ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ବାଆଁରା ଠାରେ କଟକ ଆଗ୍ରିଭେଟ ଦ୍ୱାରା ନିର୍ମିତ ଅତ୍ୟାଧୁନିକ ଶସ୍ୟଭିତ୍ତିକ ଇଥାନ୍ଅଲ୍ ପ୍ଲାଣ୍ଟ୍କୁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରଜିତା ଷଡଙ୍ଗୀ ଉଦ୍ଘାଟନ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇଥିଲେ । କଟକ ଆଗ୍ରିଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମୋହିତ ସଂଗ୍ଲା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦୈନିକ ୧୨୫କିଲୋ ଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ଇଥାନଅଲ୍ କାରଖାନା ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବାହାର କରି ନଷ୍ଟ ହୋଇଥିବା ଶସ୍ୟ, ଭଙ୍ଗାଚାଉଳ ଏବଂ ମକ୍କାରୁ ଇଥାନଅଲ୍ ଉତ୍ପାଦନ କରିବ ଯାହା ଜୈବ ଇନ୍ଧନ ଭାବରେ ପେଟ୍ରୋଲିୟମ୍ ସହିତ ମିଶ୍ରଣ କରାଯିବ । ଏହି କାରଖାନା ଭାରତ ସରକାରଙ୍କ ଜାତୀୟ ଜୈବ ଇନ୍ଧନ ନୀତି ଅନୁଯାୟୀ କାର୍ଯ୍ୟ କରୁଅଛି ଏବଂ ଏଠାରେ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଜୈବ ଇନ୍ଧନ ଉତ୍ପାଦନକୁ ପ୍ରତ୍ସାହିତ କରିଥାଏ । ମୁଖ୍ୟଅତିଥି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଏହି ଶସ୍ୟ ଭିତ୍ତିକ ଇଥାନ୍ଅଲ୍ କାରଖାନା ପରିବେଶ ନିରନ୍ତରତା ହାସଲ ଓ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି କାରଖାନା ସ୍ଥାନୀୟ ଅଞ୍ଚଳର ଅର୍ଥ ନୈତିକ ସଶକ୍ତିକରଣରେ ସହାୟକ ହେବବୋଲି ଶ୍ରୀମତୀ ଷଡଙ୍ଗୀ କହିଥିଲେ । ସମ୍ମାନୀତ ଅତିଥି ବିଧାୟକ ଶ୍ରୀ ତ୍ରିପାଠୀ ଓଡ଼ିଶାରେ ଏକ ଆଧୁନିକ ଇଥାନ୍ଅଲ୍ ପ୍ଲାଣ୍ଟ୍ ନିର୍ମାଣ କରିଥିବାରୁ କଟକ କୃଷିଭେଟକୁ ପ୍ରଶଂସା କରିଥିଲେ । ଏହି ପ୍ଲାଣ୍ଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛି ଯାହା ଏହାକୁ ଲିକୁଇଡ୍ ଡିସଚାର୍ଜ କାରଖାନାରେ ପରିଣତ କରିଛି । ଏହି କାରଖାନା ଯୋଗୁଁ ୨୦୦ଟି ପ୍ରତ୍ୟେକ୍ଷ ନିଯୁକ୍ତି ସୁଯୋଗ ହଜାରରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଶସ୍ୟ ଉତ୍ପାଦନ ପାଇଁ ଏକ ସୁଦୃଢ଼ ବଜାର ସୃଷ୍ଟି କରି ଏହି କାରଖାନା ସ୍ଥାନୀୟ କୃଷକମାନଙ୍କୁ ସଶକ୍ତ କରିବ ବୋଲି ଶ୍ରୀ ତ୍ରିପାଠୀ ଆଶା କରିଥିଲେ । ଏହି ପ୍ଲାଣ୍ଟ୍ ଦ୍ୱାରା ୩୦ହଜାରରୁ ଅଧିକ ଚାଷୀ ଉପକୃତ ହୋଇପାରିବେ ଏହି ପ୍ଲାଣ୍ଟ୍ ନିର୍ମାଣରେ ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରତ୍ସାହିତ କରିଥିବାରୁ ବାଙ୍କୀବାସୀ ଆନନ୍ଦିତ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । କଟକ ଆଗ୍ରିଭେଟ୍ ଲିମିଟେଡର ପରିଚାଳିତ ନିର୍ଦ୍ଦେଶକ ମୋହିତ ସିଂଗ୍ଲା କହିଥିଲେ ଭବିଷ୍ୟତରେ ଏହି ସଂସ୍ଥା ଗ୍ଲୁକୋଜ୍ ଷ୍ଟାର୍ଟ ସମେତ ନୂଆ ମକ୍କା ଭିତ୍ତିକ ଉତ୍ପାଦ ଆଣି ଏହାର ଉତ୍ପାଦ ଅଫରକୁ ବିସ୍ତାର କରିବବୋଲି ସେ ସୂଚନା ଦେଇଥିଲେ । ଇଥାନ୍ଅଲ୍ ଯୋଗାଣ ପାଇଁ କଟକ ଆଗ୍ରିଭେଟ୍ ଭାରତ ପ୍ରେଟ୍ରୋଲିୟମ୍, ଇଣ୍ଡିଆନ୍ ଅଏଲ୍ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ସହ ୧୦ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର କରିଛି ବୋଲି ପରିଚାଳକ ନିର୍ଦ୍ଦେଶକ ଶ୍ରୀ ମୋହିତ ସିଂଗ୍ଲା ପ୍ରକାଶ କରିଛନ୍ତି ।
ବାଆଁରା ଠାରେ କଟକ ଆଗ୍ରିଭେଟର ଅତ୍ୟାଧୁନିକ ଶସ୍ୟ ଭିତ୍ତିକ ଇଥାନଲ୍ ପ୍ଳାଣ୍ଟ୍ ଉଦ୍ଘାଟିତ !!!

