ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡାକ୍ତରଖାନା ମାନଙ୍କରେ ବହୁ ଅବ୍ୟବସ୍ଥା , ଡାକ୍ତରଙ୍କ ଅଭାବ ସାଙ୍ଗକୁ ରୋଗୀ ମାନଙ୍କୁ ଡାକ୍ତର ଓ କର୍ମଚାରୀ ମାନଙ୍କର ଅଶୋଭନୀୟ ଆଚରଣର ଖବର ପ୍ରତିଦିନ ଅଳ୍ପ ବହୁତ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ନିଜକୁ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରତି ବ୍କକରେ ଦିନିକିଆ ବ୍କକ ସ୍ତରୀୟ ସ୍ୱାସ୍ଥ୍ୟସେବା ଶିବିର । ସେହି କ୍ରମରେ ବାଙ୍କୀ ଡମପଡା ବ୍କକର ତାଳବସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି ଦିନିକିଆ ସ୍ଵାସ୍ଥ୍ୟ ଶିବିର । ଡମପଡା ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ସଂଯୋଜନାରେ ଆୟୋଜିତ ଶିବିରକୁ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଉଦଘାଟନ କରିଥିଲେ । ଆୟୋଜିତ ସାଧାରଣ ସଭାରେ ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ , ଡମପଡା ବ୍କକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ତାଳବସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ସଂଯୋଜକ ଦୁଃସାସନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ତାଳବସ୍ତ ଗ୍ରା.ପ.ର ନବ ନିର୍ବାଚିତ ସରପଞ୍ଚ ଜ୍ୟୋର୍ତିମୟୀ ସାହୁଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅତିଥି ମାନଙ୍କର ନିମନ୍ତ୍ରଣ ପତ୍ରରେ ମଧ୍ୟ ନାମ ଲେଖିବାକୁ ଅଣଦେଖା କରାଯାଇଛି । ଉକ୍ତ ଶିବିର ବହୁ ବିଳମ୍ବରେ ହେବାରୁ ବହୁ ଲୋକ ଅସନ୍ତୋଷ ଜାହିର କରିଥିଲେ । ସବୁ ବିଭାଗର ପର୍ଯ୍ୟାପ୍ତ ପରିମାଣର ଔଷଧ ମଧ୍ୟ ନଥିବାର ଦେଖା ଯାଇଥିଲା । ଅସହ୍ୟ ଖରାରେ ଦୂରରୁ ଆସିଥିବା ରୋଗୀଙ୍କ ପାଇଁ ଗାଡି ପାର୍କିଙ୍ଗ , ଖାଦ୍ୟ ଓ ଜଳପାନର ବ୍ୟବସ୍ଥା ମଧ୍ୟ ରହି ନଥିଲା । ଆୟୋଜିତ ଶିବିର ସମ୍ପର୍କରେ ଅଳ୍ପ କେତେକ ହାତ ଗଣତି ଗଣମାଧ୍ୟମ କୁ ଜଣାଯାଇଛି ଯାହା ବାଙ୍କୀ ସାମ୍ବାଦିକ ମହଲରେ ଆଲୋଚନା ହେଉଛି । ଡମପଡା ବ୍କକର ମଧ୍ୟସ୍ଥଳ ଡମପଡା ଚିକିତ୍ସାଳୟରେ ଶିବିରକୁ କରିଥିଲେ ସବୁ ପଞ୍ଚାୟତର ଜନସାଧାରଣ ଉପକୃତ ହୋଇ ପାରିଥାନ୍ତେ । ତାଳବସ୍ତ ଅଞ୍ଚଳରେ ଶାସକ ଦଳର ପରାଜୟକୁ ଲୋକ ମାନଙ୍କ ମନରୁ ଭୁଲେଇବା ପାଇଁ ସ୍ଥାନ ନିରୁପଣ ହେଉଛି ଏକ ପ୍ରକାର ସୁଚିନ୍ତିତ କାର୍ଯ୍ୟକ୍ରମ । ଯାହାକୁ ବହୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ଶିବିରରେ ରୋଗୀଙ୍କ ସଂଖ୍ୟା ଅପେକ୍ଷା ବହୁ ଶାସକ ଦଳର କର୍ମୀଙ୍କୁ ଦେଖିବାକୁ ମିଳିଥିଲା ।

