ରଥପଦା ରାସ୍ତାରୁ କଲରାପତରିଆ ବାଘଛାଲ ଜବତ : ମୁଖ୍ୟ ଅଭିଯୁକ୍ତ ଗିରଫ, ଦୁଇ ସହଯୋଗୀ ଫେରାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଟକ ବନଖଣ୍ଡ ପକ୍ଷରୁ ଟମକା ରେଞ୍ଜ୍ ଡୁବୁରି ସେକ୍ସନ ଟମକା-ଡୁବୁରି ସଡ଼କର ରଥପଦା ଗାଁ ପାଖ ରାସ୍ତାରେ କୁଖ୍ୟାତ ଶିକାରୀ ପ୍ରସନ୍ନ ଚାମ୍ପିଆ ପାଖରୁ ଏକ କଲରାପତରିଆ ବାଘଛାଲ ଜବତ ହୋଇଥିବା ଦେଖିବାକୁ ମିଳିଛି । ବାଘଛାଲ ଚୋରା ଚାଲାଣ ପାଇଁ ଯାଉଥିବା ସମୟରେ ବନପାଳ ମାଣିକ ମୁଣ୍ଡା ତାକୁ ମାଡ଼ି ବସିଥିଲେ । ତେବେ ଏହି ସମୟରେ ତା’ର ଅନ୍ୟ ୨ ସହଯୋଗୀ ଖସି ପଳାଇଥିଲେ । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନକୁ ଗିରଫ କରାଯାଇଛି । ଅଭିଯୁକ୍ତ ପାଖରୁ ୧୪୭ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଏହି ବାଘଛାଲ ଜବତ ହୋଇଛି। ଅଭିଯୁକ୍ତକୁ ମଙ୍ଗଳବାର ଅପରାହ୍ନ 3 ଘଟିକା ସମୟରେ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ସୂଚନା ମୁତାବକ ଡୁବୁରି ଛକର ଏକ ହୋଟେଲରେ ଏକ ବାଘଛାଲ ବିକ୍ରି ପାଇଁ ଯୋଜନା ସଂପର୍କ‌ରେ ବନ ବିଭାଗକୁ ସୂଚନା ମିଳିଥିଲା। ସେହି ଆଧାରରେ ଡିଏଫ୍‌ଓ ପି ଅର୍ଥନାରିଙ୍କ ନିର୍ଦ୍ଦେଶରେ ତୁରନ୍ତ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ୨ ସହକାରୀ ବନସଂରକ୍ଷକ(ଏସିଏଫ୍‌) ଅନିଲ କୁମାର ରାୟ ଓ ସନ୍ତୋଷ କୁମାର ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବ‌ାବଧାନରେ ଅଭିଯୁକ୍ତମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଟମକା ଉପବନାଞ୍ଚଳ ଅଧିକାରୀ ଅଜିତ କୁମାର ଦଳେଇଙ୍କ ନେତୃତ୍ବରେ ତଥା ଯାଜପୁ‌ରରୋଡ଼ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ଓ ଗୋବର୍ଦ୍ଧନପୁର ଆର୍‌ଆଇ ମାଲା ଟୁଡ଼ୁଙ୍କ ସହଯୋଗରେ ହୋଇଥିବା ଏହି ଚଢ଼ଉରେ ଡାଳିଯୋଡ଼ା ବନପାଳ ଶ୍ରୀ ମୁଣ୍ଡା, ଟମକା ବନପାଳ ଚିତ୍ତରଞ୍ଜନ ଓ ଡୁବୁରି ବନପାଳ ଲକ୍ଷ୍ମୀଧର ନାୟକ ସଦଳବଳ ସାମିଲ ଥିଲେ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଇଲାକାର ବାସିନ୍ଦା ପ୍ରସନ୍ନ ନିଜ ଶ୍ବଶୁର ଘର ଟମକା ଥାନା କିଆଝର ପଞ୍ଚାୟତ ଚମ୍ପାଝର ଗାଁରେ ଶାଳକ ଗାନେ ଚାତାର ଘର ପାଖରେ ଘରକରି ରହି ଆସୁଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *