ପରିଚୟ ହଜାଇଛି ବି ଏନ ପ୍ୟାଲେସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଅନେକ ଗୁଡିଏ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀ ରହିଛି।ତାର ରକ୍ଷଣାବେକ୍ଷଣ ଅଭାବରୁ ବହୁ ପର୍ଯ୍ୟଟନ ସ୍ଥଳୀ ତାର ଶୋଭା ହରାଇ ବସିଲାଣି।ସେଥି ମଧ୍ୟରୁ ବି ଏନ ପ୍ୟାଲାସ ବା ବସନ୍ତ ନିବାସ ଗୋଟିଏ।ତାହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି।ଏହି ବୃନ୍ଦାବନ ନିବାସ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ରହିଛି।ମହାରାଜା ଗୌର ଚନ୍ଦ୍ର ଗଜପତି ଓ ତାଙ୍କ ପୁତ୍ର କୃଷ୍ଣ ଚନ୍ଦ୍ର ଗଜପତିଙ୍କ ବୃନ୍ଦାବନ ପ୍ୟାଲେସ।ମହେନ୍ଦ୍ର ତନୟା ନଦୀ କୂଳରେ 17 ଏକର ପରିମିତ ଜମିରେ ଏହି ରାଜ ପ୍ରସାଦ ଟି ରହିଛି।ଗବେଷକଙ୍କ ମତରେ 1890 ରୁ ଏହି ପ୍ୟାଲେସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଜଣାପଡ଼ିଛି।ଏହି ପ୍ୟାଲେସ ତଟରେ ପବିତ୍ର ମହେନ୍ଦ୍ର ତନୟା ନଦୀ ଓ ତା ସାଙ୍ଗକୁ ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତ ଙ୍କୁ ଆକର୍ଷିତ କରେ।ଏହି ପ୍ୟାଲେସରେ ମହାରାଜା ନିଜ ପରିବାର ସହ ଗ୍ରୀଷ୍ମ ଅବକାଶ କଟାଇଥିଲେ।ତେଣୁ ଏହାକୁ ବସନ୍ତ ନିବାସ ମଧ୍ୟ କୁହାଯାଏ।ଉକ୍ତ ଐତିହାସିକ ସ୍ମାରକୀ ଏବଂ ଗଠନ ଶୈଳୀ ପ୍ରାକୃତିକ ପରିବେଶ କୁ ଉପଲବ୍ଧି କରିବା ପାଇଁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ।ବିଶେଷ କରି ପିକନିକ ଋତୁରେ ପର୍ଯ୍ୟଟକ ଆସିଥାନ୍ତି।ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏହା ଅସ୍ତିତ୍ବ ହରାଇବାକୁ ବସିଲାଣି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ପୁନଃ ଉଦ୍ଧାର କରାଯାଇ ନ ଥିବା ବେଳେ ଆବଶ୍ୟକ ମରାମତି ଅଭାବରୁ ନଷ୍ଟ ହେବାକୁ ବସିଲାଣି।ଜିଲ୍ଲା ପର୍ଯ୍ୟଟନ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ନିକ୍ଷେପ କରୁ ନ ଥିବାରୁ ଅବ୍ୟବସ୍ଥା ମଧ୍ୟରେ ରହିଛି। ପ୍ୟାଲେସଟିର ବିଭିନ୍ନ ସ୍ଥାନରେ ଫାଟ ଦେଇଥିବା ବେଳେ ଅନାବନା ବୃକ୍ଷ ଲତା ଉଠି ଯାଇଛି।ଏହି ପ୍ରାସାଦ ଟିର ବହୁ ଅଂଶ ଭଗ୍ନ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳୁଛି।ଏହାର ବିରାଟ କାୟ ପାଚେରୀରେ ଫାଟ ଦେଖାଦେଇଛି।ଛାତ ଗୁଡିକର ତଳପଟ ପଲସ୍ତରା ବାହାରି ପଡ଼ିଲାଣି।ତଥାପି ଏହି ଐତିହାସିକ ପ୍ରାସାଦକୁ ଦୈନନ୍ଦିନ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।ବିଶେଷ କରି ପୋଡ଼ଶୀ ଆନ୍ଧ୍ରପ୍ରଦେଶରୁ ଆସୁଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି।ବର୍ତ୍ତମାନ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ବୃନ୍ଦାବନ ପ୍ୟାଲେସ ।ଏଠାରେ କେହି ସ୍ଥାୟୀ ଜଗୁଆଳି କିମ୍ବା କର୍ମଚାରୀ ନାହାଁନ୍ତି ବର୍ତ୍ତମାନ ଏଠାରେ ଜଣେ ଅସ୍ଥାୟୀ ଭାବେ ଜଗୁଆଳି ରହିଥିଲେ ହେଁ ତାଙ୍କୁ କୌଣସି ବିଧିବଦ୍ଧ ଭାବେ ଅବସ୍ଥାପିତ କରାଯାଇ ନାହିଁ।ତାଙ୍କୁ ବିଭାଗ ପକ୍ଷରୁ କୌଣସି ମାସିକ ଭତ୍ତା କିମ୍ବା ଦୈନିକ ମଜୁରୀ ଦିଆଯାଉ ନାହିଁ।ପର୍ଯ୍ୟଟକମାନେ ଯାହା ଅର୍ଥ ଦେଉଛନ୍ତି ତାହାକୁ ନେଇ ସେ ରହିଥିବା ଜଣା ପଡ଼ିଛି।ଏପରି ଏକ ଗୁରୁତ୍ୱ ବହନ କରୁଥିବା ଜିଲ୍ଲାର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଜିଲ୍ଲାର ସଦର ମହକୁମାରେ ରହିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର କିମ୍ବା ବିଭାଗର ଦୃଷ୍ଟି ପଡିଲେ ପର୍ଯ୍ୟଟକ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *