ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପୂର୍ବତନ ସରପଞ୍ଚ ତାଲା ପକେଇଲେ , ବିଡ଼ିଓ ଆସି ଚାବି ଖୋଲିଲେ , ହେଲେ ପୁଣି ଘରକୁ ତାଲା ପକାଇଲେ ପୂର୍ବତନ ସରପଂଚ ! ଡମପଡା ବ୍ଲକର ଦୁଲଣାପୁର ଗ୍ରାମ ପଂଚାୟତ ପୂର୍ବ ସରକାର ସମୟରେ ବହୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା | କୋଟି କୋଟି ଟଙ୍କାର ଏନ ଆର ଜି ଏସ ଦୁର୍ନୀତି, କାମ ନ କରି ବିଲ ପାସ, ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ, ଚାକିରୀ ରୁ ଜି ଆର ଏସ ବିଦା ହେବା ପରି କାର୍ଯ ମାନ ଘଟିଥିଲା ! ପୂର୍ବତନ ସରପଞ୍ଚ ସୁନୀଲ କୁମାର ସାହୁ ସେହି ସମୟରେ ଇନ୍ଦିରାଆବାସ ସାହିରେ ଏକ ଅଙ୍ଗନବାଡି କେନ୍ଦ୍ର ନିଜ ଠିକାଦାରୀ ରେ ନିର୍ମାଣ କରିଥିଲେ | ଆଜିକୁ ଦୁଇ ବର୍ଷରୁ ଅଧିକ ସମୟ ହେବ ନିର୍ମାଣ କାର୍ଯ୍ୟ ସାରିଥିଲେ ମଧ୍ୟ ସେ ନବ ନିର୍ମିତ ଘରକୁ କେନ୍ଦ୍ର ମୁଖ୍ୟ ଲଲିପ ମହାପାତ୍ରଙ୍କୁ ହସ୍ତାନ୍ତର କରୁ ନାହାନ୍ତି | ତେଣୁ ବର୍ଷ ବର୍ଷ ଧରି ଉକ୍ତ ଦିଦିଙ୍କ ଘରେ ଅଙ୍ଗନବାଡି କେନ୍ଦ୍ର ଚାଲୁଛି | ବର୍ତ୍ତମାନ ଏହି କେନ୍ଦ୍ରରେ ଆଠ ଜଣ ଶିଶୁ ପଢୁଛନ୍ତି | ସହାୟକ ପ୍ରିୟଙ୍କା ମନ୍ତ୍ରୀ ଏବଂ ଶିକ୍ଷକ ଲଲିପ ମହାପାତ୍ର ବହୁ ସମୟ ଡମପଡା ବ୍ଲକ ବିଡ଼ିଓ, ସିଡିପିଓ ଏବଂ ଜୋନ ସୁପର ଭାଇଜରଙ୍କୁ ଜଣାଉଥିଲେ ବି ପୂର୍ବ ସରପଞ୍ଚ ଘର ଚାବି ଦେଉ ନଥିଲେ | ଲକ୍ଷାଧିକ ଟଙ୍କାର ଘର ଏବେ ଜରାଜୀର୍ଣ ଅବସ୍ଥାରେ ରହିଛି | ବିଦ୍ୟୁତ ସରଞ୍ଜାମ ସବୁ ଚୋରି ହେଲାଣି | କେନ୍ଦ୍ର ପରିସର ଅନାବନା ଜଙ୍ଗଲରେ ପରିପୂର୍ଣ ରହିଲାଣି | ରାତିହେଲେ ମଦୁଆ ଗଞ୍ଜୋଡ଼ଙ୍କ ଆଶ୍ରୟସ୍ଥଳୀ ପାଲଟିଛି ଲୋକଙ୍କ ରାଜସ୍ବ ଟଙ୍କାରେ ତିଆରି ହୋଇଥିବା ସରକାରୀ ଅଙ୍ଗନବାଡି ଗୃହ | ବର୍ତ୍ତମାନର ସରପଞ୍ଚ ହେଉ କି ଶାସକ, ବିରୋଧୀ ଦଳର ନେତା ଜନ ପ୍ରତିନିଧି କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି | ନିକଟରେ ବର୍ତ୍ତମାନର ଯୁବ ବିଡ଼ିଓ ଅଂଶୁମାନ ଦାସଙ୍କୁ ଘଟଣା ସମ୍ପର୍କରେ ଜଣାଇବାରୁ ମେ ବାଇଶି ତାରିଖରେ ଆସି ସମସ୍ତଙ୍କ ଉପସ୍ଥିତି ରେ କେନ୍ଦ୍ର ଗୃହ ଚାବି ଖୋଲା ଯାଇଥିଲା | କିନ୍ତୁ ଗୋଟେ ଦିନ ପରେ ଉକ୍ତ ଘର ଚାବି ପୁଣିଥରେ ଠିକାଦାର ପୂର୍ବ ସରପଞ୍ଚ ନେଇ ଯାଇଥିଲେ | ତାଙ୍କ କହିବା କଥା ସେ ଗୃହ ନିର୍ମାଣର ବକେୟା ଟଙ୍କା ଏ ପର୍ଯ୍ୟନ୍ତ ପାଇ ନାହାନ୍ତି | ତେଣୁ ସେ ଗୃହ ଚାବି ଦେବେ ନାହିଁ |ଏଠି ପ୍ରଶାସନ ବି ହାର ମାନୁଛି | ହଇରାଣ ହେଉଛନ୍ତି କୋମଳମତି ଶିଶୁ ମାନେ | ତୁରନ୍ତ କିଛି ସମାଧାନର ପଥ ବାହାର କରି ପୁନର୍ବାର ନବ ନିର୍ମିତ ଅଙ୍ଗନବାଡ଼ି ଗୃହ ସ୍ଥାୟୀ ଭାବେ ଚାଲୁ କରିବାକୁ ଦୁଲଣାପୁର ଜନ ସାଧାରଣ ଦାବି କରିଛନ୍ତି |
ବିଡ଼ିଓ ଆସି ଚାବି ଖୋଲିଲେ : ହେଲେ ପୁଣି ଘରକୁ ତାଲା ପକାଇଲେ ପୂର୍ବତନ ସରପଞ୍ଚ !!!

