ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଜବତ କଲା ପୋଲିସ ! ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାର କିଛି ସମୟ ପରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣା ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମୃତ ଛାତ୍ର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁଆ ଗ୍ରାମ ବ୍ରଜକିଶୋର ପଣ୍ଡା ଓ ମନ୍ଦାକିନୀ ପଣ୍ଡାଙ୍କ 15 ବର୍ଷର ପୁଅ ପ୍ରଜ୍ଞାନ କୁମାର ପଣ୍ଡା ବୋଲି ଜଣାପଡିଛି । ବ୍ରଜ କିଶୋର ପଣ୍ଡା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଣେ ଠିକାଦାର ପାଖରେ କାମ କରନ୍ତି ଓ ପତ୍ନୀ ମନ୍ଦାକିନୀ ପଣ୍ଡା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ । ସେମାନଙ୍କର ଏକମାତ୍ର ପୁଅ ପ୍ରଜ୍ଞାନ ଚଳିତ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲା । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ୬୦ପ୍ରତିଶତ ନମ୍ବର ରଖିଥିବା ଜାଣି ଚିନ୍ତିତ ଥିଲା । ଦିନ ପ୍ରାୟ 12 ଟା ସମୟରେ ବାପ ମା କେହି ଘରେ ନଥିବା ବେଳେ ମା ଙ୍କର ପିନ୍ଧା ଶାଢ଼ୀରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୁକିନ୍ଦା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଜବତ କଲା ପୋଲିସ !!!

