ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ମାଦକ ଦ୍ରବ୍ୟ, ପଲିଥିନ ଓ ଆମିଷ ବାରଣ ନିମନ୍ତେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍. କୁମାରଙ୍କ ପରାମର୍ଶ କ୍ରମରେ ରାୟଗଡ ବ୍ଲକ ତଥା ଗାରବନ୍ଧ ଥାନା ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଅଞ୍ଚଳରେ ମାଦକ ଦ୍ରବ୍ୟ ବ୍ୟବହାର, ପଲିଥିନ ବ୍ୟବହାର ନକରିବା ଏବଂ ଆମିଷ ଖାଦ୍ୟ ନନେବା ପାଇଁ କଟକଣାକୁ ନେଇ ବ୍ୟାପକ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଡେପୁଟି ଏସପି ମାଧବାନନ୍ଦ ନାୟକ ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହି ବ୍ୟାପକ ଯାଞ୍ଚ କାର୍ଯ୍ୟକ୍ରମ ଚାଲୁ ରହିଥିବାର ଦେଖିବାକୁ ମିଳିଥିଲା । ସମଗ୍ର ଦେଶରେ ଖ୍ୟାତି ଲାଭ କରିଥିବା ତଥା ରାମାୟଣ ସର୍କିଟରେ ସ୍ଥାନ ପାଇଥିବା ଏହି ପବିତ୍ର ତଥା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକେ ଦୈନନ୍ଦିନ ପରିଦର୍ଶନରେ ଆସୁଛନ୍ତି । ହେଲେ କେତେକ ଖଳ ପ୍ରକୃତିର ଲୋକେ ଏହି ପବିତ୍ର ସ୍ଥଳକୁ ମାଦକ ଦ୍ରବ୍ୟ ସହ ଆମିଷ ଭୋଜନ ନିମନ୍ତେ ବଭିନ୍ନ ପ୍ରକାରର ଆମିଷ ବ୍ୟଞ୍ଜନ ନେଇ ଆସୁଛନ୍ତି । ଯେଉଁ ଦ୍ବାରା ଏପରି ପୁରାଣରେ ବର୍ଣ୍ଣିତ ପୁଣ୍ୟ କ୍ଷେତ୍ରର ପରିବେଶ ଅପବିତ୍ର ହେଉଥିବାର ବହୁ ସମୟରେ ବିଭିନ୍ନ ସଂଗଠନ ସହ ସ୍ଥାନୀୟ ଆଦିବାସୀ ମାନେ ଅଭିଯୋଗି କରି ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳରେ ମାଦକ ଦ୍ରବ୍ୟ ସହ ଆମିଷ ସାମଗ୍ରି ଏବଂ ପଲିଥିନ ନେବାକୁ ସମ୍ପୂର୍ଣ୍ଣ କଟକଣା କରିଛନ୍ତି । ଯାହାକୁ ନେଇ ଗାରବନ୍ଧ ଥାନା ପୋଲିସ ପକ୍ଷରୁ ମହେନ୍ଦ୍ରଗିରିକୁ ଆସୁଥିବା ପର୍ଯ୍ୟଟକଙ୍କ ଯାନବାହାନ ତଥା ବ୍ୟାଗ୍ ଆଦି ତନ୍ନ ତନ୍ନ କରିଯାଞ୍ଚ କରିଥିଲେ । ଯେଉଁମାନେ ମଦ, ବିଅର ଆଦି ଆଣିଥିଲେ ସେମାନଙ୍କୁ ମହେନ୍ଦ୍ରାଞ୍ଚଳ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଆମିଷ ଭୋଜନ ତଥା ଆମିଷ ସାମଗ୍ରୀ ନେଇ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଅନ୍ୟତ୍ର ସ୍ଥାନରେ ଖାଦ୍ୟ ଖାଇ ଆସିବାକୁ କୁହାଯାଇଥିଲା । ପଲିଥିନ ବ୍ୟବହାରକାରୀଙ୍କୁ ତାଗିଦ କରାଯାଇ ଆଉ ଏପରି ପଲିଥିନ ବ୍ୟବହାର ନ କରିବା ପାଇଁ କୁହାଯାଇଥିବାର ଦେଖିବାକୁ ମିଳିଥିଲା । ଆଜିର ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ଏସ୍ଆଇ ନାରାୟଣ ଦାସ, ଏଏସଆଇ ଏ.କେ. ବେହେରା ପ୍ରମୁଖଙ୍କ ସମେତ ଥାନାର ବହୁ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଏଠାକୁ ଆସୁଥିବା ପ୍ରତ୍ୟକ ଯାନବାହାନ ଗୁଡିକୁ ଯାଞ୍ଚ କରିଥିଲେ । ସୂଚନା ଯୋଗ୍ୟ ଯେ, ସୌନ୍ଦର୍ଯ୍ୟଭରା ପ୍ରାକୃତିକ ଦୃଶ୍ୟ ଘେରାରେ ରହିଥିବା ଏହି ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତର ପରିବେଶ ମାନବ ସମାଜକୁ ବେଶ ଆକର୍ଷିତ କରିଥାଏ । ତେଣୁ ଏପରି ସ୍ଥଳକୁ ଦୈନନ୍ଦିନ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଅଛି । ବିଶେଷ କରି ଛୁଟି ଦିବସ ତଥା ରବିବାର ଦିନ ଏଠାରେ ପ୍ରବଳ ମାତ୍ରାରେ ଭିଡ ଜମିଥାଏ ।

Leave a Reply

Your email address will not be published. Required fields are marked *