ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଶିଶୁ ଶ୍ରମିକ ନିରାକରଣ ଉପରେ ମେ ୨୯ ତାରିଖରୁ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ସଚେତନତା ରଥ ଯାତ୍ରା ଆରମ୍ଭ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଏହି ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ପରିମିତା ମିଶ୍ର, ଗ୍ରାମୀଣ ଶ୍ରମ ନିରୀକ୍ଷକ, ଜିଲ୍ଲାର କାର୍ଯ୍ୟରତ ବିଭିନ୍ନ ସଂଗଠନ ଏବଂ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଶିଶୁ ଶ୍ରମ ନିରାକରଣ, ଶିଶୁ ମାନଙ୍କ ଅଧିକାର ଏବଂ ବେଆଇନ ଭାବେ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜନ ପାଇଁ ଆଇନରେ ରହିଥିବା ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ରଥ ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ଯାତ୍ରା ଆରମ୍ଭ କରିଛି । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ, ନୟାଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୁଲ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହି ରଥ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ବ୍ଲକ ଗସ୍ତ କରି ଲୋକମାନଙ୍କୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କରେ ସଚେତନ କରିବ . ୧୪ ବର୍ଷ ପୁରି ନଥିବା ଶିଶୁଙ୍କୁ କୌଣସି ପ୍ରକାର ବୃତ୍ତି ଏବଂ ଶ୍ରମଭିତ୍ତିକ କାର୍ଯ୍ୟରେ ତଥା ୧୫ ବର୍ଷରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦସଙ୍କୁଳ ବୃତ୍ତି ଓ କାର୍ଯ୍ୟରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା ବେଳେ ଏପରି କାର୍ଯ୍ୟରେ ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ସହ କାରାଦଣ୍ଡର ଆଇନ ବ୍ୟବସ୍ଥା ରହିଛି । କିଛି ଦିନର ସଚେତନତା କାର୍ଯ୍ୟକ୍ରମ ପରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ, କାର୍ଯ୍ୟଳୟ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଚଢଉ ଆରମ୍ଭ କରାଯାଇ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ବାସ୍ତବିକ ସ୍ଥିତିର ଆକଳନ କରାଯିବା ସହିତ ଆଇନ ଉଲ୍ଲଂଘନ କ୍ଷେତ୍ରରେ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ଆମ ଜିଲ୍ଲା ତଥା ରାଜ୍ୟକୁ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ପୋମା ଟୁଡୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ପରିମିତା ମିଶ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *