କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶା ସାମ୍ବାଦିକ ୟୁନିଅନ ସହ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ କଟକ ସର୍କିଟ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରଫୁଲ୍ଲ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ସମସ୍ତ ବ୍ଲକର ସଦସ୍ୟ ତଥା ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ଜିଲ୍ଲା ସମ୍ପାଦକ ଅଜୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଗତ ଦିନରେ ସଂଘର କେତେକ ସଦସ୍ୟ ପରଲୋକ ଗମନ କରିଥିବାରୁ ସେମାନଙ୍କ ସ୍ମୃତିରେ ଶୋକ ବ୍ୟକ୍ତ କରାଯାଇଥିଲା ।
ରାଜ୍ୟରେ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା , ବୀମାଭୁକ୍ତ କରଣ , ସାମ୍ବାଦିକ ସୁରକ୍ଷା ବିଲ ଏବଂ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସଦସ୍ୟ ମାନଙ୍କ ଠାରୁ ମତାମତ ଗ୍ରହଣ କରାଯାଇ ବିବରଣୀ ଲେଖା ଯାଇଥିଲା । ଆଗାମୀ ଦିନରେ ଜିଲ୍ଲା ମୁଖ୍ୟାଳୟରେ ସଂଘର କାର୍ଯ୍ୟାଳୟ ପାଇଁ ସ୍ଥାୟୀ ଘରର ବ୍ୟବସ୍ଥା , ନକଲି ପରିଚୟ ପତ୍ର ବ୍ୟବହାର କରି ସାମ୍ବାଦିକତା ବୃତ୍ତିକୁ ବଦନାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନକୁ ଲିଖିତ ଅଭିଯୋଗ ଏବଂ ବାଙ୍କୀର ଦିବଂଗତ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ ପରିବାରକୁ ଭେଟିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇ ବୈଠକରେ ଅନୁମୋଦନ କରାଯାଇଛି ।
କଟକ ଜିଲ୍ଲା ୟୁନିଅନର ଏହି ବୈଠକ ଏବଂ ପରିଚାଳନା କମିଟିର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟାରେ ଜିଲ୍ଲା ଅନ୍ତର୍ଗତ କଟକ ସଦର , ବାଙ୍କୀ , ଚୌଦ୍ଵାର , ସାଲେପୁର , ମାହାଙ୍ଗା , ଆଠଗଡ଼ ଅଞ୍ଚଳର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।
ଜିଲ୍ଲା ୟୁନିଅନର ପରିଚାଳନା କମିଟି ପାଇଁ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ପ୍ରଫୁଲ୍ଲ କୁମାର ମହାନ୍ତି , ସାଧାରଣ ସମ୍ପାଦକ ଭାବରେ ଅଜୟ କୁମାର ଦାସ , ସମ୍ପାଦକ ଭାବରେ ପ୍ରଦୀପ କୁମାର ପରିଜା , ପୂର୍ଣ୍ଣଚନ୍ଦ୍ର ସାହୁ , ଉପ ସଭାପତି ରୂପେ ପ୍ରଫୁଲ୍ଲ କୁମାର ମିଶ୍ର , ବିଭୂତି ଭୂଷଣ ଦାସ , କୋଷାଧ୍ୟକ୍ଷ ଭାବରେ ଜଗନ୍ନାଥ ରାଉତ , ଆଇନ ପରାମର୍ଶଦାତା ଭାବରେ ଆଡ଼ଭୋକେଟ ବିକ୍ରମ କେଶରୀ ବଳ , ଆଡ଼ଭୋକେଟ ପ୍ରଶାନ୍ତ କୁମାର ରାଉତଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ସମୟରେ ଜାତୀୟ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ କୈଳାସ ଚନ୍ଦ୍ର ଜେନା ଏବଂ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାବରେ ବରିଷ୍ଠ ସାମ୍ବାଦିକ ନିମାଇଁ ଚରଣ ମହାନ୍ତି , ଡ଼ଃ ପ୍ରମୋଦ ମହାପାତ୍ର , ଲାଲ ମୋହନ ପଟ୍ଟନାୟକଙ୍କୁ ଚୟନ କରାଯାଇଛି . ଜିଲ୍ଲା ସଂଗଠନର ପରିଚାଳନା କମିଟିର ସଦସ୍ୟ ଭାବରେ ସାମ୍ବାଦିକ ସତ୍ୟବ୍ରତ ଦାଶ , ଆଶୁତୋଷ ଦାସ , ପ୍ରଜ୍ଞା ପାରମିତା ଆଚାର୍ଯ୍ୟ , ବିଭୂତି ଭୂଷଣ ଜେନା , ରଧାମାଧବ ଦାସ , ହୃଷୀକେଶ ମଲ୍ଲିକ , ତଥାଗତ ବିଶ୍ଵାଳଙ୍କୁ ମନୋନୟନ କରାଯାଇଛି ।