ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ବାସି ରଥଯାତ୍ରା ଏକ ନିଆରା ପରମ୍ପରା । ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ସମ୍ମାନ ଦେଇ ତତ୍କାଳୀନ ସୁକିନ୍ଦା ରାଜା ସାହେବ ଏହି ନିଆରା ପରମ୍ପରା ଆରମ୍ଭ କରିଥିଲେ । ଶ୍ରୀକ୍ଷେତ୍ର ରଥଯାତ୍ରାରେ ସୁକିନ୍ଦା ରାଜାଙ୍କ ଚାମରସେବା ଥିବାରୁ ସୁକିନ୍ଦାରେ ଏହି ନିଆରା ପରମ୍ପରା ଚାଲି ଆସିଥିବା କୁହାଯାଏ । ପ୍ରତିବର୍ଷ ପରି ଚଳିତ ବର୍ଷ ବାହୁଡା଼ ଯାତ୍ରା ଅବସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେବାୟତ ମାନେ ରଥାରୂଢ଼ କରିବା ପରେ ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଛେରାପହଁରା କରିଥିଲେ । ଯଥାବିଧି ପୂଜାର୍ଚ୍ଚନା କରିବା ପରେ ରଥକୁ ଥରେ ମାତ୍ର ଟଣାଯାଇଥିଲା । ବଡ଼ଦାଣ୍ଡରେ ଅଟକି ରହିଥିବା ରଥକୁ ପରଦିନ ଭକ୍ତମାନେ ନେଇ ମନ୍ଦିର ସମ୍ମୁଖ ରଥଖଳାରେ ପହଞ୍ଚାଇଥିଲେ । ରଥଟଣା ସମୟରେ ବିଶିଷ୍ଟ ପ୍ରବଚକ ବିଦ୍ୟାଧର ପୃଷ୍ଟି ଓ ବଂଶୀଧର ପରିଡ଼ା ଭକ୍ତ ମାନଙ୍କୁ ଜଗନ୍ନାଥ ଚେତନା ଶୁଣାଇବା ସହ ପ୍ରମୋଦ କୁମାର ଓଝା ଭଜନ ମାଧ୍ୟମରେ ଭକ୍ତ ମାନଙ୍କୁ ଉତ୍ସାହିତ କରିଥିଲେ । ଚଳିତ ବର୍ଷ ନୂତନ ବିଗ୍ରହ ସ୍ଥାପନ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ ପାଇଁ ୫୦ ହଜାରରୁ ଉର୍ଦ୍ଧ୍ଵ ପୁରୁଷ ଓ ମହିଳା ଭକ୍ତଙ୍କ ସମାଗମ ହୋଇଥିଲା ।
ସୁକିନ୍ଦାରେ ବାସି ରଥଯାତ୍ରା – ଏକ ନିଆରା ପରମ୍ପରା !!!

