ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଥାନା ଢାମୁଣି ଗାଁର ଶ୍ରୀହରି ଗ୍ରାନାଇଟର ମ୍ୟାନେଜର ଧର୍ମେନ୍ଦ୍ର କୁମାରଙ୍କୁ ଅପହରଣ କରି ନେଇଥିଲେ ଅଭିଯୁକ୍ତ । ସମସ୍ତ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶ ବିଜୟନଗରମ ସହରର ହୋଇଥିବା ବେଳେ, ବ୍ୟବସାୟିକ ଶତୃତାକୁ ନେଇ ଅପହରଣ କରିଥିବା ଜଣାପଡିଛି। ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ଗଜପତି ଏସ୍ପି କହିଛନ୍ତି ଯେ, ବିଜୟନଗରମର ଗୋପାଳ ସିଂ ନାମକ ଜଣେ ବ୍ୟବସାୟୀଙ୍କୁ ବ୍ୟବସାୟ କାରବାର ନେଇ ଏକ ଲକ୍ଷ ଟଙ୍କା ଦେବାକୁ ଥିଲେ ଧର୍ମେନ୍ଦ୍ର କୁମାର। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ହଠାତ ୧୩ ତାରିଖ ଅପରାହ୍ନ ୩ଟା ସମୟରେ ଦୁଇଟି କାର ରେ ୭ ଜଣ ସହଯୋଗୀଙ୍କୁ ନେଇ ଗ୍ରାନାଇଟ ଫ୍ୟାକ୍ଟ୍ରି ମଧ୍ୟରେ ପ୍ରବେଶ କରି ବଳପୂର୍ବକ ଧର୍ମେନ୍ଦ୍ରଙ୍କୁ ଉଠାଇ ନେଇଥିଲେ , ଏବଂ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ନିକଟସ୍ଥ ଜୟଶ୍ରୀ ଗ୍ରାନାଇଟ ଫ୍ୟାକ୍ଟ୍ରିର ମ୍ୟାନେଜର ତାରା ସିଂ ଯାଦବ ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ପାରଳାଖେମୁଣ୍ଡି ଏସଡିପିଓ ମାଧବ ନାୟକଙ୍କ ନେତୃତ୍ବରେ ଏକ ଟିମ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଜୟନଗରମ ଠାରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅପହରଣରେ ବ୍ୟବହାର କରାଯାଇଥିବା ଦୁଇଟି କାର ସହ ଅଭିଯୁକ୍ତଙ୍କ ଠାରୁ ଚାରୋଟି ମୋବାଇଲ ନଗଦ ୨୫ ହଜାର ଟଙ୍କା ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।
ଅପହରଣ ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ !!!

