ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଜରପଡା ଥାନା କୋରଡା ଗ୍ରାମରେ ବଡବନ୍ଧ ମାଛ ଭାଗବଣ୍ଟା କୁ କେନ୍ଦ୍ରକରି ପାଟିତୁଣ୍ଡ ହେବା ସହିତ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି । ଏପରିକି ଗ୍ରାମର ବଡବନ୍ଧ ଠାରେ ୫୦ ରୁ ଉର୍ଦ୍ଧ୍ବ କେଜି ମାଛ ପଡି ରହିଛି । ଘଟଣାରୁ ପ୍ରକାଶ କୋରଡା ଗ୍ରାମରେ ଗ୍ରାମ ସଭାପତି ମିତ୍ରଭାନୁ ପ୍ରଧାନଙ୍କ ନେତୃତ୍ବରେ ଗ୍ରାମର ବଡବନ୍ଧ ପୋଖରୀ ମାଛ ମରା ଯାଇଥିଲା । ଗ୍ରାମର ଥିବା ୫ଟି ସାହିର ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଗ୍ରାମର ୬୨୦ ପରିବାରକୁ ସାହିର ଲୋକସଂଖ୍ୟା ଅନୁଯାୟୀ ଭାଗ କରିବା ସହିତ ପ୍ରତ୍ୟେକ ସାହିରୁ ଆସିଥିବା ଭଦ୍ରବ୍ୟକ୍ତିଙ୍କ ତତ୍ବାବଧାନରେ ମାଛ ଦିଆ ଯାଇଥିଲା । ଏହି ମାଛ ଭାଗବଣ୍ଟାରେ ପାତର ଅନ୍ତର କରାଯାଇ ଗୋଛାୟତ ପଡାକୁ ଛୋଟ ମାଛ ଦିଆ ଯାଇଥିବା କହି ଗୋଛାୟତପଡାର ଆସିଥିବା ଭଦ୍ରବ୍ୟକ୍ତି ମାନେ ମାଛ ନ ନେଇ ସେଠାରେ ଢାଳି ଦେଇଥିଲେ । ଯାହାକୁ ନେଇ ଗ୍ରାମ ସଭାପତି ଓ ଗୋଛାୟତ ସାହି ଭଦ୍ର ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଧିରେ ଧିରେ ଉଗ୍ର ରୁପ ନେବା ଫଳରେ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଫଳରେ ଗୋଛାୟତପଡା ଓ ହରିଜନ ସାହିର ଲୋକମାନେ ମାଛ ଭାଗ ନେଇ ନଥିବା ବେଳେ ବଡବନ୍ଧ ହୁଡାରେ ପ୍ରାୟ ୫୦ କେଜିରୁ ଉର୍ଦ୍ଧ୍ବ ମାଛ ଖବର ଲେଖାହେବା ସୁଦ୍ଧା ପଡି ରହିଛି । ଏ ନେଇ ଗୋଛାୟତପଡା ପକ୍ଷରୁ ଜରପଡା ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଥିବାର ଜଣାଯାଇଛି ।