କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରତ୍ୟେକ ମଣିଷ ନିଜ ଅଂଚଳର ପୌରାଣିକ, ଐତିହାସିକ ପରିଚୟକୁ ନେଇ ଗର୍ବ କରେ | ନିଜ ଜୀବନକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିବା ସ୍ବର୍ଗତ ମହାତ୍ମା ମାନଙ୍କୁ ପରପିଢ଼ି ମନେ ରଖିବା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରତିମୂର୍ତ୍ତୀ ମାନ ସ୍ଥାପନ କରାଯାଇଥାଏ | ବାଙ୍କୀ ନିର୍ବାଚନ ମଣ୍ଡଳୀର ପଶ୍ଚିମ ବାଙ୍କୀର ଦୁଇ ବରପୁତ୍ର ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଏବଂ ଜମିଦାର ଉଦୟନାଥ ଚୌଧୁରୀଙ୍କର ଦୁଇଟି ପ୍ରତିମୂର୍ତ୍ତି ବୈଦେଶ୍ଵର ବଜାର ଏବଂ ବୈଦେଶ୍ଵରସ୍ଥ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପିତ ହୋଇଛି | ବର୍ଷକରେ ଦୁଇ ଦିନ ଜନ୍ମ ଏବଂ ତିରୋଧାନ ଦିବସରେ ସାହିତ୍ୟିକ, ଜନନେତା ଏବଂ ସାମାଜିକ ଅନୁଷ୍ଠାନ ମାନଙ୍କର ମନେ ପଡେ ଏହି ଦିବଂଗତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି କଥା | ଖଣ୍ଡେ ଫୁଲମାଳ ଏବଂ ଧୂପକାଠି ଲଗେଇ ନିଜ ଫଟୋକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ ଏବଂ ଖବର କାଗଜରେ ପ୍ରକାଶ କରି ନିଜକୁ ନିଜେ ଖୁସି ହୁଅନ୍ତି ଏବଂ ଚର୍ଚ୍ଚାରେ ରହିଥାନ୍ତି ପ୍ରଶଂସା ପାଇବାରେ || ଅନ୍ୟ ଦିନ ମାନଙ୍କରେ ଖରା, ବର୍ଷା ଖାଉଛି ପ୍ରତିମୂର୍ତ୍ତିମାନ | ସ୍ବର୍ଗତ ଉଦୟନାଥ ଚୌଧୁରୀଙ୍କ ପ୍ରତିମୂର୍ତ୍ତୀ ନିଜ ଦ୍ଵାରା ସ୍ଥାପିତ ଉଚ୍ଚ ବିଦ୍ୟାଳୟର ରାସ୍ତା ସଂଲଗ୍ନରେ ସ୍ଥାପିତ କରାଯାଇଛି | ପ୍ରତିମୂର୍ତ୍ତି ଛାତରେ ଅନାବନା ଗଛ ସାଙ୍ଗକୁ ବଡ଼ ଉଈ ହୁଙ୍କା ହେଲାଣି | ଚାରିପଟେ ମଦ ବୋତଲ ସାଙ୍ଗକୁ ଅସ୍ବସ୍ତିକର ପରିବେଶ ରହିଛି | ଏହା ଉପରେ କିପରି ନିଜକୁ ତଥାକଥିତ ସମାଜସେବୀ ବୋଲାଉଥିବା ଆତ୍ମପ୍ରଚାରକ ଗଣ କିମ୍ବା ସ୍କୁଲ କର୍ତ୍ତୃପକ୍ଷ କି ଚୌଧୁରୀ ପରିବାରଙ୍କ ବଂଶଧରଙ୍କ ନଜର ଏହା ଉପରେ ପଡୁନାହିଁ | ବଜାର ଉପରେ ଥିବା ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ନାହିଁ | ମୁଣ୍ଡ ଉପରେ ସବୁବେଳେ କାଉ, ପାରାଙ୍କ ମଳତ୍ୟାଗ ସାଙ୍ଗକୁ ଗାଈଗୋରୁ, ଷଣ୍ଢଙ୍କର ଖୋଲା ଆଶ୍ରୟସ୍ଥଳ ପାଲଟିଛି | ଏସବୁ ଦେଖିଲା ପରେ ନିଜକୁ ପ୍ରଶ୍ନ କରିବାକୁ ହେଉଛି, ସତରେ କଣ ଆମେ ମାନେ ଏହି ମହାପୁରୁଷଙ୍କ ଦାୟାଦ ! ସଭ୍ୟ ସମାଜ, ସୁସ୍ଥ ପରିବେଶ ପାଇଁ ଆହ୍ୱାନ କରୁଥିବା ବୁଦ୍ଧିଜିବୀ ମାନେ ଏସବୁ ଆଖି ଆଗରେ ଦେଖିଲା ପରେ କିପରି ନୀରବ ରହୁଛନ୍ତି | ବାଙ୍କୀ ଅଂଚଳର ସମସ୍ତ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ମାନଙ୍କୁ ସମ୍ମାନ ଦେବା ସୁରକ୍ଷିତ ରଖିବା ପାଇଁ ଉଭୟ ପ୍ରଶାସନ ଏବଂ ସାମାଜିକ ଓ଼ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କର ନୈତିକ କର୍ତ୍ତବ୍ୟ ହେବା ଆବଶ୍ୟକ | ନଚେତ ଆଜିକା ଦିନ ମାନଙ୍କରେ ଆଗାମୀ ପିଢ଼ି ତାହାର ପୂର୍ବ ପୁରୁଷଙ୍କୁ କେବେ ହେଲେ ଜାଣିବାକୁ ଇଚ୍ଛା କରିବ ନାହିଁ |