ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ଚାରି ଶ୍ରମ କୋଡ୍ ବିରୁଦ୍ଧରେ ଆଜି ଦେଶର ଶ୍ରମିକ ଶ୍ରେଣୀ ଦ୍ଵାରା ଆୟୋଜିତ ହୋଇଥିବା ସର୍ବଭାରତୀୟ ସାଧାରଣ ହରତାଳ ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସ୍ଥାନୀୟ ପୂରୁଣା କୋର୍ଟଛକ ଠାରୁ ଅଖିଳ ଭାରତ କିଶାନ୍ ମଜଦୂର ସଭା, ଅଖିଳ ଭାରତ ଆଦିବାସୀ ମଞ୍ଚ, ଆଇଏଫଟିୟୁ, ଓଡ଼ିଶା କୃଷକ ସଭା, ଏଆଇଟିୟୁସି ଆଦି ସଂଗଠନର ସହସ୍ରାଧିକ ସମର୍ଥକ ଲାଲ ପତାକା ଧରି ଏକ ଶୋଭାଯାତ୍ରାରେ ସହରର ବିଭିନ୍ନ ଛକକୁ ଯାଇ ବନ୍ଦ ପାଳନ କରିବା ସହ ପୋଲିସ ଷ୍ଟେସନ ଛକରେ ପହଞ୍ଚିଥିଲେ !କେନ୍ଦ୍ର ସରକାରଙ୍କ ଦ୍ୱାରା କର୍ପୋରେଟ୍ ଶକ୍ତିମାନଙ୍କର ପ୍ରତିନିଧି ଥିବା ବିଜେପି-ମୋଦୀ ସରକାର ୨୯ ପ୍ରକାରର ଶ୍ରମ ଆଇନକୁ ବଦଳାଇ 4ଟି ଶ୍ରମ ସଂହିତା ରୂପେ ପରିବର୍ତ୍ତନ କରିଦେଇଛି । ସେମାନେ ଏହି ଶ୍ରମ ସଂହିତାକୁ ଜୋର ଜବରଦସ୍ତ ଆଣିବା ପାଇଁ ଲାଗି ପଡିଛନ୍ତି । ସେମାନେ ଏହି ଶ୍ରମ ସଂହିତାକୁ ଶ୍ରମିକ ୟୁନିଅନମାନଙ୍କ ବିରୋଧ ସତ୍ତ୍ଵେ ଜୋର ଜବରଦସ୍ତ ଲାଗୁ କରିବା ପାଇଁ ଚେଷ୍ଟା କରୁଛନ୍ତି । ଯଦି ଦେଶରେ ଶ୍ରମ ସଂହିତା ସମ୍ପୂର୍ଣ୍ଣ ଭାବେ ଲାଗୁଚି ହୋଇ ଆସିଯିବ, ତେବେ ଶ୍ରମିକ ବର୍ଗ ପାଇଁ ସଙ୍ଘ ଗଠନ କରିବା, ଧାରଣା ଓ ଆନ୍ଦୋଳନ କରିବା ଅତ୍ୟନ୍ତ କଠିନ ହେଇପଡ଼ିବ । ଶ୍ରମିକଙ୍କ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଥିବା ବିଭିନ୍ନ କାର୍ଯ୍ୟକ୍ରମ କେବଳ ମାଲିକଙ୍କ ଦୟା ଉପରେ ହିଁ ନିର୍ଭର କରିବ । ଏଥିସହିତ 8 ଘଣ୍ଟିଆ କାର୍ଯ୍ୟଦିବସ ପାଇଁ ରହିଥିବା ଆଇନ ଅକାମୀ ହୋଇଯିବ ଓ ତା ବଦଳରେ ୧୨ ଘଣ୍ଟିଆ କାର୍ଯ୍ୟଦିବସ ବୈଧ ହୋଇଯିବ । ଯଦିଓ ଶ୍ରମିକ ସଂଗଠନମାନଙ୍କ ବିରୋଝ ଲାଗି କେନ୍ଦ୍ର ସରକାର ଶ୍ରମକୋଡକୁ ପ୍ରଣୟଞ କରିଥିଲେ ମଧ୍ୟ ଏଯାଏଁ ଲାଗୁ କରିବାକୁ ସାହସ କରି ପାରିନାହାଁନ୍ତି କିନ୍ତୁ ବିଭିନ୍ନ ରାଜ୍ୟରେ ବିଜେପି ଓ ଏନଡିଏ ଭୁକ୍ତ ଦଳମାନଙ୍କ ରହିଥିବା ସରକାରମାନେ ତାକୁ ଧିରେ ଧିରେ ଲାଗୁ କରି ଚାଲିଛନ୍ତି । ବର୍ତ୍ତମାନ ଅବସ୍ଥାରେ ପ୍ରଚଳିତ ଥିବା ଶ୍ରମ ଆଇନଗୁଡ଼ିକ ଠିକ୍ ଭାବେ ଲାଗୁ ହେଉନଥିଲେ ବି ସେସବୁ ଦେଶର ଶ୍ରମିକ ଶ୍ରେଣୀକୁ ଅନେକ ଗୁଡ଼ିଏ ଶ୍ରମ ଅଧିକାର ପ୍ରଦାନ କରିଥିଲା । ପ୍ରସ୍ତାବିତ ଶ୍ରମକୋଡରେ ଶ୍ରମିକ ବର୍ଗଙ୍କ ପାଇଁ ନା ରୋଜଗାର ସୁରକ୍ଷା ଅଛି, ନା ସାମାଜିକ ସୁରକ୍ଷା । ଦେଶର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୯୦% ଶ୍ରମିକଙ୍କ ପାଖରେ PF, ESI, ପେନସନ ଭଳି କୌଣସି ଆଇନସମ୍ମତ ଅଧିକାର ନାହିଁ । ଆଶା, ଆଙ୍ଗନବାଡ଼ି, ସ୍ୱଚ୍ଛସାଥି, ସୁପରଭାଇଜର, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ମହିଳା ଶ୍ରମିକମାନଙ୍କ ଭଳି ଅନେକ ସ୍କିମ ୱାର୍କରମାନଙ୍କୁ ବର୍ଷ ବର୍ଷ ଧରି କାମ କରୁଥିଲେ ମଧ୍ୟ ସରକାର କର୍ମଚାରୀର ମାନ୍ୟତା କି ମୌଳିକ ସୁବିଧା ଯୋଗାଇଦେବାରେ ବିଫଳ ହୋଇଛନ୍ତି । ଏପରିକି ସେମାନଙ୍କୁ କୌଣସି ସର୍ବନିମ୍ନ ଦରମା କିମ୍ଭା ସାମାଜିକ ସୁରକ୍ଷା ମଧ୍ୟ ଉପଲବ୍ଧ ନାହିଁ । ଏହା ବ୍ୟତୀତ ମୋଦି ସରକାରଙ୍କ ଜନବିରୋଧୀ ନୀତି ଯୋଗୁଁ ଦେଶରେ ଆବଶ୍ୟକ ଜିନିଷପତ୍ର ଦାମ ନିରନ୍ତର ବଢ଼ି ଲୋକଙ୍କ ଆର୍ଥିକ ସ୍ଥିତିକୁ ଖରାପ କରୁଛି । ଦେଶରେ ଯୁବକ ଯୁବତୀମାନଙ୍କୁ ରୋଜଗାର ଦେବାରେ ମୋଦି ସରକାର ଏକଦମ୍ ବିଫଳ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଏଆଇକେଏମଏସର ଜିଲ୍ଲା ସମ୍ପାଦକ କେଦାର ଶବର, ଜିଲ୍ଲା କମିଟି ସଭ୍ୟ ସୁମ୍ବାରା ଶବର, କାଡୁକା ଶବର, ଆଇଏଫଟିୟୁର କାରୁଗା ଶବର, ଓଡ଼ିଶା କୃଷକ ସଭାର ଏମ୍ ବାଙ୍ଗାରି, ଦଣ୍ଡପାଣି ରଇତ, ଏଆଇଟିୟୁସିର ନରସିଂହ ମାଳବିଷୋୟୀ, ରଞ୍ଜନ ମହାପାତ୍ର, GDMWAର କେ. ରାମାରାଜୁ, ଡି ଜଗନ୍ନାଥ ରାଓ,ଟିୟୁସିସିର ପି, ମୁରଲୀ କ୍ରିଷ୍ଣା, ଏଆଇସିସିଟିୟୁର ଶ୍ରୀନୁ ବେହେରା, ଦି ସମେଶ୍ବ ରାଓ, ଏଏସଏନଏସୟୁର ଓନକ୍ୟ ଭୂୟାଁ, ରମେଶ ଭୂୟାଁ ପ୍ରମୁଖ ନେତୃତ୍ୱ ଦେଇଥିଲେ ।
ସର୍ବଭାରତୀୟ ହରତାଳ ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡିରେ କୃଷକ ଓ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ବନ୍ଦ ପାଳନ !!!

