ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହିବାଙ୍କ ବାଘୁଆ ଡ୍ୟାମ ନିକଟରେ ଥିବା ଚାଉଳ ଗୋଦାମରେ ଫସି ଦୁଇ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶ୍ରମିକ ଦୁଇ ଜଣ ହେଲେ , ଗଞ୍ଜାମ ଜିଲ୍ଲା ତିଳି ସିଂ ଗ୍ରାମର ରାମେଶ୍ବର ଦିହୁଡ଼ି ଓ କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ବାଲିସାହି ଗ୍ରାମର ପ୍ରମୋଦ ମହାରଣା । ସୂଚନା ଅନୁଯାୟୀ ବାଘୁଆ ଡ୍ୟାମ ନିକଟରେ ଥିବା ମା’ ମଙ୍ଗଳା ଆଗ୍ରୋ କମ୍ପାନୀର ଚାଉଳ ଗୋଦାମରେ ରାତି ଡ୍ୟୁଟି ଥିବାରୁ ୪ ଜଣ ଶ୍ରମିକ ବିଚିତ୍ର ବେହେରା, ପ୍ରମୋଦ ମହାରଣା, ରାମେଶ୍ବର ଦିହୁଡି, ମନୋଜ କୁମାର ପ୍ରଧାନ କାର୍ଯ୍ୟ କରୁଥିଲେ । ସୋମବାର ଭୋର ସମୟରେ ଗୋଦାମର ଚାଉଳ ଷ୍ଟୋରର ୨୦ଫୁଟ ଲମ୍ବା ବିଶିଷ୍ଟ ଏକ ବିମ ଭାଙ୍ଗିଯିବାରୁ ସେଥିରେ ଥିବା ୫୬୦ ବସ୍ତା ଚାଉଳ ରାମେଶ୍ବର ଓ ପ୍ରମୋଦଙ୍କ ଉପରେ ଲଦି ହୋଇଯାଇଥିଲା । ଅନ୍ୟ ଦୁଇ ଜଣ ଦୂରକୁ ଛିଟିକି ପଡ଼ି ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ବର୍ତ୍ତି ଯାଇଥିବା ଦୁଇ ବନ୍ଧୁ ସେମାନଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଓଡ଼ଗାଁ ପୁଲିସ ପହଂଚି ମାମଲାର ତଦନ୍ତ ଆରମ୍ଭ କରିଛି । ପରିବାରବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରି ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ପ୍ରମୋଦ ମହାରଣା ଏକ ବର୍ଷ ହେବ ଉକ୍ତ ରାଇସ ମିଲରେ କାର୍ଯ୍ୟ କରୁଥିବା ବେଳେ ରାମେଶ୍ବର ୨ ମାସ ହେବ କାମ କରୁଥିଲେ ।

