ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ନୁଆସାହି ସ୍କୁଲ ଖେଳ ପଡିଆରେ ପ୍ରଥମ କରି ଜିଲ୍ଲାସ୍ତରୀୟ ଖୋ -ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏହାକୁ ବାଙ୍କୀର ଦୁଇ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ତାଳବସ୍ତର ଶ୍ରୀରାମ କମିଟି ଏବଂ ଚକାପଦାର ଆଦର୍ଶ ଯୁବ ପରିଷଦ ଆୟୋଜନ କରିଥିଲେ | ବାଙ୍କୀ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ ପ୍ରଥମେ ଯୋଗ ଦେଇଥିବା ଜିଲ୍ଲାର ଆଠ ଗୋଟି ଦଳର ପତାକା ଟେକି ଶୁଭାରମ୍ଭ କରିଥିଲେ | ଖୋ -ଖୋ କ୍ରୀଡାକୁ ତାଳବସ୍ତ ଗ୍ରାମରେ ପ୍ରସାର ପ୍ରଚାର ସହିତ ନୂଆ କ୍ରୀଡ଼ାବିତଙ୍କୁ ଜିଲ୍ଲା, ରାଜ୍ୟସ୍ତରକୁ ନେବା ପାଇଁ ସମସ୍ତ ସହଯୋଗ କରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ | ଉଦଘାଟନ ଉତ୍ସବର ଅନ୍ୟତମ ଅତିଥି ଭାବେ ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା, ଯୁବ ନେତା ଶୋଭନ ମହାନ୍ତି, ବରିଷ୍ଟ ନାଗରିକ ଶ୍ୟାମ ପ୍ରଧାନ, ଗାଁ ମହକ ପତ୍ରିକାର ସମ୍ପାଦକ ତଥା ସାମାଜିକ କର୍ମୀ ଅକ୍ଷୟ କୁମାର ସାମଲ ପ୍ରମୁଖ ଯୋଗ ଦେଇ କ୍ରୀଡାର ଉପକାରିତା ଏବଂ ସୁସ୍ଥ ସମାଜ ଗଠନରେ ଏହାର ଭୂମିକା ଉପରେ ଆଲୋଚନା କରିଥିଲେ | ଡମପଡା ବ୍ଲକର ବହୁ ଗ୍ରାମର ଶହ ଶହ ଖୋ -ଖୋ କ୍ରୀଡ଼ାପ୍ରେମୀଙ୍କ ତାଳବସ୍ତରେ ଏକତ୍ର ହେବାର ପରିବେଷକୁ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲା | ଶ୍ରୀରାମ କମିଟି ସଭାପତି ବିଶ୍ୱ ରଞ୍ଜନ ସ୍ୱାଇଁଙ୍କ ସଭାପତିତ୍ଵରେ ଉଦଜାପାନ ତଥା ପୁରସ୍କାର ବିତରଣୀ ସଭାରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ଅବସର ପ୍ରାପ୍ତ ନୌସେନା ଅଧିକାରୀ କୁମର ପ୍ରଧାନ, ସୁ ସାହିତ୍ୟିକ ଲଲାଟେନ୍ଦୁ ପଣ୍ଡା ଯୋଗଦେଇ ବିଜୟୀ କନ୍ଦରପୁର ବାଳକ ଓ ବାଳିକା ଦଳକୁ ବିଜେତା ଜିଲ୍ଲା ଖୋ -ଖୋ ଟ୍ରଫି ଏବଂ କଟକ ସିଡିଏ ଓ ତାଳବସ୍ତ ବାଳିକା ଦଳକୁ ଉପ ବିଜେତା ଜିଲ୍ଲା ଖୋ -ଖୋ ଟ୍ରଫି ପ୍ରଦାନ କରିଥିଲେ | ଅନୁଷ୍ଠାନ ତରଫରୁ ବାଙ୍କୀ, ହରିରାଜପୁର ଅଂଚଳର ଯୁବ ସାମାଜିକ କର୍ମୀ ପ୍ରଦୀପ କୁମାର ଜେନା ଏବଂ ଦୁଲଣାପୁର ଗ୍ରାମରେ ଦିବ୍ୟାଙ୍ଗ ଖବର କାଗଜ ବିତରକ ନିର୍ବାଚନ ସିଠଙ୍କୁ ମୁଖ୍ୟ ଅତିଥୀଙ୍କ ଦ୍ଵାରା ଉତ୍ତରୀୟ, ପୁଷ୍ପଗୁଚ୍ଛ,ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |ତାଳବସ୍ତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସେଠୀଙ୍କ ସଂଚାଳନରେ ଉକ୍ତ ଦିବସ ବ୍ୟାପି ଖୋ -ଖୋ କ୍ରୀଡା ସମାରୋହ ଶାନ୍ତି ଶୃଙ୍ଖଳା ସହ ସମାପିତ ହୋଇଥିଲା | ସମ୍ପାଦକ ପ୍ରଭାତ ରାଜ ଧନ୍ୟବାଦ ପ୍ରଦାନ କରିଥିଲେ | ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ସକ୍ରିୟ ସଭ୍ୟ ସୁଶାନ୍ତ କୁମାର ମହାରଣା,ଶିବ ନାରାୟଣ ଷଡ଼ଙ୍ଗୀ, ସିପୁନ ଦଳେଇ, ଅମରଜିତ ନାୟକ, ତାଳବସ୍ତ ବାଳକ ଖୋ ଖୋ ଟିମର ସମସ୍ତ ଖେଳାଳିମାନେ ପ୍ରତିଯୋଗିତାକୁ ସଫଳ କରିବାରେ ସହଯୋଗ କରିଥିଲେ |
କନ୍ଦରପୁରର ବାଳକ ଓ ବାଳିକା ଖୋ -ଖୋ ଦଳ ଜିଲ୍ଲା ଟ୍ରଫି ହାତେଇଲେ !!!

