଇ ଅର୍ଥରାଶି ସହ ସମ୍ମାନପତ୍ର ଲାଭ କରିଛନ୍ତି । ସାହିତ୍ୟ ପ୍ରତି ଆଗ୍ରହ ରଖି ସେ କବିତା,ଗଳ୍ପ ,ପ୍ରବନ୍ଧ ଇତ୍ୟାଦି ଲେଖି ଅନେକ ପତ୍ରିକାର ଶାରଦୀୟ ସଂଖ୍ୟା ଏବଂ ଖବରକାଗଜ ଇତ୍ୟାଦିରେ ପ୍ରକାଶ ପାଇ ଖୁବ୍ ପାଠକୀୟ ସ୍ଵୀକୃତି ଲାଭ କରିଛି । ସେ କୁହନ୍ତି ସମାଜର ପ୍ରତ୍ୟେକଟି ସୃଷ୍ଟି ଯାହା ଠାରୁ ସେ କିଛି ଶିଖିଛନ୍ତି ବା ଶିଖିବାକୁ ପାଆନ୍ତି ସେ ହିଁ ଗୁରୁ । ଚିତ୍ରକଳାରେ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ବିଜୟ ବିଶ୍ୱାଳ ଓ ଶ୍ରୀଯୁକ୍ତ ଚିନ୍ତାମଣି ବିଶ୍ବାଳଙ୍କ ଚିତ୍ରକଳା ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଛି । ସେହିପରି ସାହିତ୍ୟରେ ସାହିତ୍ୟାକାଶର ଅନନ୍ୟ ଅମ୍ଳାନ ତାରକା ମନୋଜ ଦାସ ତାଙ୍କର ପ୍ରିୟ ଲେଖକ ହୋଇଥିବା ବେଳେ ଏଥିସହ ସମସ୍ତ ସାହିତ୍ୟିକଙ୍କ ଲେଖା ପଢିବାକୁ ଆଉ ବୁଝିବାକୁ ସେ ପସନ୍ଦ କରିଥାନ୍ତି ଏବଂ ଜଣେ ପାଠିକା ଓ ଲେଖିକା ଭାବେ ସାହିତ୍ୟ ସାଧନାରରେ ସେ ସଦା ନିମଗ୍ନ ।
ସାରସ୍ଵତ ସାଧିକା : ଶୁଭଶ୍ରୀ ପଣ୍ଡା !!!

