ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ୟୁରିଆ ସାରକୁ ନେଇ ଡମପଡା ବ୍ଲକର ସବୁ ଗ୍ରାମରେ ଚାଷୀ ଅଶାନ୍ତି | ନିଅଣ୍ଟିଆ ବର୍ଷା ପାଇଁ ଏକର ଏକର ଚାଷ ଜମି ଚଳିତ ବର୍ଷ ପଡିଆ ପଡିଛି | ବିଳମ୍ବ ହେଉପଛେ ଲଘୁଚାପ ଜନିତ ବର୍ଷା ପରେ ଚାଷ ଜମି ରୁଆ ସରିଛି କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁ ସାର ପିଡିଆ ଦେବା କଥା ତାହା ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ | ଡମପଡା ବ୍ଲକର ଦୁଲଣାପୁର ଏବଂ ତାଳବସ୍ତ ପଂଚାୟତରେ ଦୁଇଟି ସମବାୟ ସମିତି ତାଳବସ୍ତ ଏବଂ ପଦନପୁର ଗ୍ରାମରେ ରହିଛି | ଆବଶ୍ୟକତା ଠାରୁ କମ ୟୁରିଆ ସାର ଗ୍ରାମାଞ୍ଚଳ ଚାଷୀଙ୍କୁ ବଣ୍ଟନ କରାଯାଇଛି | ଦୁଲଣାପୁର, ତାଳବସ୍ତ ଏବଂ ପଦନପୁର ଠାରେ ଥିବା ପାଞ୍ଚୋଟି ସାର ଦୋକାନରେ ମଧ୍ୟ ୟୁରିଆ ସାର ଗଛିତ ନାହିଁ | ଚାଷୀ ସବୁଦିନ ଦୋକାନ ମୁଁହରୁ ନିରାଶ ହୋଇ ଫେରୁଛି | କିଛି ବଡ଼ ବଡ଼ ଚାଷୀଙ୍କୁ ଚୋରାରେ ଏବଂ ଚଢା ଦରରେ ସାର ଦୋକାନୀ ମାନେ ୟୁରିଆ ସାର ବିକ୍ରି କରୁଛନ୍ତି | କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଚାଷୀ ଏଥିପାଇଁ ହଇରାଣ ହେଉଛନ୍ତି | କିଛି ଦୋକାନୀ ପନିପରିବା ଓ ଧାନ ଔଷଧକୁ ଡୁପ୍ଲିକେଟ କରି ବିକ୍ରି କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ ଆଣୁଛନ୍ତି | ବିନା ଲାଇସେନ୍ସ ଓ ନବୀକରଣରେ ଦୁଇଟି ଦୋକାନ ଅସାଧୁ ଉପାୟରେ ବ୍ୟବସାୟ କରୁଛନ୍ତି | ବ୍ଲକ କୃଷି ବିଭାଗ ତଥା ବାଙ୍କୀ ପ୍ରଶାସନ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉ ନାହାନ୍ତି ଯାହା ଫଳରେ ଗ୍ରାମାଞ୍ଚଳରେ ଏହି ସାର ବେପାରୀଙ୍କ ଉତ୍ପାତ ବଢ଼ି ଚାଲିଛି |
ଚଢ଼ା ଦରରେ କେବଳ ବଡ଼ ଚାଷୀଙ୍କୁ ସାର ବିକ୍ରି !!!

