ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀ : ନାହାଁନ୍ତି ଡାକ୍ତର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆସୁ ନାହାଁନ୍ତି ଡାକ୍ତର, ଫାର୍ମାସିଷ୍ଟଙ୍କ ଭରଷାରେ ଚାଲିଛି ଚିକିତ୍ସାଳୟ ।ବିଶ୍ଵାସ ହେଉ ନ ଥିଲେ ବି କଥାଟି ସତ , ଏହା କୌଣସି ଦୁର୍ଗମ ଅଞ୍ଚଳର ସମସ୍ୟା ନୁହେଁ , ପ୍ରଶାସନର ନାକ ତଳେ ରହିଥିବା ପାରଳାଖେମୁଣ୍ଡି ସହରାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଏଠାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ସପ୍ତାହର ପ୍ରତ୍ୟେକ ଦିନ ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ଆସି ରୋଗୀ ଚିକିତ୍ସା କରିବା କଥା । ହେଲେ କୌଣସି ବିଶେଷଜ୍ଞ ଆସିବା ତ ଦୂରର କଥା ନିଯୁକ୍ତ ଡାକ୍ତର ମଧ୍ୟ ଆସୁନଥିବା ଅଭିଯୋଗ ହୋଇଛି । ଫଳରେ ସେଠାକାର ଫାର୍ମାସିଷ୍ଟ ହିଁ ରୋଗୀଙ୍କ ସାହାରା ପାଲଟିଛନ୍ତି ।ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି 4 ନମ୍ବର ୱାର୍ଡ ଅନ୍ତର୍ଗତ ଭଣ୍ଡାରୀସାହି ଠାରେ ଥିବା ସହରାଞ୍ଚଳ ଚିକିତ୍ସାଳୟ । ଏହା ଗଞ୍ଜାମ ଜିଲ୍ଲା ଅଧୀନରେ ଥିବା ସମୟରେ 1973 ମସିହାରେ ଏହି ଚିକିତ୍ସାଳୟ ଆରମ୍ଭ ହୋଇଥିଲା । ଦୀର୍ଘ ଦିନ ଧରି ଏହା ପାରଳାଖେମୁଣ୍ଡି ପୋୖର ପରିଷଦ ଦ୍ବାରା ପରିଚାଳିତ ହୋଇ ଆସୁଥିଲା । ହେଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଗଠନ ହେବା ପରେ 2016 ମସିହାରେ ଏହାକୁ ନିଜ ହାତକୁ ନେବା ସହ ପୁନଃ ଉଦ୍ଧାର ପାଇଁ ପ୍ରୟାସ କରିଥିଲା । 2018 ମସିହାରେ ଏହାର ପୁନଃ ଉଦ୍ଧାର କରାଯାଇ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଆରମ୍ଭ ହୋଇଥିଲା । ପୋୖର ପରିଷଦ ଅଧୀନରେ ଥିବା ସମୟରେ ଶେଷ 12 ବର୍ଷ କେହି ଡାକ୍ତର ନଥିଲେ । ସେହିପରି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହେବା ପରେ ମଧ୍ୟ ପ୍ରାୟ ଗୋଟିଏ ବର୍ଷ ଧରି କେହି ଡାକ୍ତର ନଥିଲେ ।2019 ମସିହାରେ ଜଣେ ଡାକ୍ତର ନିଯୁକ୍ତି ହୋଇଥିଲେ । ଏହା ପରଠାରୁ ଡାକ୍ତର ନିଯୁକ୍ତ ରହିଛନ୍ତି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ସେ ପ୍ରାୟ ଗୋଟିଏ ମାସ ହେବ ଛୁଟିରେ ଅଛନ୍ତି । ତାଙ୍କ ସ୍ଥାନରେ କାହାକୁ ମଧ୍ୟ ଦାୟିତ୍ବ ଦିଆ ଯାଇନାହିଁ । ସହରର ଦୁଇଟି ୱାର୍ଡର ଲୋକେ ନିର୍ଭର କରୁଥିବା ଏହି ଡାକ୍ତରଖାନା କୁ ସପ୍ତାହ ର ପ୍ରତ୍ୟେକ ଦିନ ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ଆସି ରୋଗୀଙ୍କ ଚିକିତ୍ସା କରିବା ପାଇଁ ନିୟମ ରହିଛି । ହେଲେ ସେମାନେ ଆଜି ଯାଏଁ ଆସି ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଗତ ଗୋଟିଏ ମାସ ହେଲା ଜଣେ ଫର୍ମାସିଷ୍ଟଙ୍କ ଭରସାରେ ଏହି ଚିକିତ୍ସାଳୟ ଚାଲିଥିବା ଲୋକେ କହିଛନ୍ତି । ଚିକିତ୍ସାଳୟକୁ ସୁନ୍ଦର କରିବା ସହ ଉଚିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଛନ୍ତି । ହେଲେ ବାସ୍ତବରେ ଏହା ଯେ ପ୍ରଚାର ସର୍ବସ୍ୱ ତାହା ଏହି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା କୁ ଦେଖି ସ୍ୱଷ୍ଟ ବାରି ହୋଇ ପଡୁଛି । ଏଠାରେ ଜଣେ ଫାର୍ମାସିଷ୍ଟ , ଜଣେ ଏଏନଏମ୍ , ଜଣେ ନର୍ସ ରହିଛନ୍ତି । ସେମାନେ ହିଁ ରୋଗୀଙ୍କ ଚିକିତ୍ସା କରୁଥିବା କହିଛନ୍ତି ୱାଡ଼ କାଉନସିଲର । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ପ୍ରଦୀପ କୁମାର ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ ନିଯୁକ୍ତ ଡାକ୍ତରଙ୍କ ଦେହ ଖରାପ ଥିବା ରୁ ସେ ଚିକିତ୍ସା ପାଇଁ ଯାଇଛନ୍ତି । ତେଣୁ ଡାକ୍ତର ନାହାନ୍ତି । ଅତିଶୀଘ୍ର ଏହାର ବିକଳ୍ପ ପଦକ୍ଷେପ ଗ୍ରହଣ କରାଯିବ । ଜିଲ୍ଲା ସଦର ମହକୁମାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ର ଅବସ୍ଥାକୁ ଦେଖିଲେ ଦୁର୍ଗମ ଅଞ୍ଚଳରେ କିଭଳି ଲୋକେ ସ୍ୱାସ୍ଥ୍ୟ ସେବା ପାଉଥିବେ ତାହା ସହଜେ ଅନୁମେୟ ।

Leave a Reply

Your email address will not be published. Required fields are marked *