ତାମିଲନାଡୁ କୋଏମ୍ବଟୁର ରୁ ଦୁଇ ଶିଶୁଙ୍କୁ ଉଦ୍ଧାର କଲା ଗଜପତି ଜିଲ୍ଲା ପ୍ରଶାସନ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବାପାମାଆଙ୍କୁ ହରାଇ ସୁଦୂର କୋଏମ୍ବଟୁରରେ ଫସି ରହିଥିବା 4 ଓ 6 ବର୍ଷର ଦୁଇ ନାବାଳକ ଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଆଜି ପାରଳାଖେମୁଣ୍ଡି ଠାରେ ପହଞ୍ଚିଛନ୍ତି । ସୁଦର୍ଶନ ନାୟକ, ଗ୍ରାମ ଭାଲିୟା ସାହି, ମୋହନା ନିଜର ସ୍ତ୍ରୀ ଏବଂ ଏହି ଦୁଇଟି ଶିଶୁଙ୍କୁ ନେଇ କୋଏମ୍ବଟୁରରେ ଶ୍ରମିକ ଭାବେ କାମ କରୁଥିଲେ । କିନ୍ତୁ ପ୍ରାୟ ଏକ ମାସ ତଳେ ସ୍ୱାମୀ ସ୍ତ୍ରୀ କଳହ ଯୋଗୁଁ ସ୍ୱାମୀ ସୁଦର୍ଶନ ନାୟକ ସ୍ତ୍ରୀଙ୍କୁ ମାରିଦେବା ସହ ସ୍ଥାନୀୟ ଏକ ଯୁବକ ସହ ଝଗଡ଼ା ହୋଇ ତାଙ୍କୁ ବି ଗୁରୁତର ଆହତ କରିଥିଲେ । ପରବର୍ତ୍ତୀ ସମୟରେ ସୁଦର୍ଶନ ତାମିଲନାଡୁ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିଲେ । କିନ୍ତୁ ଦୁଃଖର କଥା ଶିଶୁ ଦୁଇଟିର ଯତ୍ନ ଓ ସୁରକ୍ଷା ନେବା ଲାଗି ସେଠାରେ କେହି ନଥିଲେ ଶିଶୁ ମାନଙ୍କର ଜେଜେ ବାପା ମୋହନାରେ ରହି ଏହି ସବୁ କଥା ଜାଣିବା ପରେ ସେଠାକୁ ଯାଇ ଶିଶୁ ମାନଙ୍କୁ ଆଣିବା ପାଇଁ ଚେଷ୍ଟା କରିଥିଲେ ବି ଭୟରେ ଯାଇପାରୁ ନ ଥିଲେ କାରଣ ସ୍ଥାନୀୟ ଲୋକ ଜେଜେବାପା କରନା ନାୟକଙ୍କୁ ପ୍ରାଣରେ ମାରିଦେବା ପାଇଁ ଧମକ ଦେଉଥିଲେ ଏହି ସବୁ ବିଷୟକୁ ନେଇ କରନା ନାୟକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଗଜପତି ଠାରେ ଜଣାଇ ଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି କୋଏମ୍ବଟୁର ଚାଇଲଡ଼ ଲାଇନ ଏବଂ ଶିଶୁ ସୁରକ୍ଷା ୟୁନିଟ ସହ କଥାବାର୍ତ୍ତା ହୋଇ ତା ପରଦିନ ଶିଶୁ ମାନଙ୍କୁ ଉଦ୍ଧାର କରିବା ସହ ତାମିଲନାଡୁର କୋଏମ୍ବଟୁରରେ ଥିବା ସରକାରୀ ଶିଶୁ ଗୃହରେ ଅସ୍ଥାୟୀ ଭାବେ ଥଇଥାନ କରିଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏହି ବିଷୟ ଉପରେ ଜିଲ୍ଲାପାଳ ଗଜପତି, ଆରକ୍ଷୀ ଅଧିକ୍ଷକ ଗଜପତି ଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ଆବଶ୍ୟକ ସହଯୋଗ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୋଗାଇ ଥିଲେ । ଗତ 21.2.2021ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷଣ ଅଧିକାରୀ ଜୟ ପ୍ରକାଶ ବାଡ଼ତ୍ୟାଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ କୋଏମ୍ବଟୁର ଗସ୍ତ କରିଥିଲେ । ସେଥି ମଧ୍ୟରେ ପୋଲିସ ବିଭାଗ ତରଫରୁ ସି.ସଦାଶିଵ ରେଡ୍ଡୀ, ଅଶୋକ କୁମାର ସେଠାରେ କୋଏମ୍ବଟୁର ର ଜିଲ୍ଲା ପ୍ରଶାସନର ସହାୟତାରେ ଶିଶୁ ମାନଙ୍କୁ ନେଇ ନିଜ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆଜି ପହଞ୍ଚି ଥିଲେ । ପୋଲିସ ଦ୍ୱାରା ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ଉପସ୍ଥାପନ କଲା ପରେ ଶିଶୁ ମାନଙ୍କୁ ଜେଜେ ବାପାଙ୍କୁ ହସ୍ତାନ୍ତର କରାଯାଇଛି । ପିଲାମାନଙ୍କ ଯତ୍ନ ଏବଂ ସୁରକ୍ଷା ଏବଂ ପାଠପଢିବା ପାଇଁ ଯାହା ଆବଶ୍ୟକ ଅଛି ତାହା ଜିଲ୍ଲା ପ୍ରଶାସନ କରିବା ପାଇଁ ପ୍ରସ୍ତୁତ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି .

Leave a Reply

Your email address will not be published. Required fields are marked *